ହୁମ୍ବର ଗାଁରେ ଯଜ୍ଞ-ପ୍ରତିଷ୍ଠାତ୍ସୋବ: ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଆରମ୍ଭ

ଛତ୍ରପୁର(ସମୃଦ୍ଧଓଡିଶା) ଛତ୍ରପୁର ନିକଟସ୍ଥ ହୁମ୍ବର ଗ୍ରାମରେ ଶ୍ରୀଶ୍ରୀ ଷଢ଼ଭୂଜ ଗୌରାଙ୍ଗ ଓ ନିତାଇ ଗୌର ବିଗ୍ରହ ଏବଂ ନବନିର୍ମିତ ମନ୍ଦିର ପ୍ରତିଷ୍ଠାତ୍ସୋବ ନିମନ୍ତେ ଶୁକ୍ରବାର ଦୀକ୍ଷାଗ୍ରହଣ ଓ ଅଙ୍କୁରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇ ଶନିବାର ଜଳଯାତ୍ରା ସମ୍ପନ୍ନ ହୋଇଛି । ଗ୍ରାମରେ ଭକ୍ତି-ଭାବପୂର୍ଣ୍ଣରେ ଗହଳ ଚହଳ ଦେଖାଦେଇଛି । ଗ୍ରାମରେ କଳସ ଯାତ୍ରା ସମ୍ପନ୍ନ ହେବାପରେ ରବିବାର ପ୍ରାତଃ ରୁ ମନ୍ଦିର ପ୍ରତିଷ୍ଠାତ୍ସୋବ ନିମନ୍ତେ ନାମଯଜ୍ଞ,ଅନ୍ନଯଜ୍ଞ,ଘୃତଯଜ୍ଞ ଆରମ୍ଭ ହୋଇ ଗାଁ ସାରା ଉତ୍ସବମୁଖର ହୋଇଉଠିଛି । ଶହଶହ ଲୋକ ତଥା ଅଗଣିତ ଭକ୍ତ ଆନନ୍ଦ ବଜାରରେ ଅନ୍ନ-ପ୍ରସାଦ ଖାଇ ଭକ୍ତି ମନରେ ଆନନ୍ଦ ଲାଭ କରିଛନ୍ତି । ରବିବାର ପ୍ରଭାତରୁ ଯଜ୍ଞାନୁଷ୍ଠାନ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ।ଯାହାକି ଶାଲାପୂଜା,ଗୋ-ପୂଜା, ନାମଯଜ୍ଞ ଯଥାରୀତିରେ ସୂର୍ଯ୍ୟ-ଉଦୟରୁ ଆରମ୍ଭ ହୋଇଛି ବୋଲି କଳିଙ୍ଗ ଯୋଗ ସମ୍ରାଟ ଜ୍ୟୋତିଷରତ୍ନ ପଣ୍ଡିତ ତୁମ୍ବନାଥ ତ୍ରୀପାଠୀ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ’ ଶନିବାର ପୂର୍ବାହ୍ନରେ ଋଷିକୂଲ୍ୟା ନଦୀ ରୁ ବର୍ଣ୍ଣାଢ଼୍ୟ ପଟୁଆରରେ ନିଆରା ପରମ୍ପରା କ୍ରମେ କଳସ ରେ ଜଳ ଅଣାଯାଇଛି । ଜଳଯାତ୍ରାରେ ପାଞ୍ଚଶହ ଏକ ଜଣ ପତିବ୍ରତା ନାରୀ ଏହି ଜଳଯାତ୍ରାରେ ଅଂଶଗ୍ରହଣ କରିଥିଲେ । ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମସ୍ତକରେ ଧରି ମହିଳାମାନେ କଳସରେ ଜଳ ଆଣି ଯଜ୍ଞାନୁଷ୍ଠାନରେ ଜଳଲାଗି କରିଛନ୍ତି । ଏହି ଜଳଯାତ୍ରା ବେଳେ ଶହସ୍ରାଧିକ ଭକ୍ତ-ଗ୍ରାମାଭିମୁଖୀ ହୋଇଛନ୍ତି । ବିଭିନ୍ନ ବାଦ୍ୟଧ୍ଵନିରେ ହରିବୋଲ, ଶଙ୍ଖ,ହୁଳାହୁଳି ଧ୍ୱନିରେ ପ୍ରକମ୍ପିତ ହୋଇ ଗ୍ରାମରେ ଉତ୍ସବ ମୁଖର ହୋଇଉଠିଥିଲା । ଆଜି ସକାଳୁ ସକାଳୁ ଆନନ୍ଦର କୋଳାହଳ ଆଧ୍ୟାତ୍ମିକ ବାତାବରଣ କୁ ଦ୍ଵିଗୁଣିତ କରି ଅତୀବ ଉତ୍ସବରେ ମୁଖରୀତ କରିଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା