୧୦୮ ଆମ୍ବୁଲାନ୍ସର ତ୍ରୁଟିପୂର୍ଣ୍ଣ ନୀତି : ସାଧାରଣ ଜନତା ସେବାରୁ ବଞ୍ଚିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆବଶ୍ୟକତା ବେଳେ ଏବଂ ସାଧାରଣ ଜନତାଙ୍କୁ ସହାୟତା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସର ପ୍ରଚଳନ ହୋଇଥିବା ବେଳେ କେତେକ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ବହୁ ବ୍ୟକ୍ତି ସେଥିରୁ ସେବା ପାଇବାରୁ ବଂଚିତ ହେଉଛନ୍ତି । ଆଜି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଗରିବ ବ୍ୟକ୍ତି ୧୦୮ ଆମ୍ବୁଲାନ୍ସକୁ ଅପେକ୍ଷା କରିବା ଓ ଶେଷରେ ନିରାଶ କରିବା ଧାର କରଜ କରି ଘରୋଇ ଆମ୍ବୁଲାନ୍ସ ଯୋଗେ ଜିକେଭଟ୍ଟର ହସ୍ପିଟାଲରୁ ବାଲେଶ୍ୱରସ୍ଥିତ ଜିଲା ସଦର ମୁଖ୍ୟ ଚିକିତ୍ସାଳୟକୁ ଯାଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ କମର୍ଦ୍ଦା ଥାନା ଅନ୍ତର୍ଗତ ନାଚିନ୍ଦ୍ର ଗ୍ରାମର ହରିଶ୍ଚନ୍ଦ୍ର ଗାଣ (୬୦) ଗୁରୁତର ଅବସ୍ଥାରେ ମଙ୍ଗଳବାର ରାତିରେ ଜିକେଭଟ୍ଟର ଡାକ୍ତରଖାନାରେ ଭର୍ତ୍ତୀ ହୋଇଥିଲେ । ଭୋର ସମୟରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଦିଲ୍ଲିପ କୁମାର ପାତ୍ର ବାଲେଶ୍ୱରକୁ ରେଫାର କରିଥିଲେ ମଧ୍ୟ ଦିନ ୧୧ଟା ସୁଦ୍ଧା ସେ ୧୦୮ ଆମ୍ବୁଲାନ୍ସ ପାଇପାରିନଥିଲେ । ଜଳେଶ୍ୱରସ୍ଥିତ ୧୦୮ ଆମ୍ବୁଲାନ୍ସ ହାତୀଗଡ ଯାଇଥିବା, ହାତୀଗଡ, ଭୋଗରାଇ, କମର୍ଦ୍ଦା ୧୦୮ ଆମ୍ବୁଲାନ୍ସ ବାଳେଶ୍ୱର ଯାଇଥିବା ଫୋନ୍ ଦ୍ୱାରା ସୂଚନା ମିଳିଥିବା । ଶେଷରେ ତାଙ୍କୁ ସ୍ତ୍ରୀ ଓ ପୁଅ ଘରୋଇ ଆମ୍ବୁଲାନ୍ସ ଯୋଗେ ଧାରକରଜ କରି ବାଲେଶ୍ୱର ସ୍ଥାନାନ୍ତରିତ କରିଥିଲେ । ୧୦୮ ଆମ୍ବୁଲନ୍ସ ଯେଉଁ ଅଂଚଳ ଲାଗି ଉଦ୍ଦିଷ୍ଟ ସେଠାରେ ସେବା ନ ଯୋଗାଇ ଅନ୍ୟ ଦୂର ସ୍ଥାନକୁ ଯାଇ ସେବା ଯୋଗାଇବା ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ଅର୍ଥ ତେଲ ଓ ମରାମତି ବାବଦରେ ଟେଣ୍ଡର ନେଇଥିବା କମ୍ପାନୀ ହାତକୁ ଯାଉଛି । ଫଳରେ ସାଧାରଣ ଜନତା ଏପରି ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ସେବା ପାଇବାରୁ ବଂଚିତ ହେଉଛନ୍ତି । ତେଣୁ ସରକାର ଯଥାଶୀଘ୍ର ଏପରି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ଯେଉଁ ଅଂଚଳ ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସ ସେହି ଅଂଚଳରେ ସେବା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା