ସାତକଡି ହୋତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର(ସମୃଦ୍ଧଓଡିଶା) ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ସ୍ବର୍ଗତ ହୋତାଙ୍କ ବାସଭବନ ଯାଇ ସେଠାରେ ତାଙ୍କ ଅନ୍ତିମ ଦର୍ଶନ କରିବା ସହ ଶବଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିଭଳି ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଡଃ ହୃଷିକେଶ ମଲ୍ଲୀକ ଏବଂ ଏକାଡେମୀର ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସୂଚନା ଯୋଗ୍ୟ, ସ୍ବର୍ଗତ ହୋତା ୨୦୧୩ ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ସୂଚାରୁ ରୂପେ ସଫଳତାର ସହ କାମ କରିଛନ୍ତି । ସେ ଅନେକ କବିତା, ଉପନ୍ୟାସ, କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧ ରଚନା କରି ଓଡ଼ିଆ ବାଣୀ ଜଗତକୁ ସମୃଦ୍ଧ କରିବାରେ ତାଙ୍କ ଭୂମିକା ଅତୁଳନୀୟ । ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ବର୍ଗତ ହୋତା ଏକଧାରରେ ଜଣେ ସୁସାହିତ୍ୟିକ, ସାମ୍ବାଦିକ, ବକ୍ତା ଓ ସଂଗଠକ ଭାବେ ସଦା ସ୍ମରଣୀୟ ହୋଇ ରହିବେ ବୋଲି ମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ ଉଲ୍ଲେଖ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

ବିଶିଷ୍ଟ ସାହିତ୍ଯିକ ସାତକୋଡି ହୋତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ବିଶିଷ୍ଟ ସାହିତ୍ଯିକ, ଓଡିଶା ସାହିତ୍ଯ ଏକାଡେମୀର ପୂର୍ବତନ ସଭାପତି ସାତକୋଡି ହୋତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।ଏକ ଶୋକବାର୍ତ୍ତାରେ ମୁଖ୍ଯମନ୍ତ୍ରୀ କହିଛନ୍ତି ଯେ ରାଜ୍ଯର ଜଣେ ପ୍ରତିଷ୍ଠିତ ତଥା ଖ୍ଯାତି ସମ୍ପନ୍ନ ସାହିତ୍ଯିକ ଭାବେ ସାତକୋଡି ହୋତାଙ୍କ ସୁନାମ ରହିଥିଲା । ଅନେକ ଉଚ୍ଚକୋଟୀର ଗଳ୍ପ, ଉପନ୍ଯାସ, କବିତା ଓ ଅନୁବାଦ ସାହିତ୍ଯ ରଚନା ମାଧ୍ଯମରେ ଓଡିଆ ସାହିତ୍ଯ ଜଗତରେ ସେ ତାଙ୍କର ଅମଳିନ ସ୍ମୃତି ଛାଡି ଯାଇଛନ୍ତି । ଏଥି ସହିତ ଜଣେ ଦକ୍ଷ ସଂଗଠକ ଓ ସାମ୍ବାଦିକ ଭାବରେ ମଧ୍ଯ ତାଙ୍କର ସୁନାମ ରହିଥିଲା ।ତାଙ୍କ ବିୟୋଗ ଓଡିଆ ସାହିତ୍ଯ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି । ସ୍ଵର୍ଗତ ସାତକଡ଼ି ହୋତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି. ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଵର୍ଗତ ହୋତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

ରିପୋର୍ଟ : ରଜତ ମହାପାତ୍ର