ସୁପ୍ରିମକୋର୍ଟଙ୍କ ରାୟ ପରେ ହୋମଗାର୍ଡଙ୍କ ପାରିଶ୍ରମିକ ବୃଦ୍ଧି

ନୁଆଦିଲ୍ଲୀ(ସମୃଦ୍ଧ ଓଡିଶା)ସୁପ୍ରିମକୋର୍ଟଙ୍କ ରାୟ ପରେ ହୋମଗାର୍ଡଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର I ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ରାଜ୍ୟ ସରକାର ହୋମଗାର୍ଡମାନଙ୍କର ଦୈନିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ଏପ୍ରିଲ ପହିଲାରୁ ପିଛିଲା ଭାବେ ଏହି ପାରିଶ୍ରମିକ ବୃଦ୍ଧି ହେବ । ହୋମଗାର୍ଡଙ୍କ ଦୈନିକ ପାରିଶ୍ରମିକ ୪୨୩ଟଙ୍କା ପରିବର୍ତ୍ତେ ୫୩୩ଟଙ୍କାକୁ ବୃଦ୍ଧି ପାଇଛି । ଆଜି ଗୃହ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି I ମାନ୍ୟବର ସୁପ୍ରିମକୋର୍ଟ ଗତ ମାର୍ଚ୍ଚ ୧୭ତାରିଖର ରାୟ ଦେଇଥିଲେ I ହୋମଗାର୍ଡ ମାନେ ଯେତିକି ଦିନ ଡ୍ୟୁଟି କରିବେ ସେମାନଙ୍କୁ ଅନୁରୂପ ଭାବେ ଦୈନିକ ୫୩୩ଟଙ୍କା ହିସାବରେ ପାରିଶ୍ରମିକ ମିଳିବ। ଆଉ ପ୍ରଚଳିତ ନିୟମ ଅନୁସାରେ ଯେଉଁ ସଂସ୍ଥା ଦ୍ୱାରା ହୋମଗାର୍ଡଙ୍କୁ ଡ୍ୟୁଟି ଦିଆଯିବ ସମ୍ପୃକ୍ତ ସଂସ୍ଥା ସେହି ପାରିଶ୍ରମିକ ପ୍ରଦାନ କରିବେ । ଏହି ନିର୍ଦ୍ଦେଶ ଦ୍ୱାରା ରାଜ୍ୟର ପ୍ରାୟ ୧୮ହଜାରରୁ ଅଧିକ ହୋମଗାର୍ଡ ଉପକୃତ ହେବେ I ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ବରି ଥାନା ଅଂଚଳର ହୋମଗାର୍ଡ ରଞ୍ଜନ କୁମାର ମଲ୍ଲିକ ଗତ ମେ’ ୩୦ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ସ୍ୱଳ୍ପ ଦରମାରେ ପରିବାର ପ୍ରତିପୋଷଣ କରିବା ସମ୍ଭବପର ହେଉ ନ ଥିବା ତଥା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପାରିଶ୍ରମିକ ବୃଦ୍ଧି ହେଉ ନ ଥିବା ପ୍ରତିବାଦରେ ସେ ରାଷ୍ଟ୍ରପତିଙ୍କ ନିକଟରେ ଇଚ୍ଛାମୃତ୍ୟୁ ପାଇଁ ଦାବି କରିଥିଲେ । ଶ୍ରୀ ମଲ୍ଲିକ ଏବେ ନିଖିଳ ଉତ୍କଳ ହୋମଗାର୍ଡ ମହାସଂଘର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ହୁଏତ ମଲ୍ଲିକଙ୍କ ଅନୁରୋଧକୁ ମଧ୍ୟ ଗୁରୁତ୍ୱ ଦିଆ ଯାଇଛି I