୧୨ ବାଲି ସୌରାତରେ ୧୪୪ ଧାରା ଜାରି : ଚୋରା ବାଲି ବ୍ୟବସାୟୀଙ୍କୁ ଝଟକା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀରୁ ପ୍ରତିଦିନ ହଜାର ହାଜର ଟ୍ରକ ଓ ଟ୍ରାକ୍ଟରରେ ବାଲି ବିନା ରୟାଲିଟିରେ ଉତ୍ତୋଳନ ହୋଇ ବେଆଇନ୍‌ଭାବେ ବିକ୍ରି ହୋଇ ଆସୁଛି । ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ବେଳେ କେତେକ ସ୍ଥାନରେ ପ୍ରଶାସନ ଚୋରା ବାଲି ବ୍ୟବସାୟୀଙ୍କୁ ରୋକ ଲଗାଇବାକୁ ଚେଷ୍ଟା କରି ସବୁସ୍ଥାନରେ ସଫଳ ହୋଇ ନାହାନ୍ତି । ଜିଲାପାଳଙ୍କ ବଦଳି ପରେ ନୂଆ ଜିଲାପାଳ ଦାୟିତ୍ୱ ନେବାପୂର୍ବରୁ ଆଜି ଜଳେଶ୍ୱର ତହସିଳଦାର ୧୨ଟି ବାଲି ସୌରାତ ଉପରେ ୧୪୪ ଧାରା ଜାରି କରି ବାଲି ମାଫିଆଙ୍କୁ ଲଗାମ୍ ଲଗାଇବାକୁ ଚେଷ୍ଟା କରିଛନ୍ତି । ଜଳେଶ୍ୱର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀରେ ପ୍ରାୟ ୨୩ଟି ବାଲି ସୌରାତ ରହିଛି । କେତେକସ୍ଥାନରେ ନିଲାମ କାର୍ଯ୍ୟ ଚାଲିଥିବା ବେଳେ ବହୁ ସ୍ଥାନରେ ନିଲାମ ପ୍ରକ୍ରିୟା ହୋଇ ନାହିଁନାହିଁ । କିନ୍ତୁ ପ୍ରତିଦିନ ରାତିରେ ବିଭିନ୍ନ ସ୍ଥାନରୁ ବାଲି ଉତ୍ତୋଳନ ହୋଇ ପଶ୍ଚିମବଂଗ ଓ ଓଡିଶାର ବିଭିନ୍ନ ସ୍ଥାନରେ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି । ଫଳରେ ବାଲି ମାଫିଆମାନେ ମାଲେମାଲ ହେଉଛନ୍ତି । ପୂର୍ବରୁ ଟ୍ରାକ୍ଟର ପିଛା ବାଲି ୫ଶହ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୨୬ଶହ ଟଙ୍କାରେ ମିଳୁଛି । କିନ୍ତୁ ସରକାରୀଭାବେ ରାଜସ୍ୱ ଟଙ୍କାଟିଏ ମିଳୁନାହିଁ । କେତେକ ସ୍ଥାନରେ ତହସିଲ ପକ୍ଷରୁ ଚୋରା ବ୍ୟବସାୟୀଙ୍କୁ ରୋକ ଲଗାଇବା ଲାଗି ଗତ କିଛିଦିନ ଧରି ବାଲି ଉତ୍ତଳ ହେଉଥିବା ରାସ୍ତାରେ ବଡବଡ ଗର୍ତ୍ତ ଖୋଳି ଦିଆଯାଇଥିଲା । ହେଲେ ଚୋରା ବାଲି ବ୍ୟବସାୟୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବାରୁ ବାଲି ଚାଲାଣ ବନ୍ଦ ହେଉନାହିଁ । ଆଜି ଅପରାହ୍ନରେ ଜଳେଶ୍ୱର ତହସିଲଦାର ସ୍ମୃତିରଂଜନ ମଲ୍ଲିକଙ୍କ ନିର୍ଦ୍ଦେଶରେ ୧୨ଟି ବାଲି ସୌରାତରେ ୧୪୪ ଜାରି କରାଯାଇ ନାଲି ପତାକା ପୋତା ଯାଇଛି । ବିଳାସପୁର, ମାକିଡିଆ, କୁଅଁରପୁର, ବେହେରାସାହି, ପ୍ରହରାଜପୁର, କଣ୍ଟାପାଳ, ମକରମପୁର, ଗୋବରଘଟା, ଦକ୍ଷିଣ ପ୍ରହରାଜପୁର ଇତ୍ୟାଦି ସ୍ଥାନରେ ଥିବା ୧୨ଟି ସୌରାତରେ ୧୪୪ ଧାରା ବଳବତ୍ତର ରହିଥିବାରୁ ବାଲି ମାଫିଆଙ୍କୁ ଝଟକା ଲାଗିଛି ।

ରିପୋର୍ଟ : ଭୂପତି ପରିଡା