ଦଶଟଙ୍କାରୁ ଅଧିକ ଯାହା ଫେରାଯିବ…

୧୯୯୫ରେ ଭାରତୀୟ ରେଳବାଇରେ ଏପରି ଏକ ବିଚିତ୍ର ନିୟମ ଥିବା ମୋତେ ଜଣାନଥିଲା । ଅବଶ୍ୟ ସେମିତି ପରିସ୍ଥିତିର କେବେ ସାମ୍ନା କରିଥିଲି ସେ ପର୍ଯ୍ୟନ୍ତ । ୨୦୧୪ରେ ପିଣ୍ଡ ଦାନ କରିବାକୁ ଗୟା ଯାଇଥିବା ସମୟରେ ଫେରିବା ବେଳେ ବାରଣାସୀରେ ସକାଳୁ ଷ୍ଟେସନ ପହଞ୍ଚିବା ବେଳକୁ ସେଇ ମାତ୍ର ଟ୍ରେନ୍ ଛାଡି ଦେଇଥିଲା, ଅଭିଯୋଗ କରିବାରୁ ଷ୍ଟେସନ କର୍ତ୍ତୃପକ୍ଷ ଅଳ୍ପ କିଛି(ବୋଧହୁଏ ୧୦%)କାଟି ଅବଶିଷ୍ଟାଶ ଫେରାଇଥିଲେ । ଏବେ ସେଇ ୧୯୯୫କୁ ଫେରିବା, ଇଲେକ୍ସନ ଡ୍ୟୁଟି ପଡ଼ିଥାଏ ଗଞ୍ଜାମ ଜିଲ୍ଲା ବେଗୁନିଆପଡାରେ । ମୁଁ ରହୁଥାଏ ଛତ୍ରପୁରରେ, ଆମେ ଦୁଇ ଅଫିସ ବନ୍ଧୁଙ୍କର ଏକାଠି ଡ୍ୟୁଟି ପଡ଼ିଥାଏ ବେଗୁନିଆପଡ଼ା ହାଇସ୍କୁଲରେ । ନିର୍ବାଚନ ପାଇଁ ଯିବା ଦିନ ଆମେ ଦୁଇ ବନ୍ଧୁ ଛତ୍ରପୁର ଷ୍ଟେସନରେ ପହଞ୍ଚିବା ବେଳକୁ ଗାଡି ଆସିବା ସମୟ ହୋଇ ଯାଇଥାଏ, ଛତ୍ରପୁରରୁ ଗୋଟିଏ ଷ୍ଟେସନ ଛାଡି ଖଲିକୋଟ, ଆମେ ସେଠାକୁ ଯାଇ ବସରେ ପୋଲସରା ଯାଇ ସେଠାରୁ ନିର୍ବାଚନ ଜିନିଷ ନେଇ ବେଗୁନିଆପଡ଼ା ଯିବୁ । ଟ୍ରେନ୍ ଆସିବା ସମୟ ହୋଇଯାଇ ଥିବାରୁ ଆଉ ଟିକଟ କରିବାକୁ ବେଳ ନଥିଲା । ଆମ ଅଫିସର(ଏକ ନିର୍ମାଣ ସଂସ୍ଥା) ୪ଜଣ ଜେଇଙ୍କର ସେଇ ନିର୍ବାଚନ ଉପଲକ୍ଷେ ପୋଲସରା ଯିବା କଥା, ସେମାନେ ଆଗରୁ ଆସି ଟିକଟ କରି ବସିଥାନ୍ତି, ମାତ୍ର ସେଦିନ ଟ୍ରେନ୍ ଆସିଲା ନାହିଁ, ଘଣ୍ଟାଏ ପରେ ମଧ୍ୟ । ବାତିଲ ହୋଇଥିବା ଜାଣି ଜେଇମାନେ ଟିକଟ କାଉଣ୍ଟରକୁ ଗଲେ ପଇସା ଫେରସ୍ତ ନିମନ୍ତେ । କିନ୍ତୁସିଏ ଯାହା କହିଲେ ଶୁଣି ଆସି ଆମକୁ ବ୍ୟସ୍ତ ହୋଇ କହିଲେ । ସେତେବେଳେ ରେଳବାଇ ନିୟମାନୁଯାୟୀ ଟିକଟ ଦାମ୍ ଟ୧୦/-ରୁ ଯାହା ଅଧିକ ହୋଇଥିବ ଫେରସ୍ତ ହେବ ନଚେତ୍ ନାହିଁ । ଆମ ଅଫିସଟି ଏକ ନିର୍ମାଣ ସଂସ୍ଥା ହୋଇଥିବାରୁ ଜେଇମାନଙ୍କର କ୍ଷମତା, ପ୍ରତିପତ୍ତି ବହୁ ଅଧିକ, ସେମାନେ ନିଜକୁ କେତେ ବଡ଼ ଭାବନ୍ତି ତା’ର ଠିକଣା ନାହିଁ, ଜେଇ ବୋଲି ଭାରୀ ଗର୍ଵ । ମୁଁ ମନେ ମନେ ଭାବେ ପାଠରେ (ସ୍ନାତକ, ସ୍ନାତକୋତ୍ତର) ତ ଆମଠୁ କମ୍ଏତେ ଫୁଟାଣି କ’ଣ ପାଇଁ, ନିର୍ମାଣ ସଂସ୍ଥାହେତୁ କ୍ଷମତା, ଅର୍ଥ ସବୁ ଥାଏ ହାତରେ ସେଇଯୋଗୁ ଏପ୍ରକାର ଭାବ । ଅଵଶ୍ୟ ଅନେକ ଭଲ ଲୋକ ଥାନ୍ତି ସେମାନଙ୍କ ମଧ୍ୟରେ, ତଥାପି ଏସବୁ ଥାଏ ମୋ ମନରେ । ୪ଜଣ ଜେଇ ଯେତେବେଳେ ରେଳବାଇର ନିୟମ କଥା କହିଲେ ମୁଁ କହିଲି, ହଁ ଫେରାଇବନି କାହିଁକି, ଆପଣମାନେ ଟ୭/-ଲେଖାଏଁ ଦେଇଛନ୍ତି ତାଙ୍କ ନିୟମ ଅନୁସାରେ ଆଉ ଟ୪/- ଲେଖାଏଁ ଦେଇଦିଅନ୍ତୁ, ଟ୧୧/- ହୋଇଯିବ, ଟଙ୍କାଏ ଲେଖା ରେଳବାଇ ଫେରାଇ ଦେବ । ହଠାତରେ ସେମାନେ ହଁ ମାରିଲେ, ଟିକିଏ ପରେ ଵୁଝିଯାଇ କହିଲେ ଏମିତି କ’ଣ କହୁଛନ୍ତି, ମୁଁ କହିଲି ତାଙ୍କ ନିୟମ ରହିଥାନ୍ତା ଇଆଡ଼େ ପଇସା ମଧ୍ୟ ଫେରାଇ ଥାନ୍ତେ, ନହେଲା ନାହିଁ, ତମେ କାହିଁକି ଟିକଟ କରୁଥିଲ କି, ଜେଇ ଦେଖେଇ ହେଉଛନ୍ତି ! ସର୍ବଦା ନିଜ ପଦବୀକୁ ନେଇ ଫୁଟାଣି ମାରୁଥିବା ବ୍ୟକ୍ତିମାନଙ୍କୁ କଥାଟା ଟିକେ ବାଧିଲା, ମାତ୍ର କିଛି କହିପାରିଲେ ନାହିଁ । ଆଉ ଟ୍ରେନ୍ ନଥିବାରୁ ଆମେ ସମସ୍ତେ ୧କି.ମି. ଦୂର ମେନ ରୋଡକୁ ଆସିଲୁ ବିକଳ୍ପ ସନ୍ଧାନରେ । ସେଠାରେ ଗୋଟେ ଟ୍ରେକର ପୋଲସରା ଯିବାକୁ ଟ୧୨୦୦/-କହିଲା, ଅଗତ୍ୟା ଏତେ ଟଙ୍କା ଦେଇ ଯିବାକୁ ନାରାଜ ସବୁବେଳେ ପଇସାକୁ ନେଇ ଗର୍ଵକରୁଥିବା ତଥାକଥିତ ବ୍ୟକ୍ତିଗଣ, ଜଣାପଡିଥିଲା ଶୁଖିଲା ଫୁଟାଣି । ତା’ପରେ ସମସ୍ତେ କଥା ହୋଇ କଲେକ୍ଟର ଅଫିସକୁ ଗଲୁ କିଛି ଗାଡି ଯୋଗାଡ଼ ସକାଶେ । ଆମ କଥା ଶୁଣିବା ପରେ କଲେକ୍ଟର ଅଫିସ, ପଛଆଡେ ତମ୍ବୁଟଣା ହୋଇଥିବା ଏକ ୪୦୭ ଟାଟା ଗାଡ଼ି ଯୋଗାଇ ଦେଲେ ପୋଲସରା ଯିଵା ନିମନ୍ତେ । ନିର୍ବାଚନ ସମୟରେ ଏମିତିସଵୁ ଗାଡି ରିଜର୍ଭ ରଖାଯାଇଥାଏ ଜରୁରୀ ଆବଶ୍ୟକତା ସକାଶେ । ଆମକୁ ପୋଲସରା ଛାଡି ସାରିଲେ ତା’ର ପୁଣି ଅନ୍ୟ ଡ୍ୟୁଟି କରିବ, ଏଇ ଉଦ୍ଦେଶ୍ୟରେ ଡ଼୍ରାଇଭର ଆମକୁ କହିଲା ଆପଣମାନେ ଜିନିଷପତ୍ର ଧରି ସୁବିଧାରେ ବସନ୍ତୁ, ମୁଁ ଶୀଘ୍ର ଯାଇ ଫେରିବି, ଏତକ କହି ସିଏ ବଡ ବେଗରେ ଗାଡ଼ି ଛାଡିଲା । ଜାତୀୟ ରାଜପଥରେ ଗାଡ଼ିର ବେଗ ଆହୁରି ବଢିଗଲା । ଜେଇ ମାନଙ୍କ ମଧ୍ୟରୁ ଜଣେ ଗୋଟିଏ ଫୁଟପାଥ୍ ଆଟାଚି ନେଇଥିଲେ, ଗାଡ଼ିର ଧଡକଚରେ ସେ ଆଟାଚିର ହାଣ୍ଡଲ ଉପୁଡ଼ି କୁଆଡେ ପଳାଇଗଲା, ଅନ୍ୟ ଜେଇମାନେ କହିଲେ ଏବେ ଓହ୍ଲାଇଲେ ଦାଦନ ଶ୍ରମିକ ଭଳି ଆଟାଚି ଵୋହିଵୁ, ସେହି ବ୍ୟକ୍ତି ଏବେ କିଛି ମାସ ତଳେ ପ୍ରଖ୍ୟାତ ହୋଇ ଯାଇଥିଲେ ନିଜ କର୍ମଵଳରେ । ଯାହା ହେଉ ଆମେ ପୋଲସରାରେ ପହଞ୍ଚି ଗଲୁ, ସେଠାରୁ ନିର୍ବାଚନ ଜିନିଷପତ୍ର ଧରି ଯେ ଯାହା ଗନ୍ତବ୍ୟ ସ୍ଥଳକୁ ଯିବେ । ଆମେ ଦୁଇ ବନ୍ଧୁ ବେଗୁନିଆ ପଡ଼ା ଉଦ୍ଦେଶ୍ୟରେଚାଲିଲୁ, ଜେଇମାନେ ମଧ୍ୟ ସେମାନଙ୍କ ଗନ୍ତବ୍ୟସ୍ଥଳୀକୁ ଗଲେ । ଏବେ ସେଠାରେ କିଛିନିର୍ବାଚନ ଅନୁଭୂତି । ସେଥର ପହଞ୍ଚିବା ଦିନ(ପ୍ରାୟ ସନ୍ଧ୍ୟା/ରାତି ହୋଇଯାଏ) ବାଦ ଦେଲେ ୨ଦିନ ପରେ ନିର୍ବାଚନ । ସେତେବେଳକୁ ଆମେ ୪ ଥର ପ୍ରିଜାଇଡିଙ୍ଗ ଅଫିସର ଭାବେ ଯାଇଥିବାରୁ ପ୍ରାୟ ସବୁ କାମ ଜାଣିଥାଉ, ତେଣୁ ଆମେ କୈାଣସି କାମ ନକରି ଖାଲି ବୁଲିଲୁ ଦୁଇ ଦିନ କାଳ, ଅଵଶ୍ୟ ନିର୍ବାଚନ ପୁର୍ବଦିନ ନିର୍ବାଚନର ପ୍ରାକ ପ୍ରସ୍ତୁତି ସ୍ବରୁପ କାଗଜପତ୍ର କାମ ସଵୁ ସାରି ଦେଇଥିଲୁ ଦିନବେଳା, କାରଣ ସେ ସମୟରେ ସେ ସ୍କୁଲରେ ବିଦ୍ୟୁତ୍ ନଥିଲା ପ୍ରକାଶ ଥାଉ ସେ ସମୟରେ ଆଜିକାର ପରି ଇଭିଏମ୍ ନଥିଲା, ବାଲଟ ପେପରରେ ଭୋଟ ହେଉଥିଲା । ମୋ ବୁଥରେ ଭାଗ୍ୟକୁ ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ ୨ୟ ପୋଲିଂ ଅଫିସର (ଉଲ୍ଲେଖଯୋଗ୍ୟ ଏକମାତ୍ର ନିର୍ବାଚନ ସମୟରେ ଦରମା, ପଦବୀ ନିର୍ବିଶେଷରେ ସମସ୍ତେ ଅଫିସର) ପଡ଼ିଥିଲେ ଯାହାଙ୍କୁ ଭଲ ରୋଷେଇ ଆସେ, ତେଣୁ ୩/୪ଦିନ ପାଇଁ ଆମର ରୋଷେଇ ଚିନ୍ତା ନଥିଲା । ଆମ ଦୁଇବୁଥ୍ (ମୋର ଓ ବନ୍ଧୁଙ୍କର)ର ରୋଷେଇ ଚିନ୍ତା ନଥିଲାଏବଂ କାମ ଭଲ ଭାବେ ଜଣାଥିଲା, ଅତଏବ ଆମେ ଦୁଇଜଣ ଯେତେପାରୁ ବୁଲିଲୁ । ସେଇସ୍କୁଲରେ ଏକ ତୃତୀୟ ବୁଥ୍ ଥିଲା, ଯାହାର ପ୍ରିଜାଇଡିଙ୍ଗ ଅଫିସର ପଡ଼ିଥିଲେ ସଦ୍ୟ ଅଧ୍ୟାପକ ଚାକିରୀ ପାଇଥିବା ଜଣେ ଯୁବକ କିନ୍ତୁ ତାଙ୍କୁ କିଛି କାମ ଜଣାନଥିଲା, ତେଣୁ ସେ ସବୁଦିନ, ସବୁବେଳେ ଲଣ୍ଠନ ଲଗାଇ ନିର୍ବାଚନ ପୁସ୍ତିକାକୁ ପଡୁଥିଲେ । ମାତ୍ର ସେଥିରେ କିଛି କାମ ନଥିଲା, କାରଣ ସେଗୁଡା ସବୁ ପୋଥିଗତ ବିଦ୍ୟା ନୁହେଁ, ଅଭିଜ୍ଞତା ପ୍ରସୂତ । ନିର୍ବାଚନ ଦିନ ସବୁ କାମ ସୁରୁଖୁରୁରେ ହୋଇଗଲା, ସନ୍ଧ୍ୟା ୫ଟା ବେଳକୁ ଆମେ ଦୁଇ ଵୁଥ ଯାକ ସବୁ କାମ ସାରି ୫.୨୦ ସୁଦ୍ଧା ଭୋଟ ବାକ୍ସ ସିଲ୍ କରି ଗାଡ଼ି ଆସିଲେ ଫେରିବାକୁ ପ୍ରସ୍ତୁତ, ମାତ୍ର ଦେଖିଲା ବେଳକୁ ତୃତୀୟ ବୁଥର କିଛି କାମ ସରିନଥାଏ, ୩ଟି ଯାକ ବୁଥ୍ ଏକ ସଙ୍ଗେ ଫେରିବାକୁ ବାଧ୍ୟ । ଅଗତ୍ୟା ଆମେ ଦୁଇ ଵୁଥର ସମସ୍ତେ ଲାଗି ପଡିଲୁ ତାଙ୍କ କାମ ସାରିବାରେ ଯାହାହେଉ ସନ୍ଧ୍ୟା ୬.୦୦ସୁଦ୍ଧା କାମ ସରିଗଲା,୧୦ ମିନିଟ ପରେ ଗାଡି ଆସିଲା ଓ ଆମେ ସମସ୍ତେ ଏକା ସଙ୍ଗେ ଫେରିଲୁ, ସେ ଅଧ୍ୟାପକ ଆମକୁ ବହୁତ ବହୁତ ଧନ୍ୟବାଦ୍ ଦେଇଥିଲେ । ଏଇଠି କଥାଟିଏ ନ କହିଲେ ଅଧୁରା ରହିଯିବ, ମୋ ବନ୍ଧୁଙ୍କ ଵୁଥରେ ଛତ୍ରପୁର ନିକଟର ଗୋଟିଏ ପିଲା ଅସ୍ଥାୟୀ ପୋଲିସ ହିସାବରେ ଆସିଥିଲା, ସନ୍ଧ୍ୟା ୫ଟା ପୂର୍ବରୁ ତାଙ୍କ ଗାଡ଼ି ଆସିଗଲା, ତାକୁ ରିଲିଭ କରିବାକୁ ବନ୍ଧୁ (ତା’ର ପ୍ରିଜାଇଡିଙ୍ଗ ଅଫିସର)ମନା କଲେ ସମୟ ହୋଇନି କହି, ସେ ପିଲା ମୋ ପାଖକୁ ଆସି କହିଲା ରିଲିଭ କରିବାକୁ, ମୁଁ ପଚାରିଲି, ତୁ ତ ଅନ୍ୟ ବୁଥର, ମୁଁ କଲେ କ’ଣ ହେବ ? ସେତକ ସମୟ ଆମ ପାଖରେ ସେ କ୍ଷମତା ଥାଏ । ସେ କହିଲା ହଁ ଆଜ୍ଞା ଆପଣ ମଧ୍ୟ କରି ଦେଲେ ହେବ, ଅଗତ୍ୟା ମୁଁ ଦସ୍ତଖତ କରି ତାକୁ ରିଲିଭ କରିଦେଲି, ସିଏ ତା ଗାଡିରେ ଚାଲିଗଲା । ଅନେକ ଦିନ ଯାଏ ସେ କଥା ସିଏ ମନେ ରଖିଥାଏ, ବାଟରେ ଯେତେବେଳେ ଦେଖା ହେଲେ ନମସ୍କାର କରି କହେ ସାର ଆପଣ ସେ ଦିନ କେତେ ସାହାଯ୍ୟ କରିଥିଲେ, ନହେଲେ ସେଦିନ ମୁଁ ଆସି ପାରିନଥାନ୍ତି, ପାଖରେ ଥିବା ଅନ୍ୟମାନଙ୍କୁ ମଧ୍ୟ ଏକଥା କହେ । କ୍ଷମତା ସୀମିତ, ସେଇ ପରିପ୍ରେକ୍ଷୀରେ ଯଦି ଆମେ କାହାକୁ ଯଥାସାଧ୍ୟ ସାହାଯ୍ୟ କରିଥିବା ବା କାହାର କାମରେ ଆସିଥିବା ସେଇଟା ହିଁ ସବୁଠୁ ବଡ଼କଥା, ତା’ର ମହତ୍ତ୍ଵ ଅନେକ, ଏକଥା ସମସ୍ତେ ମନେ ରଖିବା ଉଚିତ୍ ।

ଲେଖକ : ଜୟନ୍ତ ପଟ୍ଟନାୟକ