ସହନଶୀଳତା…

ମାନସିକ ଭାବାବେଗକୁ ପ୍ରଶମିତ କରି ଧୈର୍ଯ୍ୟର ସହିତ କୌଣସି କାର୍ଯ୍ୟ କଲେ ଅସହିଷ୍ଣୁ
ମନୋଭାବ ସୃଷ୍ଟି ହେବା ସମ୍ଭାବନା କମ୍‌, ଯାହା ସାଧାରଣ ମଣିଷ ବୁଝି ପାରନ୍ତି ନାହିଁ !
ସହନଶୀଳତା ଏକ ମାନବୀୟ ଚରିତ୍ର ଯାହା ପ୍ରବାହ କରିବା
ଅତ୍ୟନ୍ତ କଷ୍ଟକର ହୋଇ ପଡିଛି ଆଜିର ସାମାଜିକ ପରିବେଶରେ !
କ୍ରୋଧର ବିପରୀତ ଚରିତ୍ର ସହନଶୀଳତା । ମନର ଆକାଂକ୍ଷା ଜନିତ ଆବେଗ ମଣିଷକୁ ଅସ୍ଥିର ଭାବାପନ୍ନ କରି ନିଜର ବିଚାର ବିପରିତରେ ଅସହିଷ୍ଣୁ ମନୋଭାବ ସୃଷ୍ଟି କରିଥାଏ । ନିଜସ୍ୱ ବିଚାରଧାରାର ବିପରୀତମୁଖୀ କାର୍ଯ୍ୟ ପ୍ରତି ଅସହନଶୀଳ ହେବା ମଣିଷର ଏକ ଅଜ୍ଞାନ ଚରିତ୍ର । ସାମାଜିକ, ପାରିପାଶ୍ୱର୍ିକ, ପ୍ରାକୃତିକ ନିୟମ ଗୁଡିକୁ ପ୍ରତ୍ୟାଖ୍ୟାନ କରି କେବଳ ବ୍ୟକ୍ତିଗତ ଭାବ କୈନ୍ଦ୍ରିକ ଉପଲବ୍ଧି ବିଚାର ରଖୁଥିବା ମଣିଷ ଅପ୍ରାପ୍ତିରେ କ୍ଷୁବ୍ଧ, ଅସ୍ଥିର ମନୋଭାବ ପୋଷଣ କରିବା ସ୍ୱାଭାବିକ । ସେହି ଅସ୍ଥିର ଭାବ ମଣିଷକୁ ଅସହିଷ୍ଣୁ କରିଦେଇ ଥାଏ । ତେଣୁ କ୍ଷଣ କ୍ଷଣ ମଣିଷ ବିବ୍ରତ ମନୋଭାବ ପ୍ରକାଶ କରି ନିଜର ଧୈର୍ଯ୍ୟ, ସହନଶୀଳତା କ୍ଷୁର୍ଣ୍ଣ କରିଥାଏ । ମଣିଷ ନିଜର ଜନ୍ମଗତ ଚରିତ୍ର ହେତୁ ଅନେକ ବିଚାରଧାରା ପ୍ରବାହ କରୁଥିବା ବେଳେ ଆଉ କେତେକ ସାମାଜିକ, ପାରିପାଶ୍ୱର୍ିକ ଶୈଖିକ ଚରିତ୍ର ମଧ୍ୟ ଜୀବନକାଳ ମଧ୍ୟରେ ବ୍ୟବହାର କରିଥାଏ । ନିଜର ସ୍ଥିତି ଜନିତ ବିଭିନ୍ନ ଭାବାବେଗ ମଣିଷର ମନ ମାନସକୁ ଆନ୍ଦୋଳିତ କରି ମସ୍ତିଷ୍କକୁ ଅସ୍ଥିର ପ୍ରବଣ କରିବାରେ ସହଯୋଗ କରିଥାଏ । ମାନସିକ ଅସ୍ଥିରତା ହେତୁ ବିବେକ ଶୂନ୍ୟ ମଣିଷ କେତେବେଳେ ଯେ କେଉଁ ପ୍ରକାର ଭାବଧାରା ସୃଷ୍ଟି କରିବ ତାହାର କୌଣସି ନିର୍ଦ୍ଧିଷ୍ଟ ସୂଚନା ନଥାଏ । ସେହି ମାନସିକ ବିଚଳିତ ପରିସ୍ଥିତି ଅନେକ ସମୟରେ ମଣିଷକୁ ଅସହିଷ୍ଣୁ କରିଦିଏ । ଅସହିଷ୍ଣୁତା ଭାବ ହେତୁ ମଣିଷ ଅନେକ ସମୟରେ ନିଜର କ୍ରୋଧକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ରହିଥାଏ । କ୍ରୋଧ ପ୍ରାୟତଃ ମଣିଷକୁ ବ୍ୟାପକ କ୍ଷତି କରିବା ବ୍ୟତୀତ ଯୁକ୍ତାତ୍ମକ ପ୍ରତିକ୍ରିୟା ଯଥେଷ୍ଟ କମ୍ ଦେଇଥାଏ । ଅସହିଷ୍ଣୁ ଭାବ ମଣିଷକୁ କେମିତି ବ୍ୟଥିତ କରିଥାଏ ବିଚାର କରି ଦେଖିବା….. ଅନେକ ସମୟରେ ମଣିଷ ନିଜସ୍ୱ ଆର୍ଥିକ ସ୍ୱାର୍ଥ କିମ୍ବା ସାମାଜିକ ସମ୍ମାନ ଜନିତ ବ୍ୟତିକ୍ରମ ଉପରେ ଆଧାରିତ ଅସହିଷ୍ଣୁ ଭାବ ପ୍ରଦର୍ଶନ କରୁଥିବା ଏକ ସାଧାରଣ ଲକ୍ଷଣ ଭାବେ ଦେଖିବାକୁ ମିଳେ । କୌଣସି ସୂତ୍ରରୁ ନିଜକୁ ପ୍ରାପ୍ତି ହେବାକୁ ଥିବା ଧନ ରାଶି କିମ୍ବା ସାମାଜିକ ସମ୍ମାନ ଅପ୍ରାପ୍ତିରେ ମଣିଷ ଅତ୍ୟଧିକ ଅସହିଷ୍ଣୁ ହେଉଥିବା ଏକ ସାଧାରଣ ବିଷୟ । ସାଧାରଣତଃ ଅଜ୍ଞାନତା ମଣିଷକୁ ଏହିଭଳି ଅମାନବୀୟ ଚରିତ୍ର ପ୍ରବାହ କରିବା ପାଇଁ ସାହାଯ୍ୟ କରିଥାଏ । ଶିକ୍ଷିତ ହୋଇଗଲେ ଯେ ମଣିଷ ନିଜକୁ ସବୁ ଦିଗରେ ସଂସ୍କାରିତ କରିପାରିବ ବୋଲି ଭାବିବା ବ୍ୟର୍ଥ । କାରଣ ମାନବିକ ଚରିତ୍ର କେବଳ ଜ୍ଞାନରୁ ଉଦ୍ଧୃତ ଯାହା ପ୍ରାକୃତିକ । ତେଣୁ ଆଜି ସମୟରେ ଅନେକ ଶିକ୍ଷିତ ଏହିଭଳି ଅମାନବୀୟ ଚରିତ୍ର ପ୍ରବାହ କରୁଥିବା ଦେଖିବାକୁ ମିଳିବ ଉପଯୁକ୍ତ ଅନୁସନ୍ଧାନ କଲେ । କାରଣ ଏକ ସାମାଜିକ କୃତ୍ରିମ ବ୍ୟବସ୍ଥା ଶିକ୍ଷାରୁ ଯେ ମଣିଷ ନିଜକୁ ସଂସ୍କୃତ କରିପାରିବ ତାହାର କୌଣସି ନିଶ୍ଚିତ ନିଦର୍ଶନ ନାହିଁ । ବରଂ ଶିକ୍ଷାଗତ ପ୍ରମାଣପତ୍ର ପାଇ କୁସଂସ୍କାରୀ ମଣିଷ ଗୁଡିଏ ସାମାଜିକ ଶୀର୍ଷ କ୍ଷେତ୍ରରେ ଅବସ୍ଥାପିତ ହୋଇ ସମାଜରେ ବ୍ୟାପକ ଅମାନୁଷିକ ଚରିତ୍ର ପ୍ରବାହ କରୁଥିବା କଥା କାହାକୁ ଅଗୋଚର ?! ହେଲେ ଏହି ଦୁଇଟି ବିଷୟ ଉପରେ ଆଧାରିତ କିଛି ଉଦାହରଣ ଦିଆଗଲେ , ତାହା ମଣିଷର ସହନଶୀଳତା ଉପରେ କେମିତି ପ୍ରଭାବ ପକାଇଥାଏ ବୁଝି ହେବ । ଯଦି କେହି ନିଜସ୍ୱ ସମ୍ପତ୍ତି କିମ୍ବା ଅନ୍ୟ କେଉଁ ସୂତ୍ରରୁ ପାଇବାକୁ ଥିବା ଧନ ରାଶିର ହକ୍‌ରୁ ବଂଚିତ ରହିଥାଏ ତାହେଲେ ସେହି ମଣିଷର ମାନସିକ ବିଚ୍ୟୁତି ତଥା ଭାବାବେଗ ଅତ୍ୟନ୍ତ କ୍ଷିପ୍ର ହୋଇଥାଏ । ସେହି ଦ୍ରବ୍ୟ ପ୍ରାପ୍ତି ନହେବା ପର୍ଯ୍ୟନ୍ତ ନିଜକୁ ଅସ୍ଥିର ଭାବାବେଗ ମଧ୍ୟରେ ରଖି ସମୟ ସମୟରେ ଆକ୍ରୋଶ ଭାବ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ ଅନୁଧ୍ୟାନ କଲେ । ସମ୍ପୃକ୍ତ ଦ୍ରବ୍ୟ ପ୍ରାପ୍ତି ପରେ ମଧ୍ୟ ସେ ନିଜ ମାନସିକତାକୁ ସ୍ଥିର ରଖିବାରେ ସମର୍ଥ ହୋଇ ନଥାଏ । କାରଣ ପୁନଃ ଅପ୍ରାପ୍ତିର ଆଶଙ୍କା ସମ୍ପୃକ୍ତ ମଣିଷକୁ ସବୁବେଳେ ଘାରୁଥାଏ । ଅତଏବ ଏହି ଦ୍ରବ୍ୟ ପ୍ରାପ୍ତି ମଣିଷର ଲୋଭାସକ୍ତ ଆଚରଣରୁ ଉଦ୍ଧୃତ ଏକ ଜଟିଳ ବ୍ୟବହାର ଯାହା ବର୍ଜନ କରିବା ଆଜି ସମୟରେ ପ୍ରାୟତଃ ଅସମ୍ଭବ ଭଳି ଅନୁଭବ ରହିଛି ସମସ୍ତଙ୍କର । ସେହିଭଳି ଜଣେ ମଣିଷର ସାମାଜିକ ସ୍ତରକୁ ନେଇ ତା’ର ଆତ୍ମ ତୃପ୍ତି ଜନିତ ଆନନ୍ଦ ଅନୁଭବ କରିଥାଏ ସମ୍ପୃକ୍ତ ମଣିଷ । ସେଇଥିରୁ ବ୍ୟତିକ୍ରମ ତଥା ଉପଯୁକ୍ତ ମାନ୍ୟତାର ଅପ୍ରାପ୍ତି ମଣିଷକୁ ଅତ୍ୟଧିକ କ୍ଷୁବ୍ଧ କରିଥାଏ । ଅର୍ଥାତ ଯଦି କେହି ଜଣକୁ ଉପଯୁକ୍ତ ସମ୍ମାନ ଦେବାରେ କୁଣ୍ଠା ପ୍ରକାଶ କରିଥାଏ ତାହେଲେ ସେହିଭଳି କ୍ଷେତ୍ରରେ ସମ୍ପୃକ୍ତ ମଣିଷ ନିଜର ସମ୍ମୁଖସ୍ଥ ମଣିଷଟି ପ୍ରତି କ୍ଷୁବ୍ଧତା ପ୍ରକଟ କରୁଥିବା ଦେଖିବାକୁ ମିଳିବ । ଏହା ମଣିଷର ଅହଂଭାବ ଜନିତ ଏକ ଜଟିଳ ଆଚରଣ ଯାହା ବର୍ଜନ କରିବା ଅସମ୍ଭବ ବୋଲି ଧାରଣା ସୃଷ୍ଟି କରୁଛି ଆମ ମନରେ, ଆଜିର ସାମାଜିକ, ପାରିପାଶ୍ୱର୍ିକ ପରିସ୍ଥିତିକୁ ଅନୁଧ୍ୟାନ କଲେ । କେବଳ ଏତିକି ନୁହେଁ ବରଂ ଆହୁରି ଅନେକ କ୍ଷେତ୍ରରେ ମଣିଷ ସ୍ଥଳ ବିଶେଷକୁ ନେଇ କ୍ଷୁବ୍ଧତା ତଥା ଅସହନଶୀଳତା ପ୍ରଦର୍ଶନ କରୁଥିବା ଆଜି ସମୟର ଏକ ସାମାଜିକ ବ୍ୟତିକ୍ରମ ଦେଖିବାକୁ ମିଳିବ ପ୍ରାୟ ୯୯ ମଣିଷଙ୍କ ପାଖରେ । ନିଜସ୍ୱ ବିଚାରଧାରା ଜନିତ ଅସହନଶୀଳତା ଯେତିକି ମନ୍ଦ ତାହାଠାରୁ ଅଧିକ ମାରାତ୍ମକ ଅନ୍ୟାୟକୁ ବିରୁଦ୍ଧ ନକରି ସହନଶୀଳତା ପ୍ରଦର୍ଶନ କରିବା, ଯାହା ଆଜିର ଏକ ସାଙ୍ଘାତିକ ସାମାଜିକ ସମସ୍ୟା ଦେଖିବାକୁ ମିଳୁଛି ଆମ ସମାଜରେ । ଅର୍ଥାତ ଯେତେ ଯାହା ସାମାଜିକ ପରିସ୍ଥିତି ଉପୁଜିଲେ ମଧ୍ୟ ସାଧାରଣ ଲୋକଙ୍କ ନିର୍ବାକ ଦୃଷ୍ଟିଭଙ୍ଗୀ ସମାଜରେ କଳୁଷିତ ବାତାବରଣ ସୃଷ୍ଟି କରୁଛି ଯାହା ସମସ୍ତଙ୍କୁ ଅସହନଶୀଳ ହେବା ଦିଗରେ ପରିଚାଳିତ କରୁଛି । ତେଣୁ ସାମାଜିକ ପରିସ୍ଥିତି ଗୁଡିକୁ ଅନୁଧ୍ୟାନ କରି ଅନୁକରଣ ନକରି ନିଜସ୍ୱ ଅନ୍ତର୍ଜ୍ଞାନ ସୃଷ୍ଟି କରି ସବୁ ବିଷୟରେ ବିଶେଷ ଜ୍ଞାନ ଅର୍ଜନ ପୂର୍ବକ ନିଜ ଜୀବନକୁ ସାତ୍‌ମାର୍ଗରେ ପରିଚାଳିତ କରିବା ସହିତ ସାମାଜିକ ଅଭାବନୀୟତା ଗୁଡିକ ପ୍ରତି ଅସହିଷ୍ଣୁ ଭାବ ପ୍ରଦର୍ଶନ ପୂର୍ବକ ସେଗୁଡିକର ଆସୁ ସମାଧାନ କରାଯିବା ଲକ୍ଷ ରଖିବା ଜଣେ ଉତ୍ତମ ନାଗରିକର ସର୍ବାଦୌ କର୍ତବ୍ୟ । ଆସକ୍ତି ତଥା ନିଜକୁ ସମାଜରେ ପ୍ରଦର୍ଶନ କରିବା ଭଳି ଚିନ୍ତାଧାରା କେବଳ ଅଜ୍ଞାନ ମଣିଷଙ୍କ ରହିଥାଏ ଯାହା ସେମାନଙ୍କୁ ଅସହନଶୀଳତାର ଚରମ ଶୀର୍ଷରେ ଅବସ୍ଥାପିତ କରିଥାଏ । ଅନ୍ତର୍ଜ୍ଞାନ ମଣିଷକୁ ସନ୍ତୁଳିତ ଅବସ୍ଥାରେ ବିଚାର ରଖିବାରେ ସାହାଯ୍ୟ କରିଥାଏ ଯାହା ଆଜି ସମୟରେ ୧ରୁ କମ୍ ଦେଖିବାକୁ ମିଳିବ ଅନୁସନ୍ଧାନ କଲେ । ମଣିଷକୁ ଏହିଭଳି ବିଚାରଧାରାରେ ସମ୍ଭୁଶୀତ କରି ସମାଜରେ କଳୁଷିତ ବାତାବରଣ ସୃଷ୍ଟି କରିବାରେ କେତେକ କେଳେଙ୍କାରୀ ମଣିଷଙ୍କ ହାତ ଯଥେଷ୍ଟ ଅଧିକ । ନିର୍ବୋଧ ସେଗୁଡିକୁ ବୁଝିବାରେ ଅସମର୍ଥ ରହି ସମୟ ସ୍ରୋତରେ ନିଜକୁ ପରିଚାଳିତ କରି ଜୀବନର ପ୍ରତ୍ୟେକ ସମୟରେ ଅସହନଶୀଳ ଆଚରଣ ପ୍ରଦର୍ଶନ ପୂର୍ବକ ନିଜସ୍ୱ ଦୁର୍ଲଭ ଜୀବନକୁ ନଷ୍ଟ କରିବାରେ ପଛଘୁଞ୍ଚା ଦେଉନଥିବା କୌଣସି ଆକାଶ ମାର୍ଗର ଚେତନାରୁ ନୁହେଁ, ବରଂ ଆମ ସମାଜର କେତେକ କଳୁଷିତ ଚିନ୍ତାଧାରା ଯୁକ୍ତ ମଣିଷଙ୍କ ଯାହା ତର୍ଜମା କରି ବିଚାରକୁ ନିଆଯିବା କଥା, ଯାହା କେହି କରୁନାହାନ୍ତି । ତେଣୁ ସମାଜରେ ଅସହିଷ୍ଣୁ ଭାବାପନ୍ନ ମଣିଷଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହୋଇ ଆଜି ୧୦୦ ପାଖରେ ପହଂଚିଲାଣି । ଏହି ବିଚାରଧାରାକୁ ପରିବର୍ତନ କରି ମାନବିକ ଚରିତ୍ର ତଥା ସହନଶୀଳ ଭାବ ପ୍ରବାହ କରିବା କୌଣସି ପରି ରାଇଜର ଅଲୌକିକ ବିଷୟ ନୁହେଁ, ବରଂ ନିଜକୁ ସ୍ଥିତପ୍ରଜ୍ଞ କରି ଅନ୍ୟର ପ୍ରରୋଚନାରୁ ଦୁରେଇ ରଖି ପ୍ରାକୃତିକ ଉପାୟରେ ବଂଚିବା ଶିଖିଲେ ମଣିଷ ସୁଖ, ଶାନ୍ତି ପାଇପାରିବ ବୋଲି ଆମ ବିଚାରରେ ଆପଣଙ୍କ ଅନୁଭୂତି କ’ଣ…….??
ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.