ସରକାରୀ ଯୋଜନାର ବାଟବଣା ବିରୁଦ୍ଧରେ ସିଡ଼ିଏମଓଙ୍କ କଡା ପଦକ୍ଷେପ:ଦୁଇ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି,ବହିଷ୍କାର କେବେ ?…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ସିଟି ହସ୍ପିଟାଲରେ ଯେଉଁ ପରି ଭାବେ ଦୁଇ ଜଣ ଅସ୍ଥିଶଲ୍ୟ ବିଶେଷଜ୍ଞ ଖୋଲାଖୋଲି ରାଜ୍ୟ ସରକାରଙ୍କ ଘୋଷିତ ନିରାମୟ ଓ ନିଦାନ ଯୋଜନାକୁ ଉଲ୍ଲଙ୍ଘନ କରି ଘରୋଇ ଔଷଧ ଦୋକାନ, ଘରୋଇ କ୍ଲିନିକ, ନର୍ସିଂହୋମକୁ ରୋଗୀ ଚାଲାଣ କରୁଛନ୍ତି, ତା ବିରୁଦ୍ଧରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଗତ ୭ତାରିଖରେ ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୭୬ତମ ଘାଣ୍ଟଯାତ୍ରା ଗଣବିକ୍ଷୋଭ ଆୟୋଜିତ ହୋଇଥିଲା । ଏହି ଦୁଇ ଡାକ୍ତର ଶଙ୍କର୍ଷଣ ପାତ୍ର ଓ ଡା. ଦିଲ୍ଲୀପ କୁମାର ମିଶ୍ରଙ୍କ ବିରୁଦ୍ଧରେ ଆବଶ୍ୟକ ପ୍ରମାଣ ପ୍ରଦାନ କରାଯାଇଥିଲା । ସେହି ପ୍ରମାଣକୁ ଆଧାର କରି ସିଡିଏମଓ ଡା. ସଦାନନ୍ଦ ମିଶ୍ର ରୋଗୀ ଚାଲାଣ ସହ ସଂପୃକ୍ତ ଦୁଇ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରେରଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ସିଟି ହସ୍ପିଟାଲ ସମେତ ଏମକେସିଜି ମେଡିକାଲରେ ମଧ୍ୟ ଏହପରି ଅବ୍ୟବସ୍ଥା ଦୀର୍ଘ ଦିନରୁ ଲାଗି ରହିଛି । ହସ୍ପିଟାଲରେ ଔଷଧ ଓ ଯନ୍ତ୍ରପାତି ଥିବା ସତ୍ୱେ ଘରୋଇ ମେଡିକାଲକୁ ରୋଗୀ ଚାଲାଣ ଚାଲିଛି ଓ ଏଥିରେ ପ୍ରାୟ ଡାକ୍ତର ସମ୍ପୃକ୍ତ ରହି ଏଥିପାଇଁ ମେଡିକାଲରେ ଦଲାଲମାନଙ୍କୁ ନିୟୋଜିତ କରୁଛନ୍ତି । ଏହା ବିରୁଦ୍ଧରେ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୀର୍ଘ ୨ବର୍ଷରୁ ସ୍ୱାସ୍ଥ୍ୟ ଅଧିକାର ଲଢ଼େଇକୁ ଜାରି ରଖିଛନ୍ତ । ନିରାମୟ, ନିଦାନ ଯୋଜନାକୁ ବାଟବଣା କରୁଥିବା ଡାକ୍ତରଙ୍କ ବିରୁଦ୍ଧରେ ସିଡିଏମଓଙ୍କ ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସିତ ହୋଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା