ସବୁ ପାସେଞ୍ଚର ଟ୍ରେନ୍ ଚଳାଚଳ ଲାଗି ଦାବି,୨୪ ଦିନ ପରେ ମେମୋର ରେଳ ଭଡା ଦ୍ୱିଗୁଣିତ : ଜଳେଶ୍ୱରରେ ଉତ୍ତେଜନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଖଡଗପୁର-ଭଦ୍ରକ ମଧ୍ୟରେ ସବୁ ପାସେଞ୍ଜର ଟ୍ରେନ ଚଳାଚଳ ଲାଗି ପ୍ରବଳ ଦାବି ହେଉଥିବା ବେଳେ ତାଲାବନ୍ଦ ପରେ ଚଳାଚଳ ଆରମ୍ଭ ହୋଇଥିବା ମେମୋର ରେଳଭଡା ଆଜି ଶନିବାର ଦ୍ୱିଗୁଣିତ ବୃଦ୍ଧି ପାଇଛି । ଫଳରେ ଜଳେଶ୍ୱରରେ ଉତ୍ତେଜନା ଦେଖା ଦେବା ସହିତ ଆଗାମୀ ଦିନରେ ଆନ୍ଦୋଳନ ଲାଗି ସଜବାଜ ଆରମ୍ଭ ହୋଇଛି । ଖଡଗପୁର-ଭୁବନେଶ୍ୱର ଭାୟା ଜଳେଶ୍ୱର, ଖଡଗପୁର-ଭଦ୍ରକ ମେମୋ, ଖଡଗପୁର-ବାଲେଶ୍ୱର ଲୋକାଲ, ହାୱାଡା-ଭଦ୍ରକ ବାଘାଯତିନ୍‌, ଯାଜପୁର-ଖଡଗପୁର ପାସେଞ୍ଜର ଚଳାଚଳ କରୁଥିବା ବେଳେ ତାଲା ବନ୍ଦ ଯୋଗୁଁ ସବୁ ଗୁଡିକ ବନ୍ଦ ହୋଇ ଯାଇଥିଲା । ଏ ସମ୍ପର୍କରେ ଜଳେଶ୍ୱରର ସମାଜ କଲ୍ୟାଣ ବିକାଶ ପରିଷଦର ବାରମ୍ବାର ଦାବି ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା । ଏହା ବ୍ୟତିତ ଜଳେଶ୍ୱରର ବଣିକ ସଂଘ, ରେଳ ୟୁଜର୍ସ କମିଟି, ବସ୍ତା ଓ ରୂପ୍ସା ରେଳ ଷ୍ଟେସନରେ ଆନ୍ଦୋଳନ ଧମକ ଯୋଗୁଁ ଗତ ସେପ୍ଟେମ୍ବର ୭ ତାରିଖ ଠାରୁ ମେମୋ ଟ୍ରେନ ଚଳାଚଳ ଆରମ୍ଭ କରିଥିଲା । ଅନ୍ୟାନ୍ୟ ପାସେଞ୍ଜର ଟ୍ରେନ୍‌ର ପ୍ରତିଶୃତି ମିଳୁଥିବା ବେଳେ ଏହି ଟ୍ରେନ୍‌କୁ ଏକ୍ସପ୍ରେସ୍ ଓ ସୁପରଫାଷ୍ଟ ଘୋଷଣା କରାଯାଇ ରେଳଭଡାକୁ ଦ୍ୱିଗୁଣିତ କରାଯାଇଛି । ପୂର୍ବରୁ ଜଳେଶ୍ୱରରୁ ବାଲେଶ୍ୱର ୧୫ ଟଙ୍କା ରେଳ ଭଡା ପଡୁଥିବା ବେଳେ ଆଜି ଠାରୁ ଏହା ୩୦ଟଙ୍କା ହୋଇଛି । ଫଳରେ ଅସନ୍ତୋଷ ଓ ଉତ୍ତେଜନା ଦେଖଶ ଦେଇଛି । ଆଜି ଜଣାଯିବାପରେ ସକାଳ ୬.୩୦ ମିରେ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ କେତେକ ରେଳଯାତ୍ରୀ କର୍ତ୍ତୃପକ୍ଷଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି । ଏପରିକି ଆନ୍ଦୋଳନ ଲାଗି ରେଳ ସୁରକ୍ଷା ସଂଘ ପକ୍ଷରୁ ସଜବାଜ ହେଉଥିବା ଜଣାଯାଇଛି । ଆଗାମୀ ଦିନରେ ପାର୍ବର ଋତୁରେ ବିଭିନ୍ନ ପୂଜା ଥିବାରୁ ଯାତ୍ରୀମାନେ ଅଧିକ ଯାତାୟତ କରିବାକୁ ଥିବାରୁ ରେଳ କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଅତିଶୀଘ୍ର ଏ ସମସ୍ୟାର ସମାଧାନ ନ ହେହେଲ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ରିପୋର୍ଟ : ଭୂପତି ପରିଡା