ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରସଙ୍ଗରେ ସାହିତ୍ୟ ଆସର!…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଛତ୍ରପୁର ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରସଙ୍ଗ ଭିତ୍ତିକ ଓ ପ୍ରସ୍ତୁତି ଉପରେ ଏକ ଆଲୋଚନାଚକ୍ର ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡିଙ୍ଗରୁମର ସେମିନାର ହଲରେ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ସଙ୍ଗୀତ ଭୂଷଣ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ ବେଦଧ୍ୱନି ଓ ମନ୍ତ୍ରପାଠ କ୍ରମେ ବିଶ୍ୱନିୟନ୍ତା ଭଗବାନ ଶ୍ରୀ ଜଗନ୍ନାଥ ପ୍ରତିକୃତ୍ତିରେ ମାଲ୍ୟାର୍ପଣ ସହ ଧୂପଦୀପ ଜଳାଇ ଏହାକୁ ଆନୁଷ୍ଠାନିକ ଭାବେ ଅତିଥୀମାନେ ଉନ୍ମୋଚନ କରିଥିଲେ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜିତସେଠୀଙ୍କ ସଂଯୋଜନାରେ ତାଙ୍କ ଛାତ୍ର ଛାତ୍ରୀଗଣଙ୍କଦ୍ୱାରା ଦେଶାତ୍ମବୋଧକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ଅତ୍ୟନ୍ତ ପ୍ରଶଂସନୀୟ ହୋଇଥିଲା । ଛତ୍ରପୁର ସାହିତ୍ୟ ସଂସଦର ସମ୍ପାଦକ ଦିଲୀପ କୁମାର ପଲେଇ ଅତିଥିମାନଙ୍କ ପରଚୟ ପ୍ରଦାନ କରିଥିଲେ । ଛତ୍ରପୁର ସାହିତ୍ୟ ସଂସଦର ସଭାପତି ଆଡଭୋକେଟ ବ୍ରଜମୋହନ ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରଥମ ଅଧିବେଶନରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଇଂ.ରାମଚନ୍ଦ୍ର ପଟ୍ଟନାୟକ ଉଦଘାଟନୀ ଭାଷଣ ପ୍ରଦାନ କରି ଉଦ୍ୟକ୍ତାଙ୍କ ଭୂୟସୀ ପ୍ରସଂଶା କରିଥିଲେ । ବରେଣ୍ୟ ଅତିଥୀ ଭାବେ ଉଚ୍ଚମାଧ୍ୟମିକ ଶିକ୍ଷାପରିଷଦ ଦକ୍ଷିଣାଞ୍ଚଳ, ବ୍ରହ୍ମପୁରର ଉପ-ସଚିବ ଡ଼ଃ.କୁଳମଣି ଓଝା, ମୁଖ୍ୟବକ୍ତା ଭାବେ କଳିଙ୍ଗ ସାହିତ୍ୟ ସମାଜର ଉପ-ସଭାପତି ଡ଼ଃ ବନମାଳି ପାଣିଗ୍ରାହୀ, ମୁଖ୍ୟ ଅତିଥୀ ଭାବେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ସମ୍ମାନୀତ ଅତିଥୀଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ ପରିଡ଼ା ପ୍ରମୁଖ ଯୋଗଦେଇ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତୀର ଅବଦାନ ଏକ ଅନନ୍ୟ ସ୍ମରଣୀୟ ବୋଲି ଆଲୋକପାତ କରିଥିଲେ । ଡ଼ଃ. ରାଜେନ୍ଦ୍ର ଦାସ ପ୍ରଥମ ଅଧିବେଶନ ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ । ମଧ୍ୟାହ୍ନ ବିରତି ପରେ ଦ୍ୱିତୀୟ ଅଧିବେଶନରେ କଳିଙ୍ଗ ସାହିତ୍ୟ ସମାଜର ସଭାପତି ଡ଼ଃ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ସଭାପତିତ୍ୱରେ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଡ଼ଃ.ଭି.ରାଜେନ୍ଦ୍ର ରାଜୁ,ଫୁଲବାଣୀ ସରକାରୀ ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ ସୁଜିତ କୁମାର ପଣ୍ଡା, ପୂର୍ଵତନ ବିଧାୟକ ଅଶୋକ କୁମାର ଚୌଧୁରୀ,ପ୍ରାଧ୍ୟାପକ ଧରଣୀଧର ପଣ୍ଡା, ଡ଼ଃ.କୁଳମଣି ଓଝା ପ୍ରମୁଖ ଯୋଗଦେଇଥିଲେ । ଜାତୀୟ ମୁକ୍ତି ସଂଗ୍ରାମରେ ଗଞ୍ଜାମର ଭୂମିକା ଅତୁଳନୀୟ ଓ ଅବିସ୍ମରଣୀୟ ! ପାରଳାଖେମୁଣ୍ଡିର ସୌରାମେଳି ଯାହା ଅବିଭକ୍ତ ଗଞ୍ଜାମ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ମାନଙ୍କର ବଳିଦାନର ଇତିହାସ ଅତ୍ୟନ୍ତ ମହନୀୟ ଏବଂ ସ୍ମରଣଯୋଗ୍ୟ ବୋଲି ବିଶିଷ୍ଟ ବକ୍ତାମାନେ ଏହି ଦିବସରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ତୃତୀୟ ଅଧିବେଶନରେ ଶିକ୍ଷକ କୃଷ୍ଣ ଚନ୍ଦ୍ର ଦାଶ୍ ଏବଂ ଇଂ.ଉପାସନା ଆଚାର୍ଯ୍ୟଙ୍କ ସଂଯୋଜନାରେ ସ୍ୱାଧୀନ ଚିନ୍ତନ ପରିଭାଷା ସମ୍ବଳିତ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଶେଷରେ ଛତ୍ରପୁର ସାହିତ୍ୟ ସଂସଦର ଉପ-ସଭାପତି କେ.ସତ୍ୟନାରାୟଣ ରେଡ୍ଡୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା