ସୂର୍ଯ୍ୟାଲୋକ ସମାଜ ସେବା ସଂଗଠନ ପକ୍ଷରୁ ମନୁ ଜେନା ପରିବାରକୁ ସହାୟତା ପ୍ରଦାନ…

ଯାଜପୁର(ସମୃଦ୍ଧ ଓଡିଶା) ସମାଜରେ ବହୁ ନିଷ୍ପେସିତ ମଣିଷ ଅଛନ୍ତି ସେମାନଙ୍କୁ ଖୋଜି ବାହାର କରି ସେବା ମନଭାବରେ କିଛି ସଂକଳ୍ପବଦ୍ଧ ଯୁବକ ଆଗେଇ ଆସିଥିବା ଏକ ଶୁଭସୂଚନା ହସ୍ତଗତ ହୋଇଛି । ସେହି ଭଳି ଲୋକ ମାନଙ୍କ ପାଖରେ ସରକାରୀ ସ୍ତରରେ କୌଣସି ବ୍ୟକ୍ତି ପହଁଚିବା ବା କୋୖଣସି ସରକାରୀ ଯୋଜନା ପହଁଚିବା କଷ୍ଟକର ହୋଇଥିବାରୁ ଯାଜପୁର ଜିଲ୍ଲାରେ ଥିବା ଏକ ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ ସେବା ଆଜି ପହଞ୍ଚିଥିଲା ଦଶରଥ ପୁର ବ୍ଲକର ଚଷାଖଣ୍ଡ ଗ୍ରାମ ପାଖରେ ଥିବା ଏକ ସ୍ମଶାନରେ ରହୁଥିବା ମନୁ ଜେନାଙ୍କ ପରିବାର ନିକଟରେ । ସତରେ ତାଙ୍କ ପରିବାର କି ଦୟନୀୟ ଅବସ୍ଥାରେ ଅଛନ୍ତି ତାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ସୂର୍ଯ୍ୟାଲୋକ ସମାଜ ସେବା ସଂଗଠନ ପକ୍ଷରୁ ଦେବେନ୍ଦ୍ର ନାଥ ବଳ, ପ୍ରତାପ ନାୟକ, ସ୍ମୃତିରଞ୍ଜନ ସ୍ୱାଇଁ, ବସୁବନ୍ଧୁ ଦାସ, ଅମର ସାହୁ, ଚନ୍ଦ୍ରନାରାୟନ ଦାସ ଓ ସେକ ମମିନ ଅଲି ପ୍ରମୁଖ ମନୁ ଜେନାଙ୍କ ପରିବାର ପାଖରେ ପହଞ୍ଚି ସେମାନଙ୍କୁ ଚାଉଳ, ଡାଲି, ମୁଢି, ଚୁଡା, ସପ, କିଛି ନିତ୍ୟ ବ୍ୟବହୃତ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ପରବର୍ତ୍ତୀ ସମୟରେ ତାଙ୍କ ପରିବାର ପାଇଁ ସରକାରୀ ସ୍ତରରେ କି ସୁବିଧା ମିଳି ପାରିବ ସେଥିପାଇଁ ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି ।

ରିପୋର୍ଟ : ବସୁବନ୍ଧୁ ଦାସ