ଦୁଇ ଦିନରେ ଛେଚିବ ବର୍ଷା ସବୁ ଜିଲ୍ଲାରେ : ମୌସୁମୀ ଆସିଗଲା

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ଛୁଇଁଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୨ ଦିନ ମଧ୍ୟରେ ମୌସୁମୀ ବାୟୁ ସାରା ଓଡ଼ିଶାକୁ ପ୍ରବେଶ କରିବ । ଆଜି ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାକୁ ମୌସୁମୀ ପ୍ରବେଶ କରି ବର୍ଷା ଜାରି ରହିଛି। ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଆଗାମୀ ୨୪ ଘଣ୍ଟା ଭିତରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।ଦୁଇ ଦିନ ଭିତରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା। ତା’ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଛି। ଆଜି ସକାଳେ ଭୁବନେଶ୍ୱରର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି। ସେହିପରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଢେଙ୍କାନାଳ ଜିଲ୍ଲାର ଭୁବନରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଭୁବନରେ ୭୦.୦ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୬୬.୬, ଯାଜପୁରର ସୁକିନ୍ଦାରେ ୬୫.୦ ,ମାଲକାନଗିରିର କୋରଗୁଣ୍ଡାରେ ୬୧.୦, ଚିତ୍ରଗୁଣ୍ଡାରେ ୬୦.୦ ଓ  ସୁନ୍ଦରଗଡ଼ରେ ଟେଣ୍ଡାପଲିରେ ୫୮.୪ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେବାରୁ ସାଧାରଣ ଜନଜୀବନ ପ୍ରଚଣ୍ଡ ରୌଦ୍ରତାପ  ଯୋଗୁଁ ଅସ୍ତବ୍ୟସ୍ତ ହୋଇ ପଡିଥିଲା I