ସାମାଜିକ ବାସନ୍ଦ ରୋକିବାକୁ ସ୍ୱତନ୍ତ୍ର ଆଇନ ପାଇଁ ଦଳିତ ମହାସଭାର ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସିକା ଥାନା ହରିଡ଼ାପଦର ତଥା ଜିଲ୍ଲାର ଅନ୍ୟାନ୍ୟ ଗ୍ରାମରେ ସଂଖ୍ୟାଗରିଷ୍ଠ ସବର୍ଣ୍ଣ ଲୋକଙ୍କ ବେଆଇନ କଙ୍ଗାରୁ କୋର୍ଟ ଦ୍ୱାରା ଦଳିତମାନଙ୍କୁ ଜାତିଆଣ ମନୋଭାବ ନେଇ ସାମାଜିକ ବାସନ୍ଦ କରିବା ଘଟଣାର ପ୍ରତିବାଦରେ ଆଜି ଗଞ୍ଜାମ ଜିଲ୍ଲା ଦଳିତ ମହାସଭା, ଅଖିଳ ଭାରତ କିଶାନ୍ ମଜଦୁର ସଭା, ମାନବବାଦୀ ହେତୁବାଦୀ ସଂଗଠନ ଓ ଅନ୍ୟାନ୍ୟ ସଂଗଠନର ନେତୃତ୍ୱରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ ତା.୧୦.୧୦.୨୦୨୨ରିଖରେ ଆସିକା ବ୍ଳକ୍ ହରିଡ଼ାପଦର ଗ୍ରାମରେ ସଂଖ୍ୟାଗରିଷ୍ଠ ସବର୍ଣ୍ଣ ଲୋକଙ୍କ ଦ୍ୱାରା ଆହୂତ ଗାଁ ସଭା ବା କଙ୍ଗାରୁ କୋର୍ଟ ଦ୍ୱାରା ଜାତିଗତ ଭେଦଭାବ ନେଇ ଗାଁର ଦୁଇ ଶହ ପାଖାପାଖି ଦଳିତ ପରିବାରଙ୍କୁ ସାମାଜିକ ବାସନ୍ଦ କରାଯାଇଛି । ଏହା ଫଳରେ ଗାଁର ଦଳିତ ଲୋକେ ଅନ୍ୟ ଲୋକମାନଙ୍କ ସହ କଥାଭାଷା କରିବା, ସର୍ବସାଧାରଣ ରାସ୍ତାରେ ବିବାହ ପଟୁଆର ନେବା, ଗାଁର ସର୍ବ ସାଧାରଣ ପୋଖରୀକୁ ଗାଧୋଇବା ପାଇଁ ଯିବା, ନଳକୂପରୁ ପିଇବା ପାଣି ନେବା ତଥା ଦୋକାନରୁ ସଉଦା ଆଣିବା ଆଦିରୁ ସମ୍ପୂର୍ଣ୍ଣ ବଂଚିତ ହୋଇଛନ୍ତି । ଏପରିକି ଦଳିତ ସାହିର ପ୍ରାୟ ଦେଢ଼ ଶହ ସ୍କୁଲ ପିଲା ଗତ ଦେଢ଼ ମାସ ଧରି ଅଙ୍ଗନୱାଡ଼ି କେନ୍ଦ୍ରରୁ ଶିଶୁଖାଦ୍ୟ ପାଇବା ଓ ପ୍ରାଥମିକ ସ୍କୁଲରେ ପଢ଼ିବାକୁ ଯିବା ସମ୍ଭବ ହୋଇପାରୁନାହିଁ । ଲୋକେ ସ୍ଥାନୀୟ ପୋଲିସ ଓ ତହସିଲଦାରଙ୍କୁ ଜଣାଇବା ପରେ ମଧ୍ୟ ଗତ ଦେଢ଼ ମାସ ହେଲା ନ୍ୟାୟ ପାଇ ପାରିନାହାଁନ୍ତି । ଏଭଳି ପରିସ୍ଥିତିରେ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଗାଁରେ ପୂର୍ବସ୍ଥିତି ଫେରାଇ ଆଣିବାକୁ ପଦକ୍ଷେପ ନେବାକୁ ଦାବି କରି ଦକ୍ଷିଣାଂଚଳ ଆର୍ଡ଼ିସିଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ପରେ ଏକ ପ୍ରତିନିଧି ଦଳ ଦକ୍ଷିଣାଂଚଳ ଆଇଜି ସତ୍ୟବ୍ରତ ଭୋଇଙ୍କୁ ଭେଟି ଏକ ସ୍ମାରକପତ୍ର ଦେବା ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ କେବଳ ହରିଡ଼ାପଦର ନୁହେଁ, ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମରେ ସଂଖ୍ୟାଗରିଷ୍ଠ ଲୋକଙ୍କ ଦ୍ୱାରା ଜାତିଆଣ ମନୋଭାବ ନେଇ ତଥା ଗୁଣିଗାରେଡ଼ି ସନେ୍ଦହରେ ସାମାଜିକ ବାସନ୍ଦ କରିବା ଏବଂ ମନଇଛା ଜୋରିମାନା ପକାଇବା ପରି ଘଟଣା ବାରମ୍ବାର ଘଟିବା ଦେଖିବାକୁ ମିଳୁଛି । ଏହା ବ୍ୟତିତ ବିଭିନ୍ନ ଜାତିର କୂଳ ସମାଜ ପକ୍ଷରୁ ମଧ୍ୟ ନିଜ ଜାତିର ପୁଅ ଝିଅ ଅନ୍ୟ ଜାତିରେ ବିବାହ କଲେ ଅଥବା ପୁଅ ଝିଅଙ୍କ ମଧ୍ୟରେ ପ୍ରେମ ତଥା ବିବାହକୁ ନେଇ କୌଣସି ବିବାଦ ଉପୁଜିଲେ, ତାକୁ ଆଇନ ବାଟରେ ସମାଧାନ କରିବା ବଦଳରେ କୂଳ ସମାଜର ଲୋକେ ସମାଧାନ ନାଁରେ ମୋଟା ଅଙ୍କର ଜୋରିମାାନ ଏବଂ କୂଳ ବାସନ୍ଦ କରିବା ଦେଖାଯାଇଛି । ତେବେ ସାମାଜିକ ବାସନ୍ଦ ଭଳି ଅପରାଧର ମୁକାବିଲା ପାଇଁ ରାଜ୍ୟରେ କୌଣସି ଆଇନ ନଥିବାରୁ ତଥା ଅଧିକାଂଶ କ୍ଷେତ୍ରରେ ପ୍ରଶାସନ ଓ ପୋଲିସ ସଂଖ୍ୟାଗରିଷ୍ଠ ଲୋକଙ୍କ ବିରୁଦ୍ଧରେ ଯିବାକୁ ପଛଘୁଂଚା ଦେଉଥିବାରୁ ପିଡ଼ୀତ ଲୋକେ ନ୍ୟାୟ ପାଇବା ସମ୍ଭବ ହେଉନି । ଅତିତରେ ଆସିକା ବ୍ଳକ୍ ଅର୍ନ୍ତଗତ ବାଲିଛାଇର ସାମାଜିକ ବାସନ୍ଦ ଓ ଜାତିଗତ ହିଂସାର ଶିକାର ୫୦ଟି ଦଳିତ ପରିବାର ମାନ୍ୟବର ହାଇକୋର୍ଟଙ୍କ ନିଦେ୍ର୍ଦଶ ସତ୍ୱେ ଦୀର୍ଘ ୨୨ ବର୍ଷ ଧରି ଗାଁକୁ ଫେରି ପାରୁନାହାନ୍ତି । ଏଭଳି ପରିସ୍ଥିତିରେ ଜିଲ୍ଲାରେ ବଢ଼ୁଥିବା ସାମାଜିକ ବାସନ୍ଦ ପରି ଏକ ଘୃଣ୍ୟ ଓ ଅମାନବିକ କାର୍ଯ୍ୟକୁ ରୋକିବା ପାଇଁ ତଥା ତା’ର ଶିକାର ଲୋକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କେତେକ ଦାବି ଉପସ୍ଥାପିତ କରାଯାଇଛି । ସାମାଜିକ ବାସନ୍ଦ କ୍ଷେତ୍ରରେ ପୋଲିସ ଓ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ସହ କେବଳ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଆର୍ପିସିର ଧାରା ୧୦୮ ପ୍ରକାରେ ପଦକ୍ଷେପ ନିଆଯିବାକୁ ଦାବି କରାଯାଇଛି । ଏତଦ ବ୍ୟତିତ ସାମାଜିକ ବାସନ୍ଦକୁ ରୋକିବା ପାଇଁ ଜାତି, ଧର୍ମ, ଅନ୍ଧ ବିଶ୍ୱାସର ଆଧାରରେ କରାଯାଉଥିବା ସମସ୍ତ ପ୍ରକାର ସାମାଜିକ ବାସନ୍ଦକୁ ଧର୍ତ୍ତବ୍ୟ ଅପରାଧ ରୂପେ ଘୋଷଣା କରିବା ସହିତ ମହାରାଷ୍ଟ୍ର ଢ଼ାଂଚାରେ ରାଜ୍ୟରେ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯିବାକୁ ଦାବି କରାଯାଇଛି । ଆଜି ହରିଡ଼ାପଦରର ବାସନ୍ଦ ପିଡ଼ୀତ ଦଳିତ ସମ୍ପ୍ରଦାୟର ଶତାଧିକ ପୁରୁଷ ଓ ମହିଳାଙ୍କ ବ୍ୟତିତ ଜିଲ୍ଲାର ବିଭିନ୍ନ ଗ୍ରାମର ବାସନ୍ଦର ଶିକାର ହୋଇଥିବା ଲୋକେ ଏବଂ ବିଭିନ୍ନ ଗଣ ସଙ୍ଗଠନର କର୍ମୀମାନେ ଯୋଗ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଅଖିଳ ଭାରତ କିଶାନ ମଜଦୁର ସଭାର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଜିଲ୍ଲା କମିଟି ସଦସ୍ୟ ଲଡ଼ୁ କିଶୋର ଡ଼ାକୁଆ, ଗଞ୍ଜାମ ଜିଲ୍ଲା ଦଳିତ ମହାସଭାର ସମ୍ପାଦକ ସଂଗ୍ରାମ ନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରଦୀପ ସେଠୀ, ମାନବବାଦୀ ହେତୁବାଦୀ ସଂଗଠନର ଜିଲ୍ଲା ସମ୍ପାଦକ କେ. ନନେ୍ଦଶୁ ସେନାପତି, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ଜନ ଜାଗରଣର ଆବାହକ ମଧୂସୁଦନ ସେଠୀ, ଆଇଏଫ୍ଟିୟୁର ଆବାହକ ତଥା ଶ୍ରମିକ ନେତା ପ୍ରତାପ ପ୍ରଧାନଙ୍କ ସମେତ ହରିଡ଼ା ପଦର ଗ୍ରାମର ଧବଳେଶ୍ୱର ନାହାକ, କହ୍ନେଇ ନାହାକ ଓ ଅନ୍ୟମାନେ ଯୋଗ ଦେଇଥିଲେ ବୋଲି ଗଞ୍ଜାମ ଜିଲ୍ଲା ଦଳିତ ମହାସଭାର ସମ୍ପାଦକ ସଂଗ୍ରାମ ନାୟକ ଜଣାଇଛନ୍ତି ।