ସୋମବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ: ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତାକାଲି ଅର୍ଥାତ ସୋମବାର ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆବଶ୍ୟକ ସଂଶୋଧନ ହେବ। ଏ ସଂକ୍ରାନ୍ତରେ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । କେବଳ ସେତିକି ନୁହେଁ, ପଞ୍ଚାୟତକୁ କ୍ଷମତା ହସ୍ତାନ୍ତର ନେଇ ଗତ ଶୁକ୍ରବାର ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ଯେଉଁ ସୁପାରିସ କରିଥିଲେ, ତାହା ଉପରେ ସରକାର ଠୋସ୍ ପଦକ୍ଷେପ ନେବେ । ଏଥିପାଇଁ ଏକ କ୍ୟାବିନେଟ୍ ନୋଟ୍ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ଗ୍ରାମାଞ୍ଚଳରେ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୋଠା ରକ୍ଷଣାବେକ୍ଷଣ ଓ ମରାମତି କରିବା ଦାୟିତ୍ୱ ଦିଆଯିବ । ଏହାସହିତ ସବଡିଭିଜନ୍‌ ହସ୍ପିଟାଲ୍‌ ଓ ମୁଖ୍ୟ ଚିକିତ୍ସାଳୟର ରକ୍ଷଣାବେକ୍ଷଣ ଯଥାକ୍ରମେ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ କରିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରାଥମିକ ସ୍ତରରେ କେଉଁ କେଉଁ କ୍ଷମତା ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରିବେ ତାର ତାଲିକା ପ୍ରସ୍ତୁତ କରି ମନ୍ତ୍ରୀସ୍ତରୀୟ କମିଟି ସୁପାରିସ କରିଛି ।

ରିପୋର୍ଟ : ଆକାଶ ମିଶ୍ର