‘ସମ୍ବିଧାନ ବଞ୍ଚାଅ-ଗଣତନ୍ତ୍ର ବଞ୍ଚାଅ-ଦେଶ ବଞ୍ଚାଅ’ନାରାରେ କମ୍ପି ଉଠିଲା ରାଜଧାନୀ…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଆଜି ‘ସମ୍ବିଧାନ ବଞ୍ଚାଅ-ଗଣତନ୍ତ୍ର ବଞ୍ଚାଅ-ଦେଶ ବଞ୍ଚାଅ’ନାରାରେ କମ୍ପି ଉଠିଲା ରାଜଧାନୀ ଭୁବନେଶ୍ୱର । ସାରାଦେଶରେ କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ(ସିଏଏ) ସମେତ ଏନଆରସି ଓ ଏନପିଆର ବିରୁଦ୍ଧରେ ତୀବ୍ର ଜନ ଜାଗରଣ ଦେଖା ଦେଇଥିବା ବେଳେ ଏହାକୁ ବିରୋଧ କରି ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ସହ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ସମସ୍ତ ବିରୋଧୀ ଦଳ ସହ ମୋଟ ୧୮ଟି ସଂଗଠନ ଏହି ସମାବେଶରେ ସାମିଲ ହୋଇ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାରଙ୍କୁ ତୁରନ୍ତ ଗାଦିଚ୍ୟୁତ କରିବାକୁ ସଂକଳ୍ପ ନେବା ସହ ମୋଦିଙ୍କ କାର୍ଯ୍ୟକୁ ଏକଛତ୍ରବାଦ ଓ ସମ୍ବିଧାନ ବିରୋଧୀ ବୋଲି ଅଭିଯୋଗ କରି ଥିଲେ। ଆଜି ପୂର୍ବାହ୍ନରେ ରାମ ମନ୍ଦିର ଛକ ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆ ନିକଟରେ ବିକ୍ଷୋଭକାରୀମାନେ ଏକଜୁଟ ହୋଇ ପିଏମଜି ଛକ ଅଭିମୁଖେ ଏକ ବିଶାଳ ସମାବେଶରେ ଆସିଥିଲେ। ଲୋଏର ପିଏମଜିରେ ଏକଜୁଟ ହେବାପରେ ବିକ୍ଷୋଭକାରୀମାନେ ‘ସମ୍ବିଧାନ ବଞ୍ଚାଅ-ଗଣତନ୍ତ୍ର ବଞ୍ଚାଅ-ଦେଶ ବଞ୍ଚାଅ’ ଆଦି ସ୍ଲୋଗାନ ଦେଇ ଆୟୋଜିତ ସମାବେଶରେ ମୋଦି ହଟାଓ ସଂକଳ୍ପ ନେଇଥିଲେ। ସମାବେଶରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଭିନ୍ନ ଲୋକମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ସମାବେଶରେ ବିଭିନ୍ନ ସଂଗଠନର ନେତାମାନେ କେନ୍ଦ୍ରରେ ବିଜେପି ସରକାରର ଷଡ଼ଯନ୍ତ୍ର ଓ ରାଜ୍ୟରେ କ୍ଷମତାସୀନ ବିଜେଡିର ଦୋମୁହାଁ ନୀତିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଓଡ଼ିଶାରେ ଏନପିଆର ଲାଗୁକୁ ବିରୋଧ କରି ମଧ୍ୟ ଏକ ଦାବିପତ୍ର ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା । ଏହି ଆନ୍ଦୋଳନରେ ବିଭିନ୍ନ ମୁସଲିମ ସଂଗଠନ, ଆଦିବାସୀ ସଂଗଠନ, ଖ୍ରୀଷ୍ଟିୟାନ ସମୁଦାୟ ସମେତ ବାମଦଳକୁ ମିଶାଇ ମୋଟ ୧୮ଟି ସଂଗଠନ ସାମିଲ ହୋଇଥିଲେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଜୟଦେବ ଜେନା, ସୁରେଶ ରାଉତରାୟଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ। ଏହି ସମାବେଶରେ ସାମିଲ ହେବାକୁ କୋରାପୁଟ ଓ ମାଲକାନଗିରି ଅଞ୍ଚଳର ବହୁ ଆଦିବାସୀ ପାରମ୍ପରିକ ବେଶଭୂଷାରେ ଆସି ଯୋଗଦେଇଥିବା ଦେଖିବାକୁ ମିଳିଥିଲା।