ଜଳେଶ୍ୱର ପଞ୍ଚାୟତ ସମିତି ବୈଠକରେ କେନ୍ଦ୍ର ମନ୍ତ୍ରୀଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପଂଚାୟତ ସମିତିର ୮ମ ବୈଠକ ଆଜି ପୂର୍ବାହ୍ନରେ ବ୍ଲକ ଅଧ୍ୟକ୍ଷା ସବିତାରାଣୀ ଦଳାଇଙ୍କ ପୌରହିତ୍ୱରେ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡଙ୍ଗୀ ଯୋଗ ଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ରାଇବଣିଆ ୟୁଜିୟୁପି ବିଦ୍ୟାଳରେ ଅଦ୍ୟାବଧି ଛାତ୍ରଛାତ୍ରୀ ମାନଙ୍କୁ ୟୁନିଫର୍ମ ପ୍ରଦାନ କରାଯାଇନାହିଁ ବୋଲି ସଦସ୍ୟ ଦିଗାମ୍ବର ଦାସ ଅଭିଯୋଗ କରିଥିଲେ । ଅଭିଯୋରଗର ଉତ୍ତରରେ ଏବିଇଓ ସୁଶାନ୍ତ କୁମାର ଜେନା ବିଦ୍ୟାଳୟ ପରିଚାଳନା କମିଟି ନ ଥିବାରୁ ଅଦ୍ୟାବଧି ପୋଷାକ ବଣ୍ଟନ ହୋଇପାରିନାହିଁ ବୋଲି ସୂଚନା ଦେଇଥିଲେ । ମାତ୍ର ଏଥିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ହସ୍ତକ୍ଷେପ କରି ତୁରନ୍ତ ୧୦ ଦିନ ମଧ୍ୟରେ କେବଳ ରାଇବଣିଆ ନୁହେଁ, ବିଭିନ୍ନ ପଂଚାୟତର ଅବସ୍ଥିତ ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀମାନଙ୍କର ମୋଭ୍ମେଣ୍ଟ ରେଜିଷ୍ଟର ନ ଥିବାରୁ ପଂଚାୟତବାସୀମାନେ ବିଭିନ୍ନ ସମୟରେ ଅସୁବିଧାରେ ସମ୍ମୁଖୀନ ହେଉଥିବା ଯୋଗୁଁ ଏହି ବ୍ୟବସ୍ଥା କରିବାପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରାଇବଣିଆ ଅଂଚଳରେ ହାତୀମାନଙ୍କର ଉତ୍ପାତ ଲାଗି ରହିବାଯୋଗୁଁ ସୋଲାର ତାରବାଡ ଓ ଟେଞ୍ଚ ଖୋଳିବାପାଇଁ ଉପସ୍ଥିତ ଫରେଷ୍ଟର ରତିକାନ୍ତ ପାଢୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସେ ଇତିମଧ୍ୟରେ ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି ବୋଲି କହିଥିଲେ । ଦଳମତ ନିର୍ବିଶେଷରେ ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ଉପସ୍ଥିତ ସରପଂଚ, ସମିତି ସଦସ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ । ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ବୈଠକରେ ଯୋଗ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବିଦ୍ୟୁତ୍ ବିଭାଗର ବିଭିନ୍ନ ଯୋଜନାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ପୁର୍ତ୍ତ, କୃଷି, ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ମହିଳା ଶିଶୁ ବିକାଶ, ଉଦ୍ୟାନ ବିଭାଗ, ଉଠାଜଳସେଚନ ବିଭାଗ, ଜଳସେଚନ, ଗ୍ରାମ୍ୟଜଳଯୋଗାଣ ବିଭାଗ ଓ ପଂଚାୟତରାଜ ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ବିସ୍ତୃତରୂପେ ସମୀକ୍ଷା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ବିଡିଓ ନିତ୍ୟାନନ୍ଦ ସାହୁ, ସାଂସଦ ପ୍ରତିନିଧି ଉମାକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଲମ୍ବୋଦର କର, ସହକାରୀ ଯନ୍ତ୍ରୀ ଇଂ ବିଜୟ କୁମାର ଦାସ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଇଂ ଅରୁଣ କୁମାର ବାରିକ, ସହକାରୀ ଯନ୍ତ୍ରୀ ଇଂ ପ୍ରଦ୍ୟୁମ୍ନ କୁମାର ଦାଶ, ସିଡିପିଓ ଦିପ୍ତିମୟୀ ପୋଥାଳ, ମାର୍କେଟିଂ ଇନିସ୍ପେକ୍ଟର ସାଗରିକା ରାଉତରାୟ, ବିଦ୍ୟୁତ୍ ବିଭାଗ ଏସ୍ଡିଓ ଇଂ ଭୁବନ କୁମାର ସାହୁ, ଉଠା ଜଳସେଚନ କନିଷ୍ଠ ଯନ୍ତ୍ରୀ ଇଂ ଭିମସେନ୍ ମଲ୍ଲିକ, ହାତୀଗଡ ସିଏଚ୍ସିର ବି.ଇ. ଫକୀର ମୋହନ ପ୍ରଧାନ, ଉଦ୍ୟାନ ବିଭାଗର ଅଧିକାରୀ ଅଜୟ କୁମାର ପ୍ରଧାନ, ଅଗ୍ନିଶମ ବିଭାଗର ଓଆଇସି ଜଗବନ୍ଧୁ ନାୟକ, ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଇଂ ଧିରେନ୍ଦ୍ର ନାଥ ଦାଶ, ସାମାଜିକ ସୁରକ୍ଷା ଅଧିକାରିଣୀ ତିଳୋତ୍ତମା ପଣ୍ଡା, ପୁର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଇଂ ନିହାର ବେହେରା ଓ ଗୌରୀ ଚରଣ ଗିରି, ଜିପିଇଓ ସୁଜୟ କୁମାର ଚାନ୍ଦ, ସେକ୍ସସନ ଅଫିସର ଅଧିର କୁମାର ପ୍ରମାଣିକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଂଚ ଦିଲ୍ଲିପ ସାମଲ, ଦୀନେଶ ଜେନା, ହରେକୃଷ୍ଣ ଗିରି, ପଦ୍ମଲୋଚନ ବେହେରା, ସତ୍ୟଶୋଭନ ମିଶ୍ର, ମମତାରାଣୀ ହୁଇ, ଦିଲ୍ଲିପ ପରିଡା, କାଞ୍ଜନବାଳା ଦାସ, ସମିତି ସଦସ୍ୟ ସଂଜୟ ମହାନ୍ତି, ରାଜେନ୍ଦ୍ର ପାତ୍ର, ସୁରେଶ ଦାସ, ଜିଲାପରିଷଦ ସଦସ୍ୟ ଗୌରହରୀ ଜେନା, ଜିଲାପରିଷଦ ସଦସ୍ୟା ମାନିନୀ ପ୍ରମାଣିକ ଓ ରଂଗଲତା ଆଚାର୍ଯ୍ୟ ପ୍ରମୁଖ ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ଉତ୍ଥାପନ କରିଥିଲେ । କୋଟସାହି ସମିତି ସଦସ୍ୟା ପ୍ରତିଭା ନାଥ ତାଙ୍କ ପଂଚାୟତରେ ଏକ ହାଇସ୍କୁଲ ଓ ପୋଷ୍ଟ ଅଫିସ୍ ଖୁବ ଶୀଘ୍ର ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା