୩ଟି ତହସିଲର ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଖଲ୍ଲିକୋଟ, କୋଦଳା ଓ ପୁରୁଷୋତ୍ତମପୁର ତହସିଲର ରାଜସ୍ୱ ସମୀକ୍ଷା ବୈଠକ ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଅଧ୍ୟକ୍ଷତା କରି ତିନୋଟି ତହସିଲ ଅଧୀନରେ ବଳକା ଥିବା ବାଲି ଖାଦାନ ଓ ପଥର ଖାଦାନକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ବିଜ୍ଞପ୍ତି ଜାରି କରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଯେଉଁ ପଥର ଖାଦାନ ଗୁଡିକ ଆଦେଶ ଠାରୁ ଅଧିକ ପଥର ଆମଦାନୀ କରୁଛନ୍ତି ତାଙ୍କରି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ରାଜସ୍ୱ ଏବଂ ଡି.ସି.ବି. ଲକ୍ଷ୍ୟ ଶତପ୍ରତିଶତ ଭାବେ ପୂରଣ କରିବା ପାଇଁ କୁହାଯାଇଛି । ବେଆଇନ ଭାବେ ବାଲି ଓ ପଥର ଏବଂ ମୋରମ ବୋଝେଇ ଗାଡିକୁ ଧରପଗଡ କରି ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବକେୟା ବେବନ୍ଦୋବସ୍ତ ଏବଂ ଗ୍ରାମକଣ୍ଠକ ମାମଲା ଗୁଡିକ ତ୍ୱରାନ୍ୱିତ କରି ହିତାଧିକାରୀମାନଙ୍କୁ ପଟ୍ଟା ପ୍ରଦାନ କରିବାକୁ ଜୋର୍ ଦେଇଥିଲେ । ଦାଖଲ ଖାରଜ ମାମଲାରେ ସମାୟାନୁବର୍ତ୍ତିତା ହୋଇ ଧାର୍ଯ୍ୟ ସମୟରେ ଫଇସଲା କରିବାକୁ ଆଦେଶ ଦେଇଥିଲେ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଦରକାରୀ କରୁଥିବା ସମସ୍ତ ପ୍ରମାଣ ପତ୍ର ଧାର୍ଯ୍ୟ ସମୟର ପୂର୍ବରୁ ଅନ୍‌ଲାଇନ୍‌ରେ ପ୍ରଦାନ କରିବା ପାଇଁ କୁହାଯାଇଛି । ସେହିପରି ତହସିଲ ଓ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ବଭିନ୍ନ ସମସ୍ୟା ନେଇ ଆସୁଥିବା ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର କରି ସେମାନଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଖଲ୍ଲିକୋଟ ତହସିଲଦରା ରାଜକିଶୋର ପଟ୍ଟନାୟକ, ପୁରୁଷୋତ୍ତମପୁର ତହସିଲଦାର ନିତୀଶ କୁମାର ତ୍ରିପାଠୀ, କୋଦଳା ତହସିଲଦାର ଅବନୀ କୁମାର ସାହୁ, ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ କୁମାର ପ୍ରଧାନ, ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ରାଜସ୍ୱ ସହାୟକ ଅଖିଳ କୁମାର ସାବତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା