୧୦ ଲକ୍ଷ ଓଡ଼ିଆ ଯୁବକଯୁବତୀଙ୍କୁ ସଦସ୍ୟ କରିବାକୁ ବିଜେପି ଯୁବମୋର୍ଚ୍ଚାର ଲକ୍ଷ……

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ବିଜୁ ଜନତା ଦଳ ତଥା ବିଜେଡି ସୁପ୍ରିମୋ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ ୧୯ବର୍ଷ ଧରି ଚାଲିଥିବା ଓଡିଶା ରାଜ୍ୟରେ ବିଜେପି ଏବେ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ଦଳର ସଦସ୍ୟ କରିବାକୁ ଅଭିଯାନ ପ୍ରସ୍ତୁତ କରିଥିବା ଜଣାପଡିଛି । ଆଜି ବିଜେପିର ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଅତୁଲ କୁମାର ଏବଂ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦଳର ଯୁବମୋର୍ଚ୍ଚାର କର୍ମକର୍ତ୍ତାମାନେ ଏନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ଜୁଲାଇ ୨୬ ତାରିଖ କାର୍ଗିଲ ବିଜୟ ଦିବସ ଏବଂ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ସାରା ରାଜ୍ୟରେ ବୁଥସ୍ତର ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ତରଫରୁ ସଦସ୍ୟତା ଅଭିଯାନ କରାଯାଇ ରାଜ୍ୟର ଯୁବକଯୁବତୀଙ୍କୁୁ ବିଜେପିରେ ସାମିଲ କରି ସଦସ୍ୟ କରିବା ପାଇଁ ଏକ ଅଭିନବ ଅଭିଯାନ କରାଯିବ। ଯୁବମୋର୍ଚ୍ଚା ତରଫରୁ ରାଜ୍ୟର ସବୁ ଅଞ୍ଚଳ ଓ ସମାଜର ସବୁ ବର୍ଗର ଯୁବଗୋଷ୍ଠୀକୁ ଦଳରେ ସାମିଲ କରିବା ପାଇଁ ବିଶେଷ ଯୋଜନା ଆଧାରରେ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି। ବିଜେପିର ନେଶନ୍ ଫାଷ୍ଟ୍ ଓ ଗରିବ କଲ୍ୟାଣ ଯୋଜନା ଯୁବପିଢ଼ିଙ୍କୁ ବିଜେପି ଆଡ଼କୁ ବେଶ ଆକର୍ଷିତ କରୁିଛି ବୋଲି ଶ୍ରୀ କୁମାର ଓ ଶ୍ରୀ ତ୍ରିପାଠୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ, ରାଜ୍ୟ ସମ୍ପାଦକ ଇରାଶିଷ ଆଚାର୍ଯ୍ୟ, ଦୀପକ ଗୋଚ୍ଛାୟତ ଓ ଓମ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଥିଲେ।

ରିପୋର୍ଟ : ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା