୧୦୦ ଗ୍ରାମ ବ୍ରାଉନସୁଗର ଓ ୪୫ ହଜାର ଜବତ : ଜଣେ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ୧୦୦ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡିଛି । ଯୁବକ ଜଣଙ୍କ ଏକ ବାଇକରେ ବ୍ରାଉନ ସୁଗର ଧରି ବିକ୍ରି କରିବାକୁ ଯାଉଥିବା ବେଳେ ଗୋପାଳପୁର ଥାନା ଅଧିନ ଡୁରା ନିକଟରେ ତାଙ୍କୁ କାବୁ କରାଯାଇଥିଲା । ତାଙ୍କ ନିକଟରୁ ୧୦୦ ଗ୍ରାମ ବ୍ରାଉନ ସୁଗର, ସିଲଭର ଫଏଲ ସହ ନଗଦ ୪୫ ହଜାର ଟଙ୍କା ଓ ଗୋଟିଏ ନୁଆଁ ବାଇକ ଜବତ କରାଯାଇଛି । ଗିରଫ ଯୁବକ ଜଣଙ୍କ ହେଲେ ବ୍ରହ୍ମପୁର ଖାଜା ସାହିର ଏସ.କେ. ସମୀର(୨୧) । ସୂଚନାଯୋଗ୍ୟ କି ଗତ ୬ ତାରିଖରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଗଦାବରୀଶନଗର ଦ୍ୱିତୀୟ ଲାଇନରୁ ସାଣ୍ଡି ଅଗ୍ରୱାଲ ନାମକ ଜଣେ ଯୁବକକୁ ଗିରଫ କରି ତା’ ନିକଟରୁ ୧୧୨ ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲା । ସାଣ୍ଡିକୁ ପଚାରଉଚାର ବେଳେ ସେ ଚଙ୍କି ପାଣ୍ଡେ, ସାଗର ବାହାଦୂରଙ୍କ ସମେତ ଏସକେ ସମୀରଙ୍କ ନାମ ମଧ୍ୟ କହିଥିଲା । ସେହି ଦିନ ଠାରୁ ପୋଲିସ ତାଙ୍କୁ କାବୁ କରିବା ପାଇଁ ଜାଲ ବିଛାଇଥିଲା । ଆଜି ସାଣ୍ଡିର ସହଯୋଗୀ ସମୀର ବ୍ରାଉନ ସୁଗର ବିକ୍ରି କରିବାକୁ ଯାଉଥିବା ଖବର ମିଳିବା ପରେ ଅବକାରୀ ବିଭାଗର ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତ ଓ ଗିତାଞ୍ଜଳୀ ସାହୁ ଅନ୍ୟ କର୍ମଚାରୀ ମିଶି ତା’ର ଗିତିବିଧି ଉପରେ ନଜର ରଖିଥିଲେ । ପରେ ତାଙ୍କୁ ଡୁରା ନିକଟରେ କାବୁ କରିଥିଲେ । ଯାଞ୍ଚ ବେଳେ ତାଙ୍କ ନିକଟରୁ ୧୦୦ ଗ୍ରାମ ବ୍ରାଉନ ସୁଗର ସହ ସେ ପୂର୍ବରୁ ବ୍ରାଉନ ସୁଗର ବିକ୍ରି କରି ନିଜ ପାଖରେ ରଖିଥିବା ୪୫ ହଜାର ଟଙ୍କା ଜବତ କରିଥିଲେ । ଅଭିଯୁକ୍ତ ସମୀର ଏହି ବ୍ରାଉନ ସୁଗର ବାଲେଶ୍ୱରର ଜଳେଶ୍ୱରରୁ ଆଣିଥିଲା ବୋଲି ଜେରା ବେଳେ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇଥିଲା । ଜବତ ବ୍ରାଉନ ସୁଗରର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ବିଭାଗର ଡେପୁଟି କମିଶନର ଅଶୋକ ଶତପଥି କହିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା