ସାମ୍ବାଦିକ ଚନ୍ଦନ ଜେନାଙ୍କୁ ଆକ୍ରମଣ ଘଟଣାର ତଦନ୍ତ କଲେ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର…

ଜଲେଶ୍ୱର/ବାଲିଆପାଳ (ସମୃଦ୍ଧ ଓଡିଶା) ବାଲିଆପାଳରେ ସାମ୍ବାଦିକ ଚନ୍ଦନ ଜେନାଙ୍କ ଆକ୍ରମଣ ଘଟଣାର ଗତକାଲି ରାତିରେ ତଦନ୍ତ କରିଛନ୍ତି ବାଲେଶ୍ୱର ଏସପି । ଘଟଣାର ବିବରଣୀରୁ ପ୍ରକାଶ ଯେ ବାଲିଆପାଳ ଥାନା ବଡକସବା ଗ୍ରାମର ଦିବ୍ୟାଙ୍ଗ ମହିଳା ଜୟନ୍ତୀ ପାଠୀଙ୍କ ପରିବାରକୁ ତାଙ୍କ ପଡୋଶୀ ହେମନ୍ତ ପାଠୀ ବାରମ୍ବାର ହଇରାଣ ହରକତ କରୁଥିଲେ । ତାଙ୍କ ଘର ଆଗରେ ବାଢ ବସାଇ ଯାତାୟତରେ ବାଧା ସୃଷ୍ଟି କରୁଥିଲେ । ଗତ ଅକ୍ଟୋବର ୩ ତାରିଖରେ ହେମନ୍ତ ପାଠୀ ଜୟନ୍ତୀଙ୍କ ସୀମାକୁ ଚପାଇ ବାଢ କରୁଥିବା ବେଳେ ସେ ଏଥିରେ ପ୍ରତିବାଦ କରିଥିଲେ । ଏଥିରେ ଉତ୍ତକ୍ଷିପ୍ତ ହୋଇ ହେମନ୍ତଙ୍କ ପୁଅ ଚନ୍ଦନ ପାଠୀ ତାଙ୍କ ଉପରେ ମାରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅହାତ ଜୟନ୍ତୀଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ପଠାଇଥିଲେ । ଏ ନେଇ ଜୟନ୍ତୀ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ପୁଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଉଭୟ ପକ୍ଷଙ୍କୁ ଗ୍ରାମରେ ବସି ସମାଧାନ କରିବାକୁ ପରାମର୍ଶ ଦେଇଥିଲା । ଗ୍ରାମରେ ହୋଇଥିବା ସମାଧାନକୁ କିନ୍ତୁ ହେମନ୍ତ ପାଠୀଙ୍କ ପରିବାର ମାନିନଥିଲେ । ଉକ୍ତ ଘଟଣାକୁ କେନ୍ଦ୍ର କରି ଚନ୍ଦନ ଜେନା ତାଙ୍କ ୟୁଟ୍ୟୁବ ଚ୍ୟାନାଲ ଏବଂ ପ୍ରମାଦ ଖବର କାଗଜରେ ଖବର ପ୍ରସାରଣ କରିଥିଲେ । ପ୍ରମେୟ ଏବଂ ଅନ୍ୟ କିଛି ଖବର କାଗଜରେ ଏ ବାବଦରେ ଖବର ପ୍ରକାଶିତ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଚନ୍ଦନ ପାଠୀ ସାମ୍ବାଦିକ ଚନ୍ଦନ ଜେନାଙ୍କୁ ଫୋନରେ ଗାଳି ଗୁଲଜ ଏବଂ ଧମକ ଦେଇଥିଲେ । ଗତ ୧୬ ଅକ୍ଟୋବରରେ ଚନ୍ଦନ ଜେନା ବ୍ଲକ ଛକ ନିକଟରେ ଛିଡା ହୋଇଥିବା ବେଳେ ଚନ୍ଦନ ପାଠୀ ହଠାତ ସେଠାରେ ପହଁଚି ତାଙ୍କୁ ଆକ୍ରମଣ କରିଥିଲେ । ମୁଥ ମାରି ମୁହଁ ପଠାଇ ଦେବା ସହିତ ବିଧା ଓ ଗୋଇଁଠା ମାରି ଛାତି ଦରଜ କରି ଦେଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଚିକିତ୍ସା କେନ୍ଦ୍ରକୁ ତାଙ୍କୁ ପଠାଇଥିଲେ । ସେଠାରୁ ତାଙ୍କୁ ବାଲେଶ୍ୱର ରେଫର କରାଯାଇଥିଲା । ଚନ୍ଦନ ଜେନାଙ୍କ ଧର୍ମପତ୍ନୀ ଅନିତା ଧଳ ଏନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣା ଉପରେ ମାମଲା ରୁଜୁ କରିବା ସହିତ ଚନ୍ଦନ ପାଠୀଙ୍କ ଅନ୍ୟ ଏକ ଏତେଲା ମୂଳେ ଚନ୍ଦନ ଜେନାଙ୍କ ଉପରେ ମଧ୍ୟ ଆଉ ଏକ ମିଥ୍ୟା ମାମଲା ରୁଜୁ କରିଥିଲେ । ଘଟଣାକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବାଲିଆପଳ ପିୁଲିସ ଚନ୍ଦନ ପାଠୀଙ୍କ ଦ୍ୱାରା ପ୍ରଭାବିତ ହୋଇ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଅନ୍ୟ ପକ୍ଷରେ ଜୟନ୍ତୀ ପାଠୀଙ୍କର ନାବାଳିକା ଝିଅ ରାଜଲକ୍ଷ୍ମୀ ପାଠୀଙ୍କୁ ମଧ୍ୟ ଚନ୍ଦନ ପାଠୀ ମାରଣାନ୍ତକ ଆକ୍ରମଣ କରିଥିଲେ । ଏ ନେଇ ମଧ୍ୟ ଚନ୍ଦନ ପାଠୀଙ୍କ ନାମରେ ବାଲିଆପଳ ଥଅନାରେ ୨୧୮/୨୦ ରେ ଏକ ମାମାଲା ରୁଜୁ ହୋଇଥିଲା । ଗୋଟିଏ ମାସରେ ଦୁଇ ଦୁଇଟି ଘଟଣା ଉପରେ ମାମଲା ରୁଜୁ ହେବା ପରେ ମଧ୍ୟ ସେ ଖୁଲମ ଖୋଲା ବୁଲୁଥିଲେ । ପୁଲିସ ତାଙ୍କୁ ଗିରଫ କରୁନଥିଲା । ଚନ୍ଦନ ଜେନା ଏ ନେଇ ବସ୍ତା ଏସଡିପିଓ, ବାଲେଶ୍ୱର ଏସପି, ପୂର୍ବାଂଚଳ ଆଇଜି, ଗୃହ ସଚିବ, ମୋ ସରକାର ପ୍ରଭୃତିଙ୍କୁ ଲିଖିତ ଭାବେ ଜଣାଇଥିଲେ । ଗୁରୁବାର ସନ୍ଧ୍ୟାରେ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର ବାଲିଆପାଳ ଥାନାରେ ପହଁଚି ଏହି ଘଟଣାର ତଦନ୍ତ କରିଛନ୍ତି । ଘଟଣାସ୍ଥଳ ପରିଦର୍ଶନ କରି ସେଠାରେ ଉପସ୍ଥିତ ଥିବା ଜନସାଧାରଣ ଓ ବ୍ୟବସାୟୀଙ୍କୁ ଘଟଣା ବିଷୟରେ ପଚାରି ବୁଝିଛନ୍ତି । ଏସପିଙ୍କ ସହିତ ବସ୍ତା ଏସଡିପିଓ ଜଳନ୍ଧର ଜାଲି ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ୧୦ ଦିନ ଭିତରେ ଚନ୍ଦନଙ୍କୁ ନ୍ୟାୟ ମିଳିବ ବୋଲି ଏସ.ପି ପ୍ରତିଶୃତି ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା