୧୬ଦଫା ଦାବିରେ ବଣିକ ସଂଘର ରେଳବାଇକୁ ଚିଠି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରେଳବାଇର ଜଳେଶ୍ୱର ରେଳ ଷ୍ଟେସନ ଓ ଯାତ୍ରୀଙ୍କ ପ୍ରତି ବୈମାତୃକଭାବ ଓ ଉଦାସୀନତା ଯୋଗୁଁ ଜଳେଶ୍ୱର ବଣିକ ସଂଘ (ମାର୍ଚେଣ୍ଟ ଏସୋସିଏସନ୍‌) ପକ୍ଷରୁ ଖଡଗପୁର ଡିଭିଜନର ରେଳ କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ୧୬ ଦଫା ଦାବି ନେଇ ଜନସାଧାରଣଙ୍କ ପୂର୍ବ ସୁବିଧା ଗୁଡିକୁ ଫେରାଇ ଦେବାଲାଗି ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ନିବେଦନ କରାଯାଇଛି । ଅନ୍ୟଥା ଆନ୍ଦୋଳନର ସୂଚନା ଦିଆଯାଇଛି । କରୋନା ପୂର୍ବରୁ ଜଳେଶ୍ୱର ରେଳ ଷ୍ଟେସନ ଓ ଯାତ୍ରୀମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ଏବେ ବନ୍ଦ ରହିଥିବାରୁ ଜଳେଶ୍ୱର ବଣିକ ସଂଘ କ୍ଷୁବ୍ଧ ହୋଇଛି । ଜଳେଶ୍ୱର ରେଳ ଷ୍ଟେସନ ବର୍ଷକୁ ୧୨ କୋଟି ଟଙ୍କା ରାଜସ୍ୱ ଦେଉଥିବାରୁ ଏହାକୁ ଆଦର୍ଶ ଷ୍ଟେସନର ମାନ୍ୟତା ଦେବା, ପ୍ଲାଟଫର୍ମ ଗୁଡିକରେ କୋଚ ଇଣ୍ଡିକେଟର ବୋଡ ଓ ଡିସ୍‌ପ୍ଲେ ବୋଡ ଲଗାଇବା, ରେଳ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୧୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ନୂଆ ରେଳ ଷ୍ଟେସନଗୃହ ନିର୍ମାଣ, ଅଧିକ ରେଳ କାଉଣ୍ଟର ଖୋଲିବା, ପଶ୍ଚିମବାର୍ଡ ରାସ୍ତାର ୪୬ନଂ ରେଳ ଉଡନ୍ତା ପୋଲ ନିର୍ମାଣ ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ । ବଣିକ ସଂଘର ସଭାପତି ସୁଧିର କୁମାର ମହାନ୍ତିଙ୍କ ପୌରହିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୧୮୪୭୭ ଡାଉନ୍ କଳିଙ୍ଗ ଉତ୍କଳ ଏକ୍ସପ୍ରେସର, ୨୨୬୪୪ ଅପ୍ ପାଟଣାଏର୍ଣ୍ଣାକୋଲମ୍ ଏକ୍ସପ୍ରେସ୍‌, ୨୨୮୫୦ ଡାଉନ୍ ସାଲିମାର-ସିକନ୍ଦରାବାଦ ସାପ୍ତାହିକ ଏକ୍ସପ୍ରେସ୍‌ର ଜଳେଶ୍ୱର ରହଣି, ମହିଳା ଓ ବରିଷ୍ଠ ନାଗରିକଙ୍କୁ ପୂର୍ବଭଳି ସୁବିଧା ଯୁଯୋଗ ଦେବା, ପୂର୍ବ ରେଳ ସାରଣୀ ଅନୁଯାୟୀ ରେଳ ଗୁଡିକୁ ଚଳାଚଳ କରିବା ଲାଗି କତ୍ତୃପକ୍ଷଙ୍କୁ ବଣିକ ସଂଘ ଦାବି କରିଛି । ଏହା ବ୍ୟତିତ ୦୮୪୧୧ ବାଲେଶ୍ୱର-ଭୁବନେଶ୍ୱର ମେମୋ ସ୍ୱତନ୍ତ୍ର ଟ୍ରେନ୍‌ଟି ଜଳେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ, ବାଲେଶ୍ୱର ଓ ଖଡଗପୁର ମଧ୍ୟରେ ଦିବା ୧୧ରୁ ୫ଟା ମଧ୍ୟରେ ଏକ ନୂଆ ପାସେଞ୍ଜର ଟ୍ରେନ୍ ଚଳାଚଳ । ୨୨୬୦୩ ଓ ୨୨୬୦୪ ଖଡଗପୁର-ଭେଲୁପୁରମ୍ ସୁପରଫାଷ୍ଟ, ୧୨୮୬୩ ଓ ୧୨୮୬୪ ହାୱାଡ-ୟଶୋବନ୍ତପୁରମ୍‌, ୧୨୭୦୩ ଓ ୧୨୭୦୪ ହାୱାଡା-ସିକନ୍ଦରାବାଦ୍ ଫଲକନାମା, ୨୨୮୩୧ ଓ ୨୨୮୩୨ ହାୱାଡା-ପ୍ରଶାନ୍ତି ଏକ୍ସପ୍ରେସ୍ ତଥା ୧୨୮୬୭ ଏବଂ ୧୨୮୬୮ ହାୱାଡା ପୁଡୁଚେରୀ ଏକ୍ସପ୍ରେସ୍‌ର ରହଣି ଲାଗି ଦାବି ଜଣାଇଛନ୍ତି । ଅନ୍ୟପକ୍ଷରେ ଜଳେଶ୍ୱର ବଣିକ ସଂଘରୁ ସଂପାଦକ ରାମଭରସ ସାହୁଙ୍କୁ ଡିଆର୍‌ୟୁସିସିରେ ସଭ୍ୟପଦକୁ ମନୋନୀତ କରାଯାଇଥିବାରୁ ରେଳବାଇକୁ କୃତଜ୍ଞତା ଜଣାଯିବା ସହିତ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବୀ ତଥା ବଣିକ ସଂଘର ଉପଦେଷ୍ଟା ବିଷ୍ଣୁପଦ ମହାନ୍ତି ଓ ଡ. ରମାକାନ୍ତ ଭଂଜ ଅତୀତରେ ବଣିକ ସଂଘ ଦ୍ୱାରା ଜଳେଶ୍ୱରରେ କିପରି ବିକାଶ ଘଟିଛି ସେ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ବିଜୟ କାମିଳା, କିଶୋର ଠକର, ବିକାଶ ଧର, ଶିରିଶ ଚୌହାନ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ବଣିକ ସଂଘର ଦାବିଗୁଡିକ ଉପସ୍ଥାପକ କରିଥିଲେ । ଉପରୋକ୍ତ ଦାବି ଗୁଡିକ ପୂରଣ ନ ହେଲେ ଆସନ୍ତା ଦିନରେ ବଣିକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି ।

ରିପୋର୍ଟ : ଭୂପତି ପରିଡା