୧୯୯୦-୯୬ରେ ଦେଶରେ ଚର୍ଚ୍ଚିତ ହୋଇଥିବା ନିର୍ବାଚନ କମିଶନର ଟିଏନ୍‌ ଶେଷନ୍‌ଙ୍କ ଆଜି ପରଲୋକ ଘଟିଛି….

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଆଜି ଯେଉଁ ଭୋଟର ଆଇଡି କାର୍ଡ ବ୍ୟବହାର କରୁଛନ୍ତି ତାକୁ ଲାଗୁ କରିବା ପାଇଁ ଓ ଭାରତୀୟ ନିର୍ବାଚନରେ ସୁଧାର ଆଣିବା ପାଇଁ ବିଭିନ୍ନ ନିୟମ ପ୍ରଣୟନ କରି ସେତେବେଳେ ଦେଶରେ ବହୁ ଚର୍ଚ୍ଚିତ ହୋଇଥିବା ପୂର୍ବତନ ଆଇଏସ ଅଫିସର ଟି ଏନ ଶେଷନ୍‌ ତଥା ପୂର୍ବତନ ପ୍ରସିଦ୍ଧ ନିର୍ବାଚନ କମିଶନର , ରମଣ ମାଗାସେସେରେ ସମ୍ମାନିତ ଟିଏନ୍ ଶେଷନ୍‌ଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ୧୯୯୦ ଡିସେମ୍ବର ୧୨ ତାରିଖରୁ ୧୯୯୬ ମସିହା ଡିସେମ୍ବର ୧୧ ଯାଏ ନିର୍ବାଚନ କମିଶନର ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ସେ କ୍ୟାବନେଟ୍ ସଚିବ ଦାୟିତ୍ୱ ତୁଲାଇଥିଲେ। ୧୯୩୨ ମସିହା ଡିସେମ୍ବର ୧୫ ତାରିଖରେ କେରଳର ଥିରୁନେଲ୍ଲାଇ ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା । ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସେ ହାଭାର୍ଡ ବିଶ୍ୱବିଦ୍ୟାଳୟରେ ପବ୍ଲିକ୍‌ ଆଡମିନ୍‌ଷ୍ଟ୍ରେସନ୍‌ ପଢ଼ିଥିଲେ। ସେ ଏଡ୍‌ୱାର୍ଡ ଏସ୍‌ ମାସନ୍‌ ଫେଲୋସିପ୍‌ ପାଇ ଏହି କୋର୍ସ କରିପାରିଥିଲେ। ଏହି ୧୯୫୫ ବ୍ୟାଚ୍ ଆଇଏଏସ୍ ଭାରତର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବାରେ ବଡ଼ ଭୂମିକା ନେଇ ଥିଲେ। ନିଜର କର୍ତ୍ତବ୍ୟ ପରାୟଣତା ପାଇଁ ୧୯୯୬ ମସିହାରେ ସେ ରମଣ ମାଗାସେସେରେ ସମ୍ମାନିତ ହୋଇଥିଲେ। ଚାକିରିରୁ ଅବସର ପରେ ସେ ଜାତୀୟ କଂଗ୍ରେସ ଦଳରୁ ଟିକେଟ ନେଇ ଲୋକସଭା ପ୍ରାର୍ଥୀ ଭାବେ ଗାନ୍ଧୀ ନଗରରୁ ବିଜେପି ପ୍ରାର୍ଥୀ ଏଲ କେ ଆଡଭାନୀଙ୍କ ବିରୋଧରେ ଲଢ଼ି ୨ ଲକ୍ଷ ଭୋଟରେ ପରାସ୍ତ ହୋଇ ଥିଲେ । ତାଙ୍କର ପରଲୋକରେ ଆଜି ଶୋକର ଛାୟା ଖେଳି ଯାଇଛି ।