ସାଂସଦ ଆଦର୍ଶ ଗ୍ରାମ ପଞ୍ଚାୟତ ଘୋଷଣା : ଜଳେଶ୍ୱରରୁ ବରଡିହା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୌଣସି ଅନୁନ୍ନତ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନକୁ ଲକ୍ଷ ରଖି ଅଧିକ ବିକଶିତ କରିବା ଲାଗି ସାଂସଦ ଆଦର୍ଶ ଗ୍ରାମପଞ୍ଚାୟତ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏଠାରେ କହିଛନ୍ତି । କିନ୍ତୁ ଏହା ସେ ଅଞ୍ଚଳବାସୀଙ୍କ ଇଚ୍ଛାଶକ୍ତି, କ୍ରିୟାଶକ୍ତି ଓ ଏକତା ବଜାଇ ରହିଲେ ସଂପୂର୍ଣ୍ଣ ହୋଇ ପାରିବ ବୋଲି ଶ୍ରୀ ଷଡଙ୍ଗୀ କହିବା ସହିତ ଜିଲାର ୨ଟି ଆଦିବାସୀ ବହୁଳ ବ୍ଳକର ୩ଟି ପଞ୍ଚାୟତକୁ ସେ ଏଥିରେ ସାମିଲ କରିଥିବା କହିଥିଲେ । ଜଳେଶ୍ୱରର ବରଡିହା ପଞ୍ଚାୟତରେ ଆୟୋଜିତ ସାଂସଦ ଆଦର୍ଶ ଗ୍ରାମପଞ୍ଚାୟତ ପାଇଁ ଯୋଜନା ଓ ଜନଶୁଣାଣୀ ବୈଠକରେ ସାଂସଦ ଶ୍ରୀ ଷଡଙ୍ଗୀ ଯୋଗ ଦେଇଥିଲେ । ବାଲେଶ୍ୱର ଜିଲାର ଜଳେଶ୍ୱର ଓ ନିଳଗିରି ଦୁଇଟି ଆଦିବାସୀ ବହୁଳ ବ୍ଲକ ଓ ଅନୁନ୍ନତ ଅଞ୍ଚଳ ହୋଇଥିବାରୁ ୩ଟି ପଞ୍ଚାୟତକୁ ସେ ପୋଷ୍ୟ ଭାବେ ଗ୍ରହଣ କରିଥିବା କହିଥିଲେ । ଜଳେଶ୍ୱର ବ୍ଲକର ବରଡିହା, ନିଳଗିରି ବ୍ଲକର ପିଠାଅତା ଓ ଆରବନ୍ଧ ପଞ୍ଚାୟତକୁ ସେ ଗ୍ରହଣ କରିଥିବା କହିଥିଲେ । କିନ୍ତୁ ସ୍ଥାନୀୟ ଲୋକଙ୍କ ଇଚ୍ଛାଶକ୍ତି ଓ ଏକତା ତଥା କ୍ରିୟାଶକ୍ତି ଅଧିକ ହେଲେ ଏହା ସଫଳ ହୋଇ ପାରିବ ବୋଲି ସେ ସୂଚନା ଦେବା ସହିତ ଜନଭାଗୀଦାରୀ ପ୍ରତି ଗୁରୁତ୍ୱ ଦେଇଥିଲେ । ଏହି ୩ ପଞ୍ଚାୟତର ବ୍ଲକୁ ପ୍ରିଣ୍ଟ କରାଯାଇଥିବା ସଂପର୍କରେ ସେ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଏହି ୩ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ହେବା ସଂପର୍କରେ କହିଥିଲେ । ଏହି ଆଲୋଚନାଚକ୍ରରେ ଜିଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ଜଳେଶ୍ୱର ବ୍ଳକ ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ, ମଣ୍ଡଳ ସଭାପତି ତରୁଣ ପଟନାୟକ, ଦିବ୍ୟେନ୍ଦୁ ଦାସ, ସୁଜୟ ଜେନାଙ୍କ ସହିତ ଅଂଚଳର ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା