ସମୀର ଦାଶଙ୍କ ଟିକେଟ କଟିବା ପ୍ରତିବାଦରେ ପ୍ରତିବାଦ ସଭା

ନିମାପଡ଼ା(ସମୃଦ୍ଧଓଡିଶା)ଗତ କାଲି ବିଜେଡି ପକ୍ଷରୁ ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଛି।ନିମାପଡ଼ା ଆସନ ପାଇଁ ନୂତନ ଭାବେ ଦଳ ଦିଲ୍ଲୀପ ନାୟକଙ୍କୁ ଟିକେଟ ପ୍ରଦାନ କରିଛି।ଏଥିରେ ଅସନ୍ତୋଷ ପ୍ରକାଶ କରି ବିଜେଡି ଦଳର ୬୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଓ ସମର୍ଥକ ମାନେ ସ୍ଥାନୀୟ ଗ୍ରୀନଲ୍ୟାଣ୍ଡ କଲ୍ୟାଣ ମଣ୍ଡପ ଠାରେ ଏକତ୍ରିତ ହୋଇ ଏକ ପ୍ରତିବାଦ ସଭା ଆୟୋଜନ କରିବା ସହ ବିଜେଡି ରାଜ୍ୟ ନେତୃତ୍ବ ଏହାର ପୁନଃବିଚାର କରି ପୁଣି ଥରେ ସମୀର ରଞ୍ଜନ ଦାଶଙ୍କୁ ଦଳୀୟ ଟିକେଟ ପ୍ରଦାନ କରିବାକୁ ଦାବି କରିଥିଲେ।ଆଜିର ପ୍ରତିବାଦ ସଭାରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ୪୬ଟି ପଞ୍ଚାୟତର ଯୁବ,ଛାତ୍ର,ମହିଳା ଏବଂ ଦଳର ଛାମୁଆଁ ନେତା ମାନେ ଉପସ୍ଥିତ ଥିଲେ।ସମର୍ଥକ ମାନେ ବାରମ୍ବାର ଫୋନ୍ କରିବାରେ ସଭାର ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଥିଲେ ବିଧାୟକ ସମୀର ରଞ୍ଜନ ଦାଶ।ଆଉ ନିଜର କର୍ମକର୍ତ୍ତା ଓ ସମର୍ଥକ ମାନଙ୍କୁ କହିଥିଲେ ତାଙ୍କର ନବୀନ ପଟ୍ଟନାୟକଙ୍କ ଉପରେ ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସ ରହିଛି।ସେ ନିଶ୍ଚିତ ଏହାର ପୁନଃର୍ବିଚାର କରିବେ।ପରେ ସମୀର ଦାଶ ଜିନ୍ଦାବାଦ ଧ୍ବନିରେ ମଣ୍ଡପ କମ୍ପି ଉଠିଥିଲା।ଏହା ଦେଖି ସମୀର ରଞ୍ଜନ ଦାଶଙ୍କ ଆଖି ଲୁହ ଛଳଛଳ ହୋଇଯାଇଥିଲା।ସଭାରେ ବ୍ଲକ ସଭାପତି ଅଶୋକ ସାହୁ,ନଗର ସଭାପତି ଜିବନାନନ୍ଦ ମହାପାତ୍ର,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ,ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ଉପାଧ୍ୟକ୍ଷା ଅନସୂୟା ମହାନ୍ତି,ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ଦାଶ,ଗୋପ ବ୍ଲକ ସଭାପତି ମଧୁସୂଦନ ପାଇକରାୟ,ବ୍ଲକ ଅଧ୍ୟକ୍ଷ ଝୁନୁ ମଲ୍ଲିକଙ୍କ ସମେତ ସମସ୍ତ ଛାତ୍ର,ଯୁବ ଓ ମହିଳା ସଂଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ରିପୋର୍ଟ : ରଜତ ମହାପାତ୍ର