ସାହାଯ୍ୟ ଅପେକ୍ଷାରେ ଶଯ୍ୟାଶାୟୀ ଲକ୍ଷ୍ମଣ ଭୋଇ : ରାଜ୍ୟ ମୁଖିଆଙ୍କ ଦୃଷ୍ଟି ପଡୁ…

ପଦ୍ମପୁର (ସମୃଦ୍ଧ ଓଡିଶା) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ମିଠାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ଲୋକମାନେ ପ୍ରାୟତଃ ଦିନ ମଜୁରିଆ ଭାବେ କିମ୍ବା ଚାଷବାସ କରି ଜୀବନ ବିତାଇଥାନ୍ତି । ଗ୍ରାମ କଡରେ ବହି ଯାଉଥିବା ଏକ କେନାଲ କଡରେ ଏକ ଝାଟିମାଟି ଘର କରି ଜୀବନ ନିର୍ବାହ କରିଥାନ୍ତି ନୃପ ଭୋଇଙ୍କ ପରିବାର । ପରିବାର କହିବାକୁ ଗଲେ ମାତ୍ର ଦୁଇ ପୁଅ ରାମ ଭୋଇ, ଲକ୍ଷ୍ମଣ ଭୋଇ, ପିତା ନୃପ ଭୋଇ । ଦୁଇ ବର୍ଷ ଆଗରୁ ପିଲାମାନେ ମାଁ ଛଉଣ୍ତ ହେବା ପରେ ନୃପ ହିଁ ଦୁହିଁ ପିଲାଙ୍କ ପାଇଁ ବାପା ମାଆ । ପରିବାରରେ ସବୁ ଠିକ୍ ଠାକ୍ ଚାଲି ଥିଲା । ପିତା ନୃପ କ୍ଷେତରେ କାମ କରିବା ସହ ଦୁଇ ପୁଅଙ୍କୁ ମଧ୍ୟ ଭଲ ମଣିଷ କରିବ ବୋଲି ଆଶା ବାନ୍ଧିଥିଲେ । ହେଲେ ଦୈବର ବିଚାର ଭିନ୍ନ ଗତ ଜାନୁୟାରୀ ମାସରେ ସାନ ପୁଅ ଲକ୍ଷ୍ମଣ ଭୋଇ(୨୦)ଙ୍କ ପଦ୍ମପୁର ସ୍ଥିତ ଗଡଭାଟି ରାସ୍ତାରେ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଗଲା । ବାପା ନୃପଙ୍କ ମଧ୍ୟ ସେହିଦିନ ଗାଧୋଇବା ସମୟରେ ଖସିପଡି ହାତ ଭାଙ୍ଗିଗଲା । ବାପା ଏବଂ ଭାଇଙ୍କ ଏପରି ଅବସ୍ଥାରେ ସମସ୍ତ ଦାୟିତ୍ୱ ଆସିଲା ଘରର ବଡପୁଅ ରାମ ଭୋଇଙ୍କ ଉପରେ । ହେଲେ ସେ ନିଜର ସାହାସ ଏବଂ ପ୍ରଚେଷ୍ଟାରେ ଉଣା ନ କରି ନିଜ ଭାଇକୁ ଠିକ୍ କରିବା ପାଇଁ ପ୍ରଥମେ ବରଗଡ ଏବଂ ତାପରେ ବୁର୍ଲା ଡାକ୍ତରଖାନାକୁ ମଧ୍ୟ ନେଇ ଯାଇଥିଲେ । ହେଲେ ଦୈବର ଦାଉ ଯେମିତି ସରି ନ ଥିଲା । ସାନ ଭାଇ ଲକ୍ଷ୍ମଣଙ୍କ ଜୀବନ ତ ବଞ୍ଚି ଗଲା ହେଲେ ଚେତା ଫେରିଲା ନାହିଁ । ଘରେ ଯାହା ଥିଲା ସବୁ ବିକ୍ରି କରି ୠଣ ନେଇ ଭାଇକୁ ଠିକ୍ କରିବା ପାଇଁ ଯେତେ ଚେଷ୍ଟା କଲେ ବି ଅର୍ଥ ଅଭାବରୁ ଭାଇକୁ ଠିକ୍ କରାଇ ପାରିଲା ନାହିଁ । ବର୍ତ୍ତମାନ ମଧ୍ୟ ଅଚେତ ପଡିଥିବା ନିଜ ଭାଇର ଯତ୍ନ ନେବା ସହ ନିଜ ବାପାଙ୍କ ଭଙ୍ଗା ହାତ ଠିକ ନ ହେବାରୁ ଦିନ ମଜୁରି କରି ଘର ଚଳାଉଛନ୍ତି ରାମ ଭୋଇ । ଏହି ବିଷୟରେ ଜାଣିବାକୁ ପାଇବା ପରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପିଡିତ ପରିବାର ପାଖକୁ ଯାଇ ସମସ୍ୟା ବୁଝିବା ସହ ସରକାରଙ୍କ ତରଫରୁ ବିଜୁ ସ୍ୱାସ୍ଥ୍ୟ ଯୋଜନା ଦ୍ୱାରା ମିଳୁଥିବା ଅର୍ଥରେ ପିଡିତଙ୍କ ଉପଚାର କରାଇବା ପାଇଁ ଦାବି କରିଛନ୍ତି । ଏହାସହ ବରଗଡ ଜିଲ୍ଲାପାଳ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ରିପୋର୍ଟ – ନିରୋଜ କୁମାର ପାଣୀ