ଶେଷରେ ନିମପୁର ଶ୍ମଶାନ ଜମିରୁ ହେଲା ଉଚ୍ଛେଦ:୭୦ ପରିବାର ଉଦ୍‌ବାସ୍ତୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ଅନ୍ତର୍ଗତ ନିମପୁର ଗାଁରେ ଶ୍ମଶାନ କିସମ ସ୍ଥାନରେ ରହି ଆସୁଥିବା ଆଦିବାସୀ ଲୋକଙ୍କୁ ଦୀର୍ଘ ବର୍ଷ ପରେ ଆଜି ବୁଧବାର ପୂର୍ବାହ୍ନରେ ପ୍ରଶାସନ ଉଚ୍ଛେଦ କରିଛି । ଫଳରେ ସେଠାରେ ଦିନକୁ ଦିନ ବସତିସ୍ଥାପନ କରୁଥିବା ୭୦ ପରିବାର ଉଦ୍‌ବାସ୍ତୁ ହୋଇଛନ୍ତି । ଏହି ତହସିଲ ଅନ୍ତର୍ଗତ ଖୁଆଡଠାରେ ଯୋଗ୍ୟ ପରିବାରଙ୍କୁ ଘରଡିହ ଯୋଗାଇ ଦେବାର ପ୍ରଶାସନ ପ୍ରତିଶୃତି ଦେଇଛି । କିନ୍ତୁ କେବଳ ଏହି ଶ୍ମଶାନ ନୁହେଁ ଗାଁରେ ଥିବା ବହୁ ସରକାରୀ ସ୍ଥାନକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ନିଜ ଅକ୍ତିଆରରେ ରଖିଥିବାରୁ ସେ ସବୁ ସ୍ଥାରୁ ଜବରଦଖଲ ହଟାଇବା ପାଇଁ ଦାବି ହୋଇଛି । ଆରୁହା ପଂଚାୟତର ନିମପୁର ଗାଁର ଏକ ପୋଖରୀ ଆଡିରେ କିଛି ବର୍ଷ ପୂର୍ବରୁ କେତେକ ଆଦିବାସୀ ପରିବାର ଘର କରି ରହିଥିଲେ । ଏହି ସ୍ଥାନଟି ଜଳେଶ୍ୱର-ବାଲିଆପାଳ ରାସ୍ତାର ଅନତିଦୂରରେ ହୋଇଥିବାରୁ ଏଠାରେ ଅନ୍ୟ ପରିବାର ଆସି ଜବରଦଖଲ କରି ରହିଥିଲେ । ଏପରିକି ଜବରଦଖଲକାରୀ ଓ ଗ୍ରାମବାସୀଙ୍କ ଗଣ୍ଡଗୋଳ ହେବା ପରେ ଜବରଦଖଲକାରୀଙ୍କ ମଧ୍ୟରୁ କେତେକ ଉକ୍ତସ୍ଥାନ ଛାଡି ପଳାଇ ଯାଇଥିଲେ । ମାତ୍ର ଆଜକୁ ୧ବର୍ଷ ହେବ ଅନ୍ୟ କେତେକ ଆଦିବାସୀ ସେଠାରେ ପହଞ୍ଚି ସ୍ଥାୟୀ ଘରଦ୍ୱାର କରି ରହିବାର ଚେଷ୍ଟା କରିଥିଲେ । ତହସିଲ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ, ଜଳେଶ୍ୱର ତହସିଲର ନିମପୁର ଗାଁର ଖାତା ୨୭୧ର ଖସଡା୩୩୦ ଓ ଖାତା୨୭୨ର ୩୨୧, ୩୨୩ ଓ ୩୮୫ ଖସଡାରେ ୭୦ଟି ପରିବାର ଗୃହ ନିର୍ମାଣ କରି ରହିଥଲେ । ଅଭିଯୋଗ ପରେ ଜଳେଶ୍ୱର ତହସିଲଦାରଙ୍କ ପକ୍ଷରୁ ଉପଜିଲାପାଳଙ୍କ ଚିଠିନଂ ୬୨୭ ୬-୨-୨୦ ମୂଳେ ଏପରି ସ୍ଥାନ ଛାଡିବାକୁ ଦିଆଯାଇଥିଲା । ଆଜି ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ, ଆର୍‌ଆଇ ଦିଲ୍ଲିପ କୁମାର ଚନ୍ଦ, ମାନସ କୁମାର ବେହେରା, ସୁଶାନ୍ତ ମଙ୍ଗଳ, ସୁପର ଭାଇଜର ରବିନାରାୟଣ ତରାଇ, ୨ ପ୍ଲାଟୁନ୍ ଫୋର୍ସ ସହ ଘଟଣା ସ୍ଥଳରେ ଜବର ଦଖଲ କରି ରହିଥିବା ଲୋକଙ୍କ ଘର ଗୁଡିକ ଭାଂଗି ଦେଇଥିଲେ । ଆଜି ପୁଲିସ୍ ଫୋର୍ସ ସହ ତହସିଲଦାର ଗଲାବେଳେ ସେଠାକାର ସ୍ତ୍ରୀ ଲୋକମାନେ ରାସ୍ତା ଅବରୋଧ କରିବା ସହ ଗାଡି ଆଗରେ ଶୋଇଥିଲେ । ସେମାନଙ୍କୁ ହଟାଇବାଲାଗି ମହିଳା ପୋଲିସ୍‌କୁ ମୁତୟନ କରାଯାଇଥିଲା । ଏବେ ସେଠରେ ଉତ୍ତେଜନା ଲାଗି ରହିଛି । ଗାଁର ପ୍ରଭାବଶାଳୀ ବ୍ୟକ୍ତି ମାନେ ସରକାରୀ ସ୍ଥାନକୁ ଜବରଦଲ କରିଥିବାରୁ ସେମାନଙ୍କୁ ଉଚ୍ଛେଦ କରିବାକୁ ଦାବି ହୋଇଛି । ଶୀଳ ଦିନ ହୋଇଥିବାରୁ ସେମାନଙ୍କୁ ପଲିଥିନ ଯୋଗାଇ ଦେବାକୁ ସେମାନଙ୍କର ନେତା କେଦାର ସିଂ ଦାବି କରିଛନ୍ତି । ପ୍ରଶାସନ ପକ୍ଷରୁ ଯୋଗ ବିବେଚିତ ଲୋକଙ୍କୁ ଜଳେଶ୍ୱର ତହସିଲ ଅନ୍ତର୍ଗତ ଖୁଆଡ ଠାରେ ଘରଡିହ ଯୋଗାଇ ଦିଆଯିବାର ପ୍ରତିଶୃତି ଦିଆଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା