ସେବାସମବାୟ ସମିତି ଓ ମିଲରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଚାଷୀଙ୍କ ଅନଶନ ଧର୍ମଘଟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧିନ ପାଇକସିଦା ସେବା ସମବାୟ ସମିତିରେ ମିଲର ମାନଙ୍କ ମନମୁଖୀ ଧାନ କିଣା ବିରୋଧରେ ଚାଷୀମାନଙ୍କ ପକ୍ଷରୁ ୬ଘଣ୍ଟିଆ ଅନଶନ ଧର୍ମଘଟ ଅନୁଷ୍ଠିତ ହୋଇ ଯାଇଛି । ଘଟଣାରୁ ପ୍ରକାଶ ସରକାର ଚାଷୀଙ୍କ ଠାରୁ ଧାନ କିଣିବା ଲାଗି ଅନ୍‌ଲାଇନ୍‌ରେ ନାମ ରେଜିଷ୍ଟ୍ରେସନ ଓ ସରକାରଙ୍କ ପକ୍ଷରୁ ଟୋକନ୍‌ର ବ୍ୟବସ୍ଥା କରାଯାଇଛି । ଏହି ଟୋକନ୍‌ର ଭେଲିଡିଟି ୩୦ଦିନ ହୋଇଥିବା ବେଳେ ସମିତିର ନିୟମ ଅନୁଯାଇ ଚାଷୀମାନେ କ୍ରମନ୍ନୟରେ ଧାନ ଦେଇଥାନ୍ତି । ହେଲେ ପାଇକସିଦା ସେବାସମବାୟ ସମିତିକୁ ସରକାରଙ୍କ ପ୍ରଦତ୍ତ ମିଲର ମାନେ ଆସୁନଥିବାରୁ ଚାଷୀମାନେ ଶୀତକାକରରେ ମଣ୍ଡିରେ ପଡିବାକୁ ବାଧ୍ୟ ହେଉଛନ୍ତି । ଏପରିକି କିଛି ଚାଷୀଙ୍କ ଟୋକନ୍ ତାରିଖ ଅତିବାହିତ ହୋଇ ଯାଇଥିବାରୁ ସେମାନେ ଧାନ ଦେବାରେ ବଂଚିତ ହେବାର ସମ୍ଭାବନା ରହିଛି । ତେଣୁ ଏହା ବିରୋଧରେ ଆଜି ସୋମବାର ଦିନ ୧୦.୩୦ରୁ ୪.୩୦ ପର୍ଯ୍ୟନ୍ତ ସମିତି ଆଗରେ ଚାଷୀଙ୍କ ପକ୍ଷରୁ ଧର୍ମଘଟ କରାଯାଇଥିଲା । ଏହି ଖବର ପାଇ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ଓ ଯୋଗାଣ ବିଭାଗର ଏମ୍‌.ଆଇ ସୀତାକାନ୍ତ ରାଉତ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିବା ପରେ ଅନଶନ ଭଂଗ ହୋଇଥିଲା । ଆସନ୍ତା ବୁଧବାର ସୁଦ୍ଧା ଅଧିକ ଧାନକିଣାରେ ଅଧିକ ଟାର୍ଗେଟ ଓ ମିଲରମାନେ ଧାନକିଣିବାକୁ ନ ଆସିଲେ ପୁଣି ଧର୍ମଘଟରେ ଚାଷୀମାନେ ବସିବେ ବୋଲି ଅନନ୍ତ କୁମାର ରାଉଳ, ରାମାନାଥ ଗିରି, ରାଜକୁମାର ରାଉତ, ଅକ୍ଷୟ ରଣା, ରାଧାଶ୍ୟାମ ଜେନା, ଗୌରାଙ୍କ ନାୟକ, ଦିଲ୍ଲିପ କୁମାର ଦେ, ଶ୍ରୀଧର ବେହେରା, ବିଦ୍ୟାଧର ସେନାପତି, ଚିନ୍ତାମଣି ବେହେରା, ଜଗବଂଧୁ ଜେନା ପ୍ରମୁଖ ୫୦ରୁ ଉର୍ଦ୍ଧ ଚାଷୀ ଏକ ଲିଖିତ ଚେତାବନୀ ଦେଇଛନ୍ତି ।