ସାନକୋଦଣ୍ଡା ସମବାୟ ସମିତିରେ ସାରର ଅଭାବୀ ବିକ୍ରି : ଅସନ୍ତୋଷ ଜାହିର କଲେ ଚାଷୀ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡା ସମବାୟ ସମିତିରେ ୟୁରିଆ ସାରର ଅଭାବୀ ବିକ୍ରି ଦେଖାଦେଇଛି । ସୂଚନା ଅନୁସାରେ ଆଜି ସକାଳ ୮ ଟାରେ ସମବାୟ ସମିତିର ଯୋଗୀମାରି ଠାରେ ହୋଇଥିବା ଅସ୍ଥାୟୀ କେନ୍ଦ୍ରରେ ସାର ଦିଆଯାଉଥିଲା । ହେଲେ ସମବାୟ ସମିତିକୁ ମୋଟ ୧୨୫ ବସ୍ତା ୟୁରିଆ ସାର ଆସିଥିବାରୁ ଏହାର ଅଭାବୀ ବିକ୍ରି ଦେଖାଦେଇଛି । ସମବାୟ ସମିତିରୁ ଋଣ ଆଣିଥିବା କିଛି ଚାଷୀ ମାନଙ୍କୁ ହିଁ କେବଳ ଗୋଟିଏ ବସ୍ତା ଲେଖାଏଁ ସାର ପ୍ରଦାନ କରାଯାଇଛି । ଏହି ୟୁରିଆ ସାରକୁ ଚାଷୀ ମାନେ ସରକାରୀ ଦରଠାରୁ ଅଧିକା ମୂଲ୍ୟରେ ଅର୍ଥାତ ୩୧୦ ଟଙ୍କାରେ କିଣିଥିବା ପ୍ରକାଶ କରିଛନ୍ତି । ଋଣ ନେଇଥିବା ଚାଷୀମାନଙ୍କୁ ଗୋଟିଏ ଲେଖାଏଁ ବସ୍ତା ମିଳିଥିବା ବେଳେ ଯେଉଁ ଚାଷୀମାନଙ୍କ ସମବାୟ ସମିତିରେ ଋଣ ନାହିଁ ସେହି ଚାଷୀମାନଙ୍କୁ ସାର ମିଳିନଥିଲା । ଫଳରେ ଚାଷୀ ଭାଇ ମାନେ ଅସନ୍ତୋଷ ଜାହିର କରିବା ସହ ନିରାଶ ରେ ଫେରିଛନ୍ତି । ଏ ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ଗତଥର ଆସିଥିବା ୟୁରିଆ ସାରକୁ ପଞ୍ଚାୟତରେ ୨୮୦ ଟଙ୍କାରେ ବଣ୍ଟନ କରାଯାଇଥିଲେ ମଧ୍ୟ ଏହା ଅନେକ ବାଟରେ ବାଟମାରଣା ହେବା ସହ ଚାଷୀଙ୍କୁ ଠିକ ଭାବେ ମିଳିନଥିଲା । ହେଲେ ଏଠାରେ ସାଧାରଣ ପ୍ରଶ୍ନ ଉଠୁଛି ସରକାରୀ ଦରରେ ୟୁରିଆ ସାରର ମୂଲ୍ୟ ୨୬୬ ଟଙ୍କା ରହିଥିବା ବେଳେ ଗତଥର ସାର ୨୮୦ ଟଙ୍କାରେ ଓ ବର୍ତ୍ତମାନ ଏହାକୁ ୩୧୦ ଟଙ୍କାରେ କେଉଁ ଆଧାରରେ ବିକ୍ରି କରାଯାଇଛି ? ଯେଉଁ ଚାଷୀ ଋଣ ନେଇଛି ସେମାନଙ୍କୁ ହିଁ କାହିଁକି ଗୋଟିଏ ବସ୍ତା ସାର ପ୍ରଦାନ କରାଗଲା ଅନ୍ୟମାନଙ୍କୁ କାହିଁକି ଏହା ପ୍ରଦାନ କରାଗଲା ନାହିଁ ? ଏ ନେଇ ଆମେ ସମବାୟ ସମିତିର ସେକ୍ରେଟାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନାହିଁ । ସ୍ଥାନୀୟ ପ୍ରଶାସନ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।