ସୁନ୍ଦର ଭାରତ ନିର୍ମାଣ ଆମ ସମସ୍ତଙ୍କ ଦାୟିତ୍ୱ ହେବା ଉଚିତ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତରତ୍ନ ଉପାଧିରେ ଭୂଷିତ ବିଖ୍ୟାତ ରାଷ୍ଟ୍ରନିତିଜ୍ଞ, ଆଇନଜ୍ଞ ଡ. ବି.ଆର୍ ଆମ୍ବେଦକର ୧୨୫ତମ ଜନ୍ମ ବାର୍ଷିକି ୨୦୧୫ ମସିହାଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜିର ଦିବସକୁ ‘ଜାତୀୟ ସମ୍ବିଧାନ ଦିବସ’ ରୂପେ ପାଳନ କରାଯାଇ ଆସୁଛି । ବାଲେଶ୍ୱର ଜିଲାର ଜଳେଶ୍ୱର ମ୍ୟୁନିସିପାଲଟିରରେ ଥିବା ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଭାଗ ପକ୍ଷରୁ ଆଜି ଶୁକ୍ରବାର ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ଏଥିରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ୟାମାଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଧାରଣ ଜନତାଙ୍କ ନିମନ୍ତେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ, ଚିନ୍ତା, ଭାବନା, ବିଶ୍ୱାସ ଓ ଧର୍ମ ଆଚରଣରେ ସ୍ୱାଧିନତା, ସୁବିଧା ସୁଯୋଗର ସମାନ ଅଧିକାର ସଂପର୍କରେ ସମ୍ବିଧାନରେ ଥିବା ନିୟମ ସଂପର୍କରେ ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋସ୍ନା ଘୋଷ ପୌରହିତ୍ୱ କରି ଜାତୀୟତାବାଦୀ ଭାରତୀୟ ସମ୍ବିଧାନର ପ୍ରଣେତା ଡଃ. ବି.ଆର୍ ଆମ୍ବେଦକରଙ୍କ ସ୍ମୃତିଚାରଣ କରି ସୁନ୍ଦର ଭାରତ ନିର୍ମାଣ ଆମ ସମସ୍ତଙ୍କ ଦାୟିତ୍ୱ ହେବା ଉଚିତ୍ ବୋଲି କହିଥିଲେ । ବିଭାଗୀୟ ମୁଖ୍ୟ ଶ୍ରବଣ କୁମାର ନାଥ ଯୋଗ ଦେଇ ସାମ୍ପ୍ରତିକ ଆଇନ୍ ବ୍ୟବସ୍ଥା ଓ ଲିଖିତ ଆଇନ୍ ବ୍ୟବସ୍ଥା ମଧ୍ୟରେ ତୁଳନାତ୍ମକ ବିଚାର ଆଲୋଚନା କରିଥିଲେ । ଅଧ୍ୟାପକ ରଣଜିତ୍ ବେହେରା ଅତିଥି ପରିଚୟ କରିଥିବା ବେଳେ ସାଧାରଣ ଜନତାଙ୍କ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଷାରାଣୀ ଦାସ, ସରୋଜ ମହାନ୍ତି, ଜ୍ଞାନରଞ୍ଜନ ଜେନା, ନିଶ୍ଚଳ ଘଡେଇ ବକ୍ତବ୍ୟ ରଖିଥିବା ବେଳେ ଛାତ୍ରଛାତ୍ରୀ ମାନସ ରଞ୍ଜନ ଜେନା, ଖୁଦିରାମ ମହାନ୍ତି, ଦୀନବନ୍ଧୁ କାମିଳା, ସସ୍ମିତା ଦେ, ଅର୍ଣ୍ଣପୂର୍ଣ୍ଣା ଜେନା, ବାସୁଦେବ ଗିରି, ଚନ୍ଦନ ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରରମ୍ଭରେ ଆଲୋକ ସିଂ ସଂଗୀତ ଗାନ କରିଥିବା ବେଳେ ଇତିଶ୍ରୀ ସାହୁ, ସ୍ମୃତିରେଖା ଧଳ, ଦୀପକ ଘଡେଇ, ବର୍ଷାରାଣୀ ଭୂୟାଁ, ରୁମୀ ମଲ୍ଲୀକ ମଞ୍ଚ ପରିଚାଳନା କରିଥିଲେ । ରୁକ୍‌ସାନା ଖାତୁନ୍ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା