ସୁବର୍ଣ୍ଣା ମହାସଂଘର ସମସ୍ୟା ଦୂର ଲାଗି ନୂତନ କମିଟି ଗଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଞ୍ଚଳରେ ଛତୁଆ ବଣ୍ଟନକୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ଦୂର ପାଇଁ ଆଜି ବ୍ଳକ ସ୍ତରୀୟ ଫେଡେରେସନର ଏକ ଜରୁରୀ ବୈଠକ ଆହୁତ ହୋଇଥିଲା । ଜଳେଶ୍ୱର ବିଡିଓ ଦୀପ୍ତିରଂଜନ ସେଠୀ ଗତ ସୋମବାର ବ୍ଳକ କାର୍ଯ୍ୟାଳୟ ଫାଟକରେ ଫେଡେରେସନ୍ ପକ୍ଷରୁ ପଡିଥିବା ତାଲା ଖୋଲିବାକୁ ନିର୍ଦ୍ଦେଶ ଦେବା ସହିତ ଆଜି ସମସ୍ୟାର ସମାଧାନ ଲାଗି ପ୍ରତିଶୃତି ଦେଇଥିଲେ । ତେଣୁ ସିଡିପିଓ ନିହାରୀକା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ଅଦ୍ୟାବଧି କେତେକ ସଦସ୍ୟା ୩ଲକ୍ଷ ଟଙ୍କା ଦେବା ସହିତ ସଂପାଦିକା ବନ୍ଦିତା ଗିରି ୧.୫ ଲକ୍ଷ ଟଙ୍କାର ଆସବାପତ୍ର ଦେଇଥିବାରୁ ତାହା ନେବାଲାଗି ଆଲୋଚନା ହୋଇଥିଲା । ଶେଷରେ ପୁରୁଣା କମିଟିକୁ ଭାଂଗି ନୂଆ କମିଟି ଗଠନ ହୋଇଥିବାର ସିଡିପିଓ କହିଛନ୍ତି । ଏଥିରେ ପୁଷ୍ପଲତା ଦତ୍ତ ସଭାପତି ଓ ଭାରତୀ ପାଣିଗ୍ରାହୀ ସଂପାଦିକା ଭାବେ ମନୋନୀତ ହୋଇଥିବାରୁ ମହାସଂଘର ସମସ୍ତ କାଗଜପତ୍ର ହସ୍ତାନ୍ତର ଲାଗି ପୂର୍ବତନ ସଭାନେତ୍ରୀ ନିୟତୀ ରାଜଙ୍କୁ କୁହାଯାଇଛି । ଅନ୍ୟପକ୍ଷରେ ନିୟତି ରାଜଙ୍କ ପକ୍ଷରୁ ଏ ସମ୍ପର୍କରେ ଡବ୍ଲୁପିସି ୩୦୬୯୪ ତା ୧-୧୦-୨୧ ଅନୁଯାୟୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ତେଣୁ ସେ ଖାତା ଦେବା ନ ଦେବା ଲାଗି ଆଲୋଡନ ସୃଷ୍ଟି ହୋଇଛି । ବିଡିଓ ହସ୍ତକ୍ଷେପ କରିବେ ବୋଲି ଆଶା କରାଯାଉଛି ।

ରିପୋର୍ଟ : ଭୂପତି ପରିଡା