‘ସହରୀ ନକ୍ସଲ’ ନା ‘ଜନ ମିଲିସିଆ’ !

– ପ୍ରସାଦ ରାଓ –
ଭୁବନେଶ୍ୱର,  : ନିକଟରେ ପୁଣେ (ମହାରାଷ୍ଟ୍ର) ପୁଲିସ ଦେଶର ପାଂଚ ଜଣ ସୁପରିଚିତ ମାନବାଧିକାର ପ୍ରବକ୍ତାଙ୍କୁ ଗିରଫ କରି ଦେଶରେ ହଇଚଇ ସୃଷ୍ଟି କରିଛନ୍ତି । ଗୃହବନ୍ଦୀ ଭାବେ ନିଜ ନିଜ ଘରେ ଅଟକ ଥିବା ଏହି ମାନବାଧିକାର ପ୍ରବକ୍ତାମାନେ ନକ୍ସଲ ସମର୍ଥକ ଏବଂ ଦେଶର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ଏକ ଷଡଯନ୍ତ୍ରରେ ସଂପୃକ୍ତ ବୋଲି ପୁଲିସ ଅଭିଯୋଗ କରି ସେମାନଙ୍କୁ କୋର୍ଟରେ ହାଜର କରାଇ ଥିବା ବେଳେ ସୁପ୍ରିମ କୋର୍ଟ ପୁଲିସର ଏହି ଦଲିଲକୁ ତୁରନ୍ତ ଗ୍ରହଣ ନ କରି ସେମାନଙ୍କୁ ଗୃହବନ୍ଦୀ କରି ରଖିବାକୁ ନିର୍ଦେଶ ଦେବା ପୁନେ ପୁଲିସ ପାଇଁ ଏକ ଝଟକା ହୋଇଛି । ମାମଲାର ପରବର୍ତର୍ୀ ଶୁଣାଣୀ ସେପ୍ଟେମ୍ବର ୬ରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ଗୋଟିଏ ଦିନ ପରେ ମାମଲାର ଶୁଣାଣୀ ହେବାକୁ ଥିବାରୁ ସମସ୍ତେ ଉତ୍ସୁକ । ଗୋଟିଏ ପଟେ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର ଏବଂ ଅନ୍ୟପଟେ ଭିନ୍ନମତ ପ୍ରକାଶର କଂଠରୋଧ ଉଦ୍ୟମ ଅଭିଯୋଗ କରି ସଂଗଠିତ ହୋଇ ଥିବା ଦେଶର ବୁଦ୍ଧିଜୀବୀ । କୋର୍ଟଙ୍କ ପରବର୍ତର୍ୀ ନିଷ୍ପତ୍ତି କାହା ଆଡକୁ ଢଳିବ (!) ଦେଖିବା ସକାଶେ ଦେଶବାସୀ ଉକ୍ରଣ୍ଠାର ସହ ଅପେକ୍ଷା କରିବା ସ୍ୱାଭାବିକ । ମାମଲାକୁ ନେଇ ଗଣମାଧ୍ୟମରେ ଚାଲି ଥିବା ବିତର୍କ ମଧ୍ୟ ପରିବେଶକୁ ସରଗରମ ରଖିଛି ।ମଜା କଥା ହେଉଛି, ପୁନେ ପୁଲିସ ଅଗଷ୍ଟ ୨୮ ତାରିଖ ଏହି ୫ ଜଣ ମାନବାଧିକାର ପ୍ରବକ୍ତାଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ‘ମାଓ ଲିଂକ୍’କୁ ନେଇ ଗଣମାଧ୍ୟମରେ ଦୁଇ ପ୍ରକାର ବ୍ୟାଖ୍ୟା ଚର୍ଚ୍ଚାକୁ ଆସିଛି । ଦଳେ ଏହାକୁ ‘ସହରୀ ନକ୍ସଲ’ ବୋଲି ବ୍ୟାଖ୍ୟା କରୁଥିବା ବେଳେ ଆଉ ଦଳେ ସେମାନଙ୍କୁ ‘ଜନ ମିଲିସିଆ’ କହୁଛନ୍ତି । ମାନବାଧିକାର ପ୍ରବକ୍ତାଙ୍କୁ ଗିରଫ କରାଇ ଅଡୁଆରେ ପଡି ଥିବା କେନ୍ଦ୍ର ଓ ମହାରାଷ୍ଟ୍ର ସରକାର ଜନସାଧାରଣଙ୍କୁ ପ୍ରଭାବିତ କରିବା ସକାଶେ ଏହି ଦୁଇଟି ଉପସର୍ଗ ଗଣମାଧ୍ୟମକୁ ଛାଡିଛନ୍ତି । ମାନବାଧିକାର ପ୍ରବକ୍ତାଙ୍କ ଗିରଫଦାରୀକୁ ନେଇ ଗଣମାଧ୍ୟମରେ ଚାଲି ଥିବା ବିତର୍କରେ ଶାସକ ଦଳର ପ୍ରବକ୍ତାମାନେ ବାରମ୍ବାର ‘ସହରୀ ନକ୍ସଲ’ ଶବ୍ଦ ବ୍ୟବହାର କରୁଥିବା ବେଳେ ଦେଶରେ ନକ୍ସଲ ବିରୋଧୀ ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କେନ୍ଦ୍ରୀୟ ଅର୍ଦ୍ଧ-ସାମରିକ ବାହିନୀ (ସିଆରପିଏଫ୍) ‘ଜନ ମିଲିସିଆ’ ଶବ୍ଦକୁ ଚର୍ଚ୍ଚାକୁ ଛାଡିଛି । ଏହି ସହରୀ ‘ଜନ ମିଲିସିଆ’ମାନେ ନକ୍ସଲଙ୍କ ପାଇଁ ସୂଚନାଦାତା ଓ ସହାୟକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସିଆରପିଏଫ ମହାନିର୍ଦେଶକ ଆର. ଆର. ଭଟ୍ଟନାଗର ସୋମବାର ଦିନ ନୂଆଦିଲ୍ଲୀରେ ମନ୍ତବ୍ୟ ଦେଇଛନ୍ତି । ‘ଜନ ମିଲିସିଆ’ଙ୍କ ବିରୋଧରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । କେବଳ ନକ୍ସଲ ଅଧ୍ୟୁଷିତ ଛତିଶଗଡ଼ରୁ ସିଆରପିଏଫ ଏଭଳି ୫୦୦ ‘ଜନ ମିଲିସିଆ’ଙ୍କୁ ଗିରଫ କଲାଣି ବୋଲି ଭଟ୍ଟନାଗର କହିଛନ୍ତି ।କେନ୍ଦ୍ର ସରକାର ଏହି ମାନବାଧିକାର ପ୍ରବକ୍ତାଙ୍କ ବିରୋଧରେ ପ୍ରୟୋଗ କରୁଥିବା ଦୁଇଟି ଯାକ ଉପସର୍ଗ ‘ସହରୀ ନକ୍ସଲ’ ବା ‘ଜନ ମିଲିସିଆ’ରେ ସେଭଳି କିଛି ନୂତନତା ନାହିଁ । ପଶ୍ଚିମ ବଂଗର ନକ୍ସଲବାରୀରୁ ନକ୍ସଲ ଆନେ୍ଦାଳନର ସୂତ୍ରପାତ ହେବା ସମୟରୁ ସହରୀ ସୂତ୍ରଧର ରହି ଆସିଛନ୍ତି । ସଶସ୍ତ୍ର ସଂଘର୍ଷ ମାଧ୍ୟମରେ ନିଜର ଦାବି ହାସଲ କରିବାରେ ବିଶ୍ୱାସ କରୁଥିବା ଉଗ୍ରପନ୍ଥୀମାନେ ଅସ୍ତ୍ର ଧରି ମୂଳ କମ୍ୟୁନିଷ୍ଟ ସଂଗଠନରୁ ବିଚ୍ଛିନ୍ନ ହୋଇଯିବା ପରେ ଭୂମିଗତ ରହି ସେମାନଙ୍କ ସଂଘର୍ଷ ଚଳାଇ ଥିଲେ । ସେମାନଙ୍କ ଆଦର୍ଶ ଥିଲା ମାର୍କସବାଦ-ଲେନିନବାଦ । ସେମାନଙ୍କ ଲଢେଇ ପୁଂଜିବାଦ ବିରୋଧରେ ସୀମିତ ଥିଲା । ପରବର୍ତର୍ୀ ସମୟରେ ତାହା ଉଗ୍ରବାଦର ରୂପ ନେଇ ‘ରାଷ୍ଟ୍ର ବିରୋଧୀ’ ଭୂମିଗତ ସଂଘର୍ଷରେ ପରିଣତ ହୋଇଛି । ଏହି ଆଦର୍ଶର ପ୍ରବକ୍ତାଙ୍କ ମଧ୍ୟରୁ ଯେଉଁମାନେ ଘଂଚ ଜଂଗଲରେ ରହି ପୁଲିସ ଓ ପ୍ରଶାସନ ବିରୋଧରେ ଲୁଚିଛପି ଲଢେଇ କରୁଛନ୍ତି ସେମାନଙ୍କୁ ଉଗ୍ରବାଦୀ କୁହାଯାଉଥିବା ବେଳେ ସହରରେ ରହି ସେମାନଙ୍କୁ ସୂଚନା ଓ ସହାୟତା ଯୋଗାଉ ଥିବା ବିପ୍ଳବୀଙ୍କୁ ସହରୀ ନକ୍ସଲ କୁହାଯାଉଛି । ଘଂଚ ଜଙ୍ଗଲରେ ଛପି ରହି ଆଦିବାସୀଙ୍କୁ ସଂଗଠିତ କରୁଥିବା ଏବଂ ସେମାନଙ୍କ ଦାବି ହାସଲ ପାଇଁ ସଶସ୍ତ୍ର ସଂଗ୍ରାମର ଶିକ୍ଷା ଦେଉଥିବା ନକ୍ସଲମାନେ ବିଭିନ୍ନ ସମୟରେ ରାଷ୍ଟ୍ର ବିରୋଧୀ କାର୍ଯ୍ୟରେ ଲିପ୍ତ ରହି ସରକାରଙ୍କ ଚିନ୍ତା ବଢାଉଛନ୍ତି । ବିପ୍ଳବ ଆଦର୍ଶରେ ଅନୁପ୍ରାଣିତ କବି, ଲେଖକ, ସଂଗୀତକାର ଏବଂ ଅନ୍ୟାନ୍ୟ ପେଶାର ବୁଦ୍ଧିଜୀବୀମାନେ ସହରାଂଚଳରେ ରହି ସେମାନଙ୍କୁ ସୂଚନା ଓ ସହାୟତା ପ୍ରଦାନ କରୁଛନ୍ତି । ନକ୍ସଲ ଅଧ୍ୟୁଷିତ ରାଜ୍ୟ ବା ଅଂଚଳରେ ମୁତୟନ ଥିବା ପୁଲିସ ଓ ଗୁଇନ୍ଦା ଅଧିକାରୀମାନେ ଏସଂପର୍କରେ ଜାଣନ୍ତି । କିନ୍ତୁ, ସେଭଳି କିଛି ବଡ ଧରଣର ଘଟଣା ଘଟିଲେ ବା ସୁରାକ ମିଳିଲେ ହିଁ ସହରୀ ନକ୍ସଲଙ୍କୁ ଟାର୍ଗେଟ୍ କରାଯାଇଥାଏ । ଭିଆଇପି ଅପହରଣ ଭଳି କିଛି ବଡ ଧରଣର ଘଟଣା ଘଟିଲେ ସରକାର ଏହି ସହରୀ ନକ୍ସଲଙ୍କ ସହାୟତା ଲୋଡନ୍ତି । ମାଲକାନଗିରି ଜିଲ୍ଲାର ପ୍ରାକ୍ତନ ଜିଲ୍ଲାପାଳ ବିନିଲ କ୍ରୀଷ୍ଣାଙ୍କ ଅପହରଣ ମାମଲା ହେଉ ବା ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରୁ ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ ଘଟଣା ହେଉ, ସେହି ଭଳି ପରିସ୍ଥିତିରେ ଘଂଚ ଜଙ୍ଗଲରେ ଛପି ରହି ଥିବା ନକ୍ସଲଙ୍କ ସହ ମୂଲଚାଲ ପାଇଁ ସହରୀ ନକ୍ସଲଙ୍କ ଆବଶ୍ୟକତା ପଡେ । ବିଚାରଗତ ସାମ୍ୟତା ଦୃଷ୍ଟିରୁ ସହରରେ ରହୁଥିବା ପି. ବରବରା ରାଓଙ୍କ ଭଳି ବିପ୍ଳବୀ ଲେଖକ ଓ ମାନବାଧିକାର ପ୍ରବକ୍ତାମାନେ ଜଙ୍ଗଲରେ ଚଳପ୍ରଚଳ କରୁଥିବା ନକ୍ସଲଙ୍କ ସହ ସଂପର୍କରେ ରୁହନ୍ତି ଏବଂ ଆବଶ୍ୟକତା ପଡିଲେ ସରକାରଙ୍କୁ ସାହାଯ୍ୟ କରନ୍ତି । ଭୂମିଗତ ନକ୍ସଲଙ୍କୁ ମଧ୍ୟ ସେମାନ ସାହାଯ୍ୟ, ସହଯୋଗର ହାତ ବଢାଉ ଥିବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ଅନ୍ୟ କିଛି ବଡ ନେତାଙ୍କୁ ହତ୍ୟା କରିବାକୁ ହୋଇଥିବା ଷଡଯନ୍ତ୍ରରେ ଏହି ସହରୀ ନକ୍ସଲଙ୍କ ସଂପୃକ୍ତ ବୋଲି ପୁଲିସ ଅଭିଯୋଗ କରିବା ପରେ ବରବରା ରାଓ ଓ ଅନ୍ୟ ୪ ଜଣ ମାନବାଧିକାର ପ୍ରବକ୍ତାଙ୍କ ଗିରଫଦାରୀର ଗୁରୁତ୍ୱ ବଢି ଯାଇଛି । ପୁନେ ପୋଲିସର ଏହି ଅଭିଯୋଗ ସଂଗୀନ ହୋଇ ଥିବାରୁ ଦେଶବ୍ୟାପୀ ଚର୍ଚ୍ଚାର ସୁଯୋଗ ସୃଷ୍ଟି ହୋଇଛି । ତେବେ, ଦେଶର ବୁଦ୍ଧିଜୀବୀ ମହଲ ଏହି ଅଭିଯୋଗକୁ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ଭିନ୍ନମତ ପ୍ରକାଶ କରୁଥିବା ବୁଦ୍ଧିଜୀବୀଙ୍କୁ ଜେଲ ପଠାଇବା ପାଇଁ ମୋଦୀ ସରକାରଙ୍କ ଏହା ଏକ ଷଡଯନ୍ତ୍ର କହି ଗିରଫ ମାନବାଧିକାର ପ୍ରବକ୍ତାମାନଙ୍କୁ ତୁରନ୍ତ ଏଭଳି ଘୃଣ୍ୟ ଅଭିଯୋଗରୁ ମୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି ।ଅଗଷ୍ଟ ୨୮ ତାରିଖରେ ବିପ୍ଲବୀ ଲେଖକ ପି.ବରବରା ରାଓ (ହାଇଦ୍ରାବାଦ)ଙ୍କ ସମେତ ଅନ୍ୟ ୪ ଜଣ କଥିତ ନକ୍ସଲ ଶୁଭେଚ୍ଛୁ ମୁମ୍ବାଇର ଓକିଲ ଭେରନନ୍ ଗନସାଲଭେସ, ଥାନେର ଓକିଲ ଅରୁଣ ଫେରିଆରା, ଫରିଦାବାଦର ଓକିଲ ସୁଧା ଭରଦ୍ୱଜ ଓ ଦିଲ୍ଲୀର ମାନବାଧିକାର କର୍ମୀ ଗୌତମ ନବଲାଖଙ୍କୁ ଗିରଫ କରାଯିବାର ପୃଷ୍ଠଭୂମୀ ହେଉଛି ୨୦୧୮ ଜାନୁୟାରୀରେ ମହାରାଷ୍ଟ୍ରର କୋରେଗାଓଁ-ଭୀମାରେ ହୋଇଥିବା ହିସାତ୍ମକ ସଂଘର୍ଷ । ‘ଏଲଗା ପରିଷଦ’ ନାମକ ଏକ ସଂଗଠନ ପକ୍ଷରୁ ୨୦୧୭ ଡ଼ିସେମ୍ବର ୩୧ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏହି ମାନବାଧିକାର ପ୍ରବକ୍ତାମାନେ ଉତ୍ତେଜକ ଭାଷଣ ଦେବାରୁ ୨୦୧୮ ଜାନୁୟାରୀରେ କୋରେଗାଓଁ-ଭୀମା ସଂଘର୍ଷ ଘଟିଲା ବୋଲି ପୁଲିସ କହିଛି । ‘ଏଲଗା ପରିଷଦ’ କାର୍ଯ୍ୟକ୍ରମକୁ ଉଚ୍ଚ ଜାତି ବା ଦକ୍ଷିଣପନ୍ଥୀମାନେ ବିରୋଧ କରୁଥିଲେ । ପୁଲିସ କୋରେଗାଓଁ-ଭୀମାରେ ସଂଘର୍ଷ ଘଟଣାର ତଦନ୍ତ କରି ୨୦୧୮ ଜୁନ ୬ ତାରିଖରେ କିଛି କଥିତ ନକ୍ସଲ ସମର୍ଥକଙ୍କୁ ଗିରଫ କରିଥିଲା । ସେମାନଙ୍କୁ ଜେରା କରିବା ପରେ ମିଳି ଥିବା ତଥ୍ୟ ଓ କାଗଜପତ୍ର ଭିତ୍ତିରେ ପୁଲିସ ଅଗଷ୍ଟ ୨୮ରେ ପି.ବରବରା ରାଓ (ହାଇଦ୍ରାବାଦ)ଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି । ଏହି ମାନବାଧିକାର ପ୍ରବକ୍ତାମାନେ ସଂପ୍ରଦାୟ, ଜାତି, ଜନ୍ମସ୍ଥାନ, ଘର ଓ ଭାଷା ଭିତ୍ତିରେ ବିଭାଜନ ସୃଷ୍ଟିକାରୀ ଉତ୍ତେଜକ ଭାଷଣ ଦେବା ସହ ଶତୃଭାବ ପ୍ରସାର କରି ସାମାଜିକ ସୌହାର୍ଦ୍ଧ୍ୟ ନଷ୍ଟ କରୁଥିବା ଅଭିଯୋଗ କରି ପୁଲିସ ଆଇପିସିର ୧୫୩ ଧାରାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି । ଗିରଫ ୫ ମାନବାଧିକାର ପ୍ରବକ୍ତାଙ୍କୁ କୌଣସି ନିମ୍ନ ଅଦାଲତରେ ହାଜର କରା ନ ଯାଇ ସିଧାସଳଖ ସୁପ୍ରିମ କୋର୍ଟରେ ପହଂଚା ଯିବା ଏବଂ ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି, ଦୁଷ୍ୟନ୍ତ ଡ଼ାଭେ, ପ୍ରଶାନ୍ତ ଭୂଷଣ, ବୃନ୍ଦା ଗ୍ରୋଭର, ରାଜୁ ରାମଚନ୍ଦ୍ରନ, ଇନ୍ଦିରା ଜୟସିଂହ, ଅମରେନ୍ଦ୍ର ସରନଙ୍କ ଭଳି ଦାମୀ ଓକିଲ ସେମାନଙ୍କ ପାଇଁ ମାମଲା ଲଢିବା ଯୋଗୁ ସେମାନେ ଜେଲ ନ ଯାଇ ଗୃହବନ୍ଦୀ ଭାବେ ନିଜ ଘରେ ରହିବାର ସୁଯୋଗ ପାଇଲେ ବୋଲି ଅନେକ ସମାଲୋଚନା କରୁଛନ୍ତି । ଅନ୍ୟପକ୍ଷରେ, ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ପୁନେ ପୁଲିସର ତରବରିଆ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଅଭିଯୁକ୍ତମାନଙ୍କୁ ଜେଲକୁ ନ ପଠାଇ ପୁନେ ନେଇ ଜେରା କରିବା ପରେ ସେମାନଙ୍କ ନିଜ ନିଜ ଘରେ ଛାଡି ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଗୃହବନ୍ଦୀ ରଖିବାକୁ ପୁଲିସକୁ ନିର୍ଦେଶ ଦେଇ ଥିଲେ । ସୁପ୍ରିମ କୋର୍ଟରେ ମାମଲାର ପରବର୍ତୀ ଶୁଣାଣୀ ଗୁରୁବାର ଦିନ ହେବ ।ମାମଲାଟି କୋର୍ଟର ବିଚାରାଧୀନ ଥିବା ସମୟରେ ମହାରାଷ୍ଟ୍ର ପୁଲିସର ଅତିରିକ୍ତ ଡ଼ିଜିପି (ଆଇନ ଶୃଙ୍ଖଳା) ପରମବୀର ସିଂହ ଅଗଷ୍ଟ ୩୧ ତାରିଖରେ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗୃହବନ୍ଦୀ ଥିବା ୫ ମାନବାଧିକାର ପ୍ରବକ୍ତାଙ୍କ ବିରୋଧରେ ରହିଥିବା କଥିତ ଆପତ୍ତିଜନକ ତଥ୍ୟ, ପ୍ରମାଣ ସାମ୍ବାଦିକଙ୍କୁ ଦେଖାଇବା ଘଟଣାକୁ ମୁମ୍ବାଇ ହାଇକୋର୍ଟ କଠୋର ଆଲୋଚନା କରିଛନ୍ତି । ହାଇକୋର୍ଟ ବିଚାରପତି ସାମ୍ବାଜୀ ସିନେ୍ଧ ଓ ବିଚାରପତି ମୃଦୁଳା ଭାଟକରଙ୍କୁ ନେଇ ଗଠିତ ଖଣ୍ଡପୀଠ ମହାରାଷ୍ଟ୍ର ପୁଲିସର ଏହି ସାମ୍ବାଦିକ ସମ୍ମିଳନୀକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ମାମଲା କୋର୍ଟଙ୍କ ବିଚାରାଧିନ ଥିବା ବେଳେ ଏବଂ ତଦନ୍ତ ଚାଲୁ ରହିଥିବା ସମୟରେ ଅଭିଯୁକ୍ତମାନଙ୍କ ବିରୋଧରେ ଥିବା କଥିତ ତଥ୍ୟ, ପ୍ରମାଣକୁ ସାମ୍ବାଦିକଙ୍କ ନିକଟରେ ପ୍ରଦର୍ଶନ କରିବାକୁ କିଏ ଅନୁମତି ଦେଲା ବୋଲି ମହାରାଷ୍ଟ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ପୁଲିସ ପୁନର୍ବାର ଏଭଳି କାର୍ଯ୍ୟ ନ କରିବାକୁ ସରକାରଙ୍କ ଓକିଲ ଦୀପକ ଥାକରେଙ୍କ ଜରିଆରେ ଖଣ୍ଡପୀଠ ଚେତାବନୀ ଦେଇଛନ୍ତି । କୋରେଗାଓଁ-ଭୀମା ହିଂସାକାଣ୍ଡ ଘଟଣାର ତଦନ୍ତ ନିରପେକ୍ଷ ଭାବେ ହେଉ ନ ଥିବା ଏବଂ ପୁଲିସ ରାଜନୈତିକ ଉଦେ୍ଦଶ୍ୟ ରଖି ଏହାର ତଦନ୍ତ କରୁ ଥିବା ଅଭିଯୋଗ କରି ପୁନେ ବାସିନ୍ଦା ସତୀଶ ଗାଏକୱାଡ ମାମଲାର ଏନଆଇଏ ତଦନ୍ତ ଦାବି କରିଛନ୍ତି । ମୁମ୍ବାଇ ହାଇକୋର୍ଟରେ ସେ ଦାଖଲ କରିଥିବା ପିଟିସନ ଉପରେ ଶୁଣାଣୀ ସମୟରେ ପୁନେ କୋର୍ଟ ପୁଲିସ ଉଚ୍ଚାଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ ସଂପର୍କରେ ସୂଚନା ପାଇ ଥିଲେ । ମାମଲା ସହ ଅନଲଫୁଲ୍ ଆକ୍ଟିଭିଟିସ୍ ପ୍ରିଭେନସନ୍ ଆକ୍ଟ (ୟୁଏପିଏ)କୁ ଯୋଡା ଯାଇ ଥିବାରୁ ମାମଲାଟି ଏନଆଇଏ ଦ୍ୱାରା ତଦନ୍ତ ହେବା ଉଚିତ ବୋଲି ଗାଏକୱାଡ ଯୁକ୍ତି ଉପସ୍ଥାପନ କରିଛନ୍ତି । ସୋମବାର ମୁମ୍ବାଇ ହାଇକୋର୍ଟର ଖଣ୍ଡପୀଠ ଗାଏକୱାଡଙ୍କ ପିଟିସନର ଶୁଣାଣୀ କରୁଥିବା ବେଳେ ଅଗଷ୍ଟ ୨୮ରେ ଗିରଫ ୫ ମାନବାଧିକାର ପ୍ରବକ୍ତାଙ୍କ ମାମଲାରେ ପୁଲିସ ମାତ୍ରାଧିକ ଆଗ୍ରହ ପ୍ରକାଶ କରିବାର କାରଣ କଣ (?) ବୋଲି ପ୍ରଶ୍ନ କରି ମହାରାଷ୍ଟ୍ର ପୁଲିସକୁ ଅଧିକ ସନେ୍ଦହ ଭିତରକୁ ଟାଣି ଆଣିଛନ୍ତି ।