ହକି ବିଶ୍ୱକପ ପାଇଁ ଟିକଟ ନ ମିଳିବାରୁ କଳିଙ୍ଗ ଷ୍ଟାଡିୟମରେ ବ୍ୟାପକ ଭଙ୍ଗାରୁଜା:ଟିକଟ କଳା ବଜାର ଅଭିଯୋଗ …

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ ତାରିଖରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍‌। ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ପାଇଁ ଆଜି ୯ ନମ୍ବର ଗେଟ୍‌ କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବାର ଥିଲା । ହେଲେ ଟିକେଟ୍‌ ବିକ୍ରି ନହେବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି କିଛି ଉତ୍ତ୍ୟକ୍ତ ଆଶାୟୀ କଳିଙ୍ଗ ଷ୍ଟାଡିୟମରେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଆଜି ବିଶ୍ୱକପ୍‌ ହକି ଉଦଘାଟନୀ ଉତ୍ସବର ଟିକେଟ୍‌ ବିକ୍ରି ହେବ ବୋଲି ପୂର୍ବରୁ କ୍ରୀଡ଼ା ସଚିବ ବିଶାଳ ଦେବ ଘୋଷଣା  କରିଥିଲେ। ୧୫ ତାରିଖରୁ ଟିକେଟ୍ ମିଳିବ ବୋଲି କୁହାଯାଇଥିଲା । ଆଉ ଏହାର ଦାମ ୫ ଶହ ଟଙ୍କା ରହିବ ବୋଲି ସଚିବ ପ୍ରେସ୍‌ମିଟରେ ସୂଚନା ଦେଇଥିଲେ । ଗତକାଲି ରାତିରୁ ହଜାର ହଜାର ହକି ପ୍ରେମୀ ଉତ୍ସାହର ସହିତ ଟିକେଟ୍‌ ଆଶାରେ କାଉଣ୍ଟର ସାମ୍ନାରେ ଲାଇନ୍‌ ଲଗାଇଥିଲେ। ହେଲେ ଟିକେଟ୍ ବିକ୍ରି ନଥିଲା । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ କାଉଣ୍ଟର ସାମ୍ନାରେ ଥିବା ପୋଷ୍ଟର ଓ ବାରିକେଡ୍ ଭଙ୍ଗାରୁଜା କରିଥିଲେ । ପୂର୍ବରୁ ଭାରତ ଖେଳିବାକୁ ଥିବା ମ୍ୟାଚ ଗୁଡ଼ିକର ଟିକେଟ୍ ମଧ୍ୟ କାଉଣ୍ଟରରେ ମିଳି ନ ଥିଲା। ଏଥିଯୋଗୁ ହକି ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା ।

ରିପୋର୍ଟ : ଶରତ ବେହେରା