ସିପିଏମର ଦୁଇ ଦିନିଆ ଜିଲ୍ଲା କମିଟି ବୈଠକ : ଦରବୃଦ୍ଧି ନେଇ ଆନ୍ଦୋଳନ ପାଇଁ ସଜବାଜ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ରାଜ୍ୟରେ ଦରଦାମ ହୁ ହୁ ହୋଇ ବଢ଼ୁଥିବା ବେଳେ ବିଦ୍ୟୁତକାଟ ଓ ଆବାସ ଯୋଜନାରେ ହରିଲୁଟ ଜନ ସାଧାରଣଙ୍କୁ ବ୍ୟତିବ୍ୟସ୍ତ କରିପକାଇଛି I ଏ ନେଇ କାହାର ନିଦ ଭାଙ୍ଗୁ ନ ଥିବା ବେଳେ ସିପିଏମ ଲୋକଙ୍କ ପାଇଁ ଚେଇଁ ଉଠିଛି I ଗତକାଲି ଠାରୁ ସିପିଏମ ଦଳର ଦୁଇ ଦିନିଆ ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି I ଏହି ବୈଠକରେ ଦରବୃଦ୍ଧି,ବିଦ୍ୟୁତ ବିଭ୍ରାଟ ଓ ଆବାସ ଯୋଜନାରେ ପ୍ରିୟା ପ୍ରୀତି ତୋଷଣ ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ ପାଇଁ ନିଷ୍ପତ୍ତି ହୋଇଛି । ଗତ କାଲି ଓ ଆଜି ଜୁଲାଇ ୮ ଓ ୯ ଦୁଇ ଦିନ ଧରି ପାର୍ଟିର ଜିଲ୍ଲା କମିଟି ବୈଠକ ଜିଲ୍ଲା କାର୍ଯ୍ୟାଳୟଠାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାର୍ଟିର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଯୋଗ ଦେଇ ମୋଦି ସରକାରଙ୍କ କର୍ପୋରେଟ ସପକ୍ଷବାଦୀ ନୀତିର ତୀଵ୍ର ସମାଲୋଚନା କରିଥିଲେ । ଦରବୃଦ୍ଧି, ବେକାରୀ, ଉତକଟ ଦାରିଦ୍ର୍ୟ ଏହାର ପରିଣତି ବୋଲି ବର୍ଣ୍ଣନା କରିଥିଲେ। ଏହା ବିରୋଧରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ସମ୍ପାଦକୀୟ ରିପୋର୍ଟ ଆଗତ କରିଥିଲେ । ରିପୋର୍ଟ ଉପରେ ଦୁଇ ଦିନ ଆଲୋଚନା ପରେ ଜିଲ୍ଲାରେ ଦରବୃଦ୍ଧି, ବିଦ୍ୟୁତ ବିଭ୍ରାଟ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଅବସ୍ଥା, ଶୀତଳ ଭଣ୍ଡାର ନିର୍ମାଣ ଓ ଆବାସ ଯୋଜନାରେ ବ୍ୟାପକ ହେରଫେର ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦରବୃଦ୍ଧି ବିରୋଧରେ ଆସନ୍ତା ଜୁଲାଇ 14 ତାରିଖ ବ୍ରହ୍ମପୁରରେ ଏକ ମହିଳାମାନଙ୍କୁ ନେଇ ଏକ ବିକ୍ଷୋଭ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିଭଳି ଗଂଜାମ, କୁକୁଡାଖଣ୍ଡି,ସୋରୋଡାରେ ଲୋକଙ୍କ ସମସ୍ୟା ନେଇ ହଜାର ହଜାର ଲୋକଙ୍କୁ ନେଇ ପଦଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବରିଷ୍ଠ ନେତା କୈଳାସ ଷଡଙ୍ଗୀ ସଭାପତିତ୍ୱ କରିଥିଲେ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା