ସର୍ବ ଭାରତୀୟ ପ୍ରତିବାଦ ଦିବସ ପାଳନ କଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରାମଣର ଆତଙ୍କ ଚାଲିଥିବା ବେଳେ ଆଜି ପାର୍ଲ୍ୟାମେଣ୍ଟ ଅଧିବେଶନ ଆରମ୍ଭ ହୋଇଛି । କିନ୍ତୁ ପାର୍ଲ୍ୟାମେଣ୍ଟରେ ବିରୋଧୀ ଦଳଙ୍କ ପକ୍ଷରୁ ସରକାରଙ୍କୁ କୌଣସି ପ୍ରକାର ପ୍ରଶ୍ନ ପଚାରିବା ପାଇଁ ନିଷେଧ କରାଯାଇ ଗଣତନ୍ତ୍ରର ହତ୍ୟା କରାଯାଇଛି । ଏହି ପରିପ୍ରେକ୍ଷୀରେ ମୋଦି ସରକାରଙ୍କର ଜନ ବିରୋଧୀ ନୀତି ବିରୋଧରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସର୍ବ ଭାରତୀୟ ଦାବି ଦିବସ ପାଳନ କରାଯାଉଛି । ଦେଶର ସମସ୍ତ ନାଗରିକଙ୍କର ଜୀବନ-ଜୀବିକା, ସ୍ୱାସ୍ଥ୍ୟ, ଶିକ୍ଷା, ନ୍ୟାୟ ଓ ଜାତୀୟ ଅର୍ଥନୀତିର ସୁରକ୍ଷା ପାଇଁ ଏହି ସର୍ବ ଭାରତୀୟ ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ । ମୋଦି- ଶାହାଙ୍କ ନେତୃତ୍ୱାଧୀନ ସଂଘ ପରିବାରର ଏକଛତ୍ରବାଦୀ ବିଜେପି ସରକାର ଦେଶର ଅର୍ଥନୀତିକୁ ଧ୍ୱସ୍ତ-ବିଧ୍ୱସ୍ତ କରି ସର୍ବଗ୍ରାସୀ ମହା ସଙ୍କଟ ସୃଷ୍ଟି କରିଛି । ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଶେଷ କରିଛି । ଏସଂପର୍କରେ ଦେଶର ଜନଗଣଙ୍କୁ ଅବଗତ ଓ ସଚେତନ କରାଇବାକୁ ଲୋକଙ୍କ ନିକଟରେ ପହଂଚିବା ପାଇଁ ସିପିଆଇର ଏହା ଏକ ପ୍ରଚେଷ୍ଟା । ମୋଦି ସରକାରଙ୍କ ସର୍ବନାଶୀ ନୀତି, ବେରୋଜଗାରୀ, ଦାରିଦ୍ର‌୍ୟ ବୃଦ୍ଧି ଆକାଶଛୁଆଁ ହୋଇଛି । ଲୋକଙ୍କ କ୍ରୟଶକ୍ତି ହ୍ରାସ ସହ ଜୀବନ-ଜୀବିକା ଦୁର୍ବିସହ ହୋଇଛି । ଦେଶର ମହାସଙ୍କଟ ଗ୍ରସ୍ତ ଅର୍ଥନୀତିର ପୁର୍ନରୁଦ୍ଧାର ସାଙ୍ଗକୁ ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ ସଂଗ୍ରାମ ଚଳାଇବାକୁ ପାର୍ଟି ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ସର୍ବ ଭାରତୀୟ ପ୍ରତିବାଦ ଦିବସ ଅବସରରେ ବ୍ରହ୍ମପୁର ମୁଖ୍ୟ ଡ଼ାକଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ସିପିଆଇ ରାଜ୍ୟ ସମ୍ବାଦକ ମଣ୍ଡଳୀ ସଭ୍ୟ ପ୍ରଶାନ୍ତ ପାଟ୍ଟଯୋଶୀ, ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ସହ ସଂପାଦକ ନୀଳକଣ୍ଠ ଦାଶ, ଯୁବ ସଂଘ ରାଜ୍ୟ ସଭାପତି ପ୍ରଦୀପ ସେଠୀ, କାମଦେବ ନାହାକ, କେଶବ ନାହାକ, ରୋହିତ ବିଷୋୟୀ, ବୈରାଗୀ ରେଡ୍ଡି, ଗୁରୁନାଥ ପ୍ରଧାନ, କୈଳାସ ଦାସ, ଦଣ୍ଡପାଣି ପାତ୍ର, କବିରାଜ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା