ସି.ଆଇ.ଟି.ୟୁ, କୃଷକ ସଭା ଓ କ୍ଷେତ ମୁଲିଆ ସଂଗଠନ ପକ୍ଷରୁ ପ୍ରତିବାଦ ଦିବସ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) କରୋନା ମହାମାରୀରେ ଯେତେବେଳେ ସାରା ଦେଶରେ ଜୀବନ ଜୀବିକା ବିପର୍ଯ୍ୟସ୍ତ ଠିକ୍ ସେହି ସମୟରେ ଏହାର ସୁଯୋଗ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଜନ ବିରୋଧୀ ଅଧ୍ୟାଦେଶ ଓ ଆଇନ ଆଣିବାରେ ବ୍ୟସ୍ତ । ଶ୍ରମ ଆଇନ ଉଛେଦ, ଜାତୀୟ ସମ୍ପତ୍ତିକୁ ଘରୋଇକରଣ, ବ୍ୟାଙ୍କ ମିଶ୍ରଣ, ଠିକା ଶ୍ରମିକ ଉଛେଦ, କୃଷି ବିରୋଧୀ ଅଧ୍ୟାଦେଶ ପ୍ରଭୃତି ଆଣିବାରେ ବ୍ୟସ୍ତ । ଯାହା ଫଳରେ କୃଷି ଶ୍ରମିକ, ଶ୍ରମିକ, ପ୍ରବାସୀ ଶ୍ରମିକ ମାନଙ୍କୁ ଅକଥନୀୟ ନିର୍ଯାତନା ଦେଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛନ୍ତି । ସେହି ପରିପ୍ରେକ୍ଷୀରେ ସି.ଆଇ.ଟି.ୟୁ, କୃଷକ ସଭା, କ୍ଷେତ ମୁଲିଆ ସଂଗଠନ ତରଫରୁ ସର୍ବ ଭାରତୀୟ ସ୍ତରରେ ପ୍ରତିବାଦ ବିକ୍ଷୋଭର ଡାକରା ଦିଆଯାଇଥିଲା । ସେହି ଡାକରାରେ ଜଳେଶ୍ଵରର ବିଭିନ୍ନ ସ୍ଥାନରେ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଛି । ଜଳେଶ୍ଵର, ଚୁଡ଼ାମଣିପୁର, ଡେମୁରିଆ, ବାଇଗଣ ବାଡିଆ, ନାମ୍ପ, ସୁଗୋ, ରାଜପୁର, ଅଗ୍ରୱାଲ ଛକ, ଆର୍.ଆର୍.ପୁର, ପଞ୍ଚୁଘଣ୍ଟା, ଗୋପିମହନପୁର ପ୍ରଭୃତି ସ୍ଥାନରେ ୧୫ ଦଫା ଦାବି ଉପରେ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ସମସ୍ତଙ୍କ ପାଇଁ ମାଗଣା ଚିକିତ୍ସା ପ୍ରଦାନ, ସବୁ ଲୋକଙ୍କୁ ମୁଣ୍ଡ ପିଛା ୧୦କେଜି ଚାଉଳ ୬ ମାସ ପର୍ଯ୍ୟନ୍ତ ଦେବା, ସବୁ ପରିବାରଙ୍କୁ ୭୫୦୦ ଟଙ୍କା ୬ ମାସ ପ୍ରଯ୍ୟନ୍ତ ଦେବା, ରାଜ୍ୟ ସରକାର ଘୋଷଣା କରିଥିବା ନିଯୁକ୍ତି ବନ୍ଦ ନିଷ୍ପତ୍ତି ବାତିଲ କରିବା, ଠିକା କର୍ମଚାରୀମାନଙ୍କୁ ଛଟେଇ ବନ୍ଦ କରିବା, ସରକାରୀ ଉଦ୍ୟୋଗକୁ ଘରୋଇକରଣ ପ୍ରକ୍ରିୟା ବନ୍ଦ କରିବା, ବ୍ୟାଙ୍କ ମିଶ୍ରଣ ପ୍ରକ୍ରିୟାକୁ ବନ୍ଦ କରିବା, ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଟିକସ୍ କୁ ପ୍ରତ୍ୟାହାର କରିବା, ମନେରେଗା କାମରେ ଦୈନିକ ମଜୁରୀ ୬ ଶହ ଟଙ୍କା ଓ ୨ ଶହ ଦିନ କାମ ଦେବା, ସହରାଞ୍ଚଳରେ କାମର ଗ୍ୟାରେଣ୍ଟି ପାଇଁ ଆଇନ କରିବା, ଚାଷୀ ବିରୋଧୀ ଅଡିନାନସ୍ କୁ ବାତିଲ କରିବା, ସଂଶୋଧିତ ବିଦ୍ୟୁତ ଆଇନ ଓ ଲେବର କୋଡ଼ କୁ ପ୍ରତ୍ୟାହାର କରିବା ପ୍ରମୁଖ ଦାବି ଉପରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଏହି ଦାବି ଗୁଡ଼ିକ ତୁରନ୍ତ ପୂରଣ ନହେଲେ ଆସନ୍ତା ଅଗଷ୍ଟ ୯ ତାରିଖ ରେ  ଦେଶ ବ୍ୟାପୀ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ସଂମ୍ପାଦକ ଦିଲ୍ଲୀପ କୁମାର ଗିରି, ଶିଶିର ହୁଇ, ଜିତାଂଶୁ ନନ୍ଦୀ, ଦିପ୍ତିମାନ ଆଚାର୍ଯ୍ୟ, ତାପସୀ ପ୍ରହରାଜ, ଦିଲ୍ଲୀପ ପରିଡ଼ା, ଜୀବନ  ପରିଡ଼ା, ପଲ୍ଟୁ  ଦାସ, ସେକ୍ ଅବଦୁଲ ସାଦିକ୍, ରତନ୍ ଦାସ, ରବିନ୍ଦ୍ର ବାରିକ, ଯତିନ୍ ଜେନା, ବସନ୍ତ ପ୍ରଧାନ, ଲକ୍ଷ୍ମୀଧର ପଲାଇ, ଚୈତନ୍ୟ ଅଣ୍ଡିଆ, ଅସିମ୍ ବେହେରା, ରାମଚନ୍ଦ୍ର ଦେ, ନିର୍ମଳ ପରିଡ଼ା ପ୍ରମୁଖ ନେତୃତ୍ୱ ନେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା