ସେପ୍ଟେମ୍ବର ମାସ ସୁଦ୍ଧା ଶେଷ ହେବ କରୋନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଦିନକୁ ଦିନ ଓଡ଼ିଶାରେ କରୋନା ଭୁତାଣୁ ସଂକ୍ରମଣକୁ ନେଇ ଉଦ୍‍ବେଗଜନକ ତଥ୍ୟ ମିଳୁଥିବା ବେଳେ ବର୍ତ୍ତମାନ କିଛିଟା ଆଶ୍ୱସ୍ତି ଆଣିବା ଭଳି ସୂଚନା ମିଳିଛି । ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଓଡ଼ିଶାକୁ କରୋନା ଭୁତାଣୁ ସଂକ୍ରମଣ କବଳରୁ ମୁକ୍ତି ମିଳିବ ବୋଲି କୁହାଯାଇଛି । ବର୍ତ୍ତମାନର ସ୍ଥିତି ଅନୁଶୀଳନ ପରେ ଆସନ୍ତା ଦୁଇ ତିନି ମାସ ଭିତରେ କରୋନା ସଂକ୍ରମଣ ନିୟନ୍ତ୍ରଣ ମଧ୍ୟକୁ ଆସିିଯିବ ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‍ଏସ୍‍) ନିର୍ଦେଶକ ଡ଼ ଅଜୟ ପରିଡ଼ା କହିଛନ୍ତି । ଅଗଷ୍ଟ ମାସରେ ସଂକ୍ରମଣ ହାର କିଛିଟା ଅଧିକ ରହିବ । ତେବେ ସେପ୍ଟେମ୍ବର ଶେଷ ବେଳକୁ ସଂକ୍ରମଣ ହାର ତଳକୁ ଖସି ଆସିବ । ଏହାସହ ଡ଼ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି ଯେ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ସରକାର କେବଳ ନିୟମ ଲାଗୁ କରିବା ସହ କଟକଣା ଜାରି କରିପାରିବେ । ଜନସାଧାରଣ ସହଯୋଗ କଲେ ସଂକ୍ରମଣ ହାର କମିବ ଆଉ କରୋନାକୁ ଖୁବ୍‍ ଶୀଘ୍ର ପରାସ୍ତ କରିହେବ । ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ବିପଦ ରହିଛି, କିନ୍ତୁ ଏହାକୁ ନେଇ ଲୋକେ ଆତଙ୍କିତ ହେବାର କାରଣ ନାହିଁ । କିଛି ଜିଲାରେ ଏବେ ସଂକ୍ରମଣ ବଢ଼ୁଥିବା ବେଳେ ଅନେକ ସ୍ଥାନରେ ସ୍ଥିରତା ଦେଖା ଦେଇଛି । ଚଳିତ ମାସ ସୁଦ୍ଧା ଏଥିରେ ସ୍ଥିରତା ଦେଖା ଦେବ । ତେଣୁ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା କରୋନା ସଂକ୍ରମଣ ନିିୟନ୍ତ୍ରଣକୁ ଆସିଯାଇ ଥିବ ବୋଲି ସେ କହିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା