ସିପିଆଇ ପକ୍ଷରୁ୧୨ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ : ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ସିପିଆଇ ପକ୍ଷରୁ ଛତ୍ରପୁର ବ୍ଳକ୍ ସମ୍ମୁଖରେ ୧୨ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୂଚନା ଅନୁଯାୟୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଛତ୍ରପୁର ଓ ଚମାଖଣ୍ଡି ଆଞ୍ଚଳିକ ପରିଷଦ ପକ୍ଷରୁ କରୋନାରେ ପ୍ରଭାବିତ ଜନସାଧାରଣଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ସିପିଆଇ ଗଞ୍ଜାମ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କରାଯାଇଥିବା ବେଳେ ଏଥିରେ ସିପିଆଇ ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଅଖିଳ ଭାରତ ଯୁବସଙ୍ଘ ରାଜ୍ୟ ସଭାପତି ପ୍ରଦୀପ କୁମାର ସେଠୀ, ଛତ୍ରପୁର ଆଞ୍ଚଳିକ ସଂପାଦକ ଏସ.କୃଷ୍ଣା ରେଡ୍ଡି, ଚମାଖଣ୍ଡି  ଆଞ୍ଚଳିକ ସଂପାଦକ ସିଏଚ.ଜନାର୍ଦ୍ଦନ ରଡ୍ଡି, ଏଆଇୱାଇଏଫ ରାଜ୍ୟ ସହ ସମ୍ପାଦକ କାମଦେବ ନାହାକ, ଯୁବନେତା ଗୁରୁନାଥ ପ୍ରଧାନ, ଏନ.ଗିରିଜା ରେଡ୍ଡି ସମେତ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତା ମାନେ ଅଂଶ ଗ୍ରହଣ କରି ରାଜ୍ୟରେ ହୋଇଥିବା ସାମୁଦ୍ରିକ ମହାବାତ୍ୟା ଅମ୍ପାନରେ କ୍ଷତିଗ୍ରସ୍ତ ଓ କରୋନା ପ୍ରଭାବିତ ଅସହାୟ ଗରିବ ଓ ସାଧାରଣ ଜନ ସାଧାରଣଙ୍କୁ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ ଦାବୀ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବର୍ତ୍ତମାନ ସମଗ୍ର ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକଡାଉନ ଜାରି କରାଯାଇଛି । ଯାହା ଫଳରେ ସାଧାରଣ ଲୋକେ ନିଜର କାମ ଧନ୍ଦା ହରାଇଛନ୍ତି ଏବଂ ପରିବାର ଚଳାଇବା ପାଇଁ ସେମାନଙ୍କ ପାଖରେ ଅର୍ଥ ଅଭାବରୁ ଖାଦ୍ୟାଭାବ ଭଳି ପରିସ୍ଥିତି ହୋଇଥିବା ଜଣାପଡିଛି । ଗୋଟିଏ ପଟେ କରୋନା ଦାଉ ସାଜିଥିବା ବେଳେ ଅନ୍ୟପଟେ ରାଜ୍ୟର କେତେକ ଜିଲ୍ଲାରେ ମହାବାତ୍ୟା ଅମ୍ଫାନ ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏନେଇ ସିପିଆଇ କର୍ମୀଚାରୀମାନେ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଳକ୍ କାର୍ଯ୍ୟାଳୟ ପରିସରରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସେଥିରେ ଉଲ୍ଲେଖ କରାଯାଇଛି ଯେ, ଏମଜିଏନଆରଇଜିଏ ଯୋଜନାରେ ଶ୍ରମିକ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ କାମ ଯୋଗାଇ ଦିଆଯାଉ, ସମସ୍ତ ପ୍ରବାସୀ ଶ୍ରମିକ ପରିବାରଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ, ସମସ୍ତ ପରିବାରଙ୍କୁ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉ, କରୋନା ମହାମାରୀ ଆଳରେ ଶ୍ରମ ଆଇନକୁ ଭଣ୍ଡୁର ଉଦ୍ୟମକୁ ବନ୍ଦ କରାଯାଉ, ସମସ୍ତ ଶ୍ରମିକଙ୍କୁ ୧୫ ଶହ ଟଙ୍କା ବଦଳରେ ୫ ହଜାର ଟଙ୍କା ପ୍ରଦାନ କରାଯାଉ, କୃଷି ଋଣ ଛାଡ଼ କରାଯିବା ସହ ବିନା ସୁଧରେ କୃଷି ଋଣ ପ୍ରଦାନ କରାଯାଉ, ଛତ୍ରପୁର ସହରର ବାଦ୍ ପଡ଼ିଥିବା ସମସ୍ତ ଗରିବ ଅସହାୟଙ୍କୁ ରାସନ୍ କାର୍ଡ, ବାର୍ଦ୍ଧକ୍ୟ, ବିଧବା ଭତ୍ତା ପ୍ରଦାନ କରାଯାଉ, ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଚିହ୍ନଟ କାର୍ଡ ପ୍ରଦାନ କରାଯାଉ, ସମସ୍ତ ଗ୍ରାମାଞ୍ଚଳକୁ ପକ୍କା ରାସ୍ତା ନିର୍ମାଣ କରାଯାଉ, ଗ୍ରାମାଞ୍ଚଳର ସମସ୍ତ କୃଷକଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରି ସହାୟତା ରାଶି ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା