ସ୍ୱାଧିନତାର ୭୪ବର୍ଷ ପରେ ବି ବାଉଁଶବଣୀକୁ ଅପହଞ୍ଚ, ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ : ପୁଅର ଶବକୁ କୋଳରେ ବୋହିଲେ ବାପା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ଉନ୍ନତିଲାଗି ମାଳ ମାଳ ଯୋଜନା କରୁଥିବା ବେଳେ ତାହାର ପ୍ରକୃତ ଚିତ୍ର ଦେଖିବାକୁ ମିଳୁଛି ଗ୍ରାମାଞ୍ଚଳରେ । ହଜାର ହଜାର କୋଟି ଟଙ୍କା ବିନିଯୋଗ ହେଉଛି ମାତ୍ର ତାହା ନେତା, ଯନ୍ତ୍ରୀ ଓ ଅଫିସରଙ୍କ ପକେଟ ଗରମ ହେଉଛି । ହେଲେ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଅବସ୍ଥା ଯେଉଁ ତିମିରକୁ ସେହି ତିମିର । ମହାତ୍ମାଗାନ୍ଧି ସ୍ୱପ୍ନ ଥିଲା ଭାରତର ବିକାଶ ଗ୍ରାମରୁହିଁ ହେବ । ତେବେ ନିର୍ବାଚନ ସମୟର ମିଠା ମିଠା ପ୍ରତିଶୃତି ପାଣିର ଗାର ପାଲଟି ଯାଏ । ଏପରି ଏକ ତଥ୍ୟ ସାମ୍ନାକୁ ଆସିଛି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ଉପାନ୍ତ ନେତୁଆ ପଂଚାୟତର ବାଉଁଶବଣୀ ଗ୍ରାମରେ । ଘଟଣାରୁ ପ୍ରକାଶ, ନେତୁଆ ପଂଚାୟତର ବାଉଁଶବଣି ଗାଁର ମୁଖ୍ୟ ରାସ୍ତାର ଉପରେ ୮୦ ପରିବାର ନିର୍ଭର କରନ୍ତି । କମାରଶାଳିଆ ଗାଁ ଠାରୁ ବାଉଁଶବଣି ଯାଏ ଯାଇଥିବା ୨ କି.ମି. ରାସ୍ତାର ଅବସ୍ଥା ଅବର୍ଣ୍ଣନୀୟ । ସାମାନ୍ୟ ବର୍ଷାରେ ଯାତାୟାତ ସଂପୂର୍ଣ୍ଣ ଠପ୍ । ଗାଁକୁ ଜରୁରୀକାଳିନ ସେବା ଆମ୍ବୁଲାନ୍ସ, ଦମକଳ ଇତ୍ୟାଦି ଯାଇପାରେ ନାହିଁ । ଏହାର ଏକ ନମୁନା କିଛିଦିନ ତଳେ ଉକ୍ତ ଗାଁକୁ ଦମକଳ ଗାଡି ଯାଇନପାରିବାରୁ ଦକମଳବାହିନୀକୁ ୨ କିମି ଚାଲିଚାଲି ଯିବାକୁ ପଡିଥିଲା । ସେହିଭଳି ଅନ୍ୟଏକ ଘଟଣା ଘଟିଥିଲା ସୋମବାର ରାତିରେ । ଗ୍ରାମର ଜଣେ ଚାଷୀ ଚନ୍ଦନ କୁମାର ଦାସଙ୍କ ୮ବର୍ଷର ପୁଅ ପ୍ରାଣକୃଷ୍ଣ ଦାସ ଗାଁ ସ୍କୁଲରେ ୩ୟ ଶ୍ରେଣୀରେ ପାଠ ପଢୁଥିଲେ । ସେ ସୋମବାର ଦିନ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ସଂଗେ ସଂଗେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଏକ ଅଜଣା ରୋଗରେ ତାର ପ୍ରାଣବାୟୁ ଉଡି ଯାଇଥିଲା । ମୃତ୍ୟୁପରେ ମୃତ ଶରୀରକୁ ଧରି ଘରକୁ ଆସିଥିବା ଆମ୍ବୁଲାନ୍ସ ରାସ୍ତାର ଦୂରାବସ୍ଥାଯୋଗୁଁ କମାରଶାଳିଆ ନିକଟରେ ଅଟକି ଯାଇଥିଲା । ତାର ବାପା ପୁଅର ଶବକୁ କୋଳରେ ଧରି ୨ କି.ମି. ରାସ୍ତା ଚାଲି ଚାଲି ରାତିରେ ଘରକୁ ନେଇ ଯାଇଥିଲେ । ଏଥିନେଇ ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀମାନେ ସରପଂଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହା ଅଦ୍ୟାବଧି ନିର୍ମାଣ ହୋଇନାହିଁ । ନିର୍ବାଚନ ଆସିଲେ ନେତାମାନେ ମିଠା ମିଠା ପ୍ରତିଶୃତି ଦେଇ ନିର୍ବାଚନ ବୈତରଣୀ ପାରି ହୋଇଥାନ୍ତି । ରାସ୍ତାଟି ଖାଲ ଖମାରରେ ଭରପୁର ହୋଇଥିବାରୁ ଅବିଳମ୍ବେ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା