ଶିକ୍ଷା ନୀତିରେ ପରିବର୍ତ୍ତନ ଉନ୍ନତ୍ତିର ପରିପନ୍ଥୀ ନୁହେଁ, ଗୁଣାତ୍ମକ ଶିକ୍ଷାରେ ରାଷ୍ଟ୍ରର ପ୍ରଗତି….

ଶିକ୍ଷା ବିଭାଗର ପରିଚାଳନା ବ୍ୟବସ୍ଥା କିମ୍ବା ଶିକ୍ଷା ପାଠ୍ୟକ୍ରମରେ ସମୟୋପୋଯୋଗୀ ପରିବର୍ତ୍ତନରେ ଶିକ୍ଷାର୍ଥୀଙ୍କ ଉନ୍ନତ୍ତି ହେବା ସମ୍ଭାବନା ଖୁବ୍ କମ୍ । ଯେଉଁ ଶିକ୍ଷା ଦିଆଯିବ ତାହାର ଗୁଣାତ୍ମକ ମାନ ଉପରେ ପ୍ରାଧାନ୍ୟତା ଦିଆନଗଲେ କେବଳ ବ୍ୟବସ୍ଥାର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ଛଡା ରାଷ୍ଟ୍ରର ପ୍ରଗତି ଅସମ୍ଭବ । ଆମ ଦେଶରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଏତେ ବେତାଳତା ପରିଲକ୍ଷିତ ହୁଏ ଯେ ଶିକ୍ଷାର୍ଥୀଙ୍କ ଶୈଖିକତାରେ କୌଣସି ସାମଞ୍ଜସ୍ୟତା ଅନ୍ତର କରିବା ଅସମ୍ଭବ । ବିଭିନ୍ନ ପ୍ରକାର ଶିକ୍ଷା ବ୍ୟବସ୍ଥା ମଧ୍ୟରେ କେଉଁ ଶିକ୍ଷାର ମାନ କେତେ ନିରୂପଣ କରିବା କଷ୍ଟକର । ବ୍ରିଟିଶ ମାନଙ୍କ ଦ୍ୱାରା ପ୍ରଚଳିତ ଆଇନ ଏବଂ ସେହି ଆଇନରେ ଉପସ୍ଥିତ କ୍ଷମତାଧାରୀମାନଙ୍କ ଅବଶ୍ୟକ/ବିଚାରଧାରାକୁ ନେଇ ସମୟୋପୋଯୋଗୀ ପରିବର୍ତ୍ତନ କରିପାରିବା କ୍ଷମତା ମାଧ୍ୟମରେ କେଉଁ ପ୍ରକାର ଶିକ୍ଷାକୁ କେତେ ପ୍ରାଧାନ୍ୟତା ଦିଆଯିବ ନିର୍ଦ୍ଧାରଣ କରାଯାଇଥାଏ ଯାହାର ବାସ୍ତବତା ଗଣେଶ, ସରସ୍ୱତୀ କି ବ୍ରହ୍ମା ମଧ୍ୟ ବୁଝି ପାରିବେ ନାହିଁ ! ଆଉ ଆମେତ ସାଧାରଣ ମଣିଷ ମାତ୍ର ।
ସ୍ଥଳ ବିଶେଷକୁ ନେଇ ଯାହାର ଯାହା ଆବଶ୍ୟକ ତଦନୁଯାୟୀ ଶିକ୍ଷାନୀତି ପ୍ରଣୟନ କରାଯାଇ ପୁଣି କେତେକ କ୍ଷମତାଧାରୀ ମଣିଷଙ୍କ ଜରିଆରେ ବିଭିନ୍ନ ଅନୁମତି/ଅନୁମୋଦନ ପ୍ରଦାନ ପୂର୍ବକ କୌଣସି ଗୋଟିଏ ଧାରାର ଶିକ୍ଷା ଉପରେ ଏତେ ଭିନ୍ନତା ପରିଲକ୍ଷିତ ହେଉଛି ଆମ ଶିକ୍ଷା ବ୍ୟବସ୍ଥାରେ ଯେ ସେଗୁଡିକୁ ସହଜରେ ବୁଝିହେବ ନାହିଁ । କହିବାକୁ ଗଲେ ଏକ ପ୍ରକାର ବ୍ୟବସାୟିକ ପଦ୍ଧତିରେ ଶିକ୍ଷା ବ୍ୟବସ୍ଥା ଚାଲୁଛି ଆମ ଦେଶରେ ଯାହା କେବଳ ବ୍ୟବସ୍ଥାର ନିୟମକୁ ପୁରା କରୁଥିଲେ ମଧ୍ୟ ଶିକ୍ଷାର ମାନ ଉପରେ କୌଣସି ପ୍ରାଧାନ୍ୟତା ରଖିନଥାଏ । ତେଣୁ ଶିକ୍ଷାନୁଷ୍ଠାନ/ଶିକ୍ଷାର୍ଥୀ ମଧ୍ୟ ସେହି ବ୍ୟବସ୍ଥାର ନିୟାମକ ମଧ୍ୟରେ ପରିଚାଳିତ ହୋଇ ସୁବିଧା, ସୁଯୋଗ ଦେଖି ମନମୁତାବକ କାର୍ଯ୍ୟ ହାସଲ କରିବା ଦିଗରେ କୃତକାର୍ଯ୍ୟ ହୋଇଥା’ନ୍ତି କିଛି ଅସାଧୁ କର୍ମଚାରୀ/ଅଧିକାରୀଙ୍କ ସ୍ୱାର୍ଥକୁ ପୁରା କରି ଯାହା ଆମେ ସମସ୍ତେ ଜାଣୁ !
ଶିକ୍ଷାର୍ଥୀ ମାନଙ୍କ ପ୍ରାଧାନ୍ୟତା ରହିଥାଏ ଭଲ ନମ୍ବର ରଖି ପ୍ରମାଣପତ୍ର ଟିଏ ପାଇଗଲେ ସେହି ପ୍ରମାଣପତ୍ରକୁ ବିନିଯୋଗ କରି କୌଣସି ସ୍ଥାନରେ ନିୟୋଜିତ ହୋଇ ଉଚ୍ଚା ଦରମା ସାଙ୍ଗକୁ କିଛି ଅନୈତିକ ଅର୍ଥ ଆଦାୟ କରିପାରିଲେ ଜୀବନ ସାର୍ଥକ ହେବ । ପ୍ରେତ୍ୟେକ ବାପା ମା’ ମଧ୍ୟ ଅନୁରୂପ ଚେତନାରେ ଅଭିଷିକ୍ତ ଆମ ଦେଶର ଏହା ଏକ ସାଧାରଣ ଚରିତ୍ରରେ ପରିଣତ । ଶିକ୍ଷାର ପ୍ରକୃତ ମୂଲ୍ୟ କେହି ବୁଝନ୍ତି ନାହିଁ କି ବୁଝିବା ଆବଶ୍ୟକତା ରହୁନଥିବା ଏକ ଦୁଃଖଦ ପରିସ୍ଥିତି ଆଜିର ଏହି ସ୍ୱାର୍ଥନ୍ୱେଷୀ ସମାଜରେ । ସମସ୍ତେ କେବଳ କୌଣସି  ମତେ ପ୍ରମାଣପତ୍ର ଯୋଗାଡ଼ କରିବାରେ ବ୍ୟସ୍ତ ଯେଉଁମାନେ ପରବର୍ତ୍ତୀ ସମୟରେ ନିଜେ ଅର୍ଜନ କରିଥିବା ଶିକ୍ଷାର ହିଁ ମୂଲ୍ୟବୋଧତା ପ୍ରମାଣିତ କରିବାରେ ଅକ୍ଷମ ଥାଇ ୟାକୁ, ତାକୁ ପଚାରି ବୁଝି ଏକ ଉଚ୍ଚ ସ୍ଥାନରେ ଅଧିକାରୀ ଭାବେ ନିୟୋଜିତ ହୋଇ କାର୍ଯ୍ୟ ଭାର ତୁଲାଉଛନ୍ତି ପ୍ରାୟତଃ ସମସ୍ତ କ୍ଷେତ୍ରରେ ଯାହା କହିବା ଆବଶ୍ୟକ ନାହିଁ, ବରଂ ନିଜକୁ ନିଜେ ପଚାରି ବୁଝି ସେମାନେ ସଠିକ ଆକଳନ କରିପାରୁଥିବେ କଥାଟିର ସତ୍ୟତା କେତେ । ଏହିଭଳି ପ୍ରାୟତଃ ସବୁ ସ୍ଥାନରେ ନିୟୋଜିତ ଆମ ଦେଶର ପ୍ରାୟ ସମସ୍ତ କର୍ମଚାରୀଙ୍କୁ ପୁନଃ ପରକ୍ଷା କରି ଦେଖିଲେ ୯୦ ପ୍ରତିଶତରୁ ଅଧିକ କର୍ମଚାରୀ ବିଫଳ ହେବେ ସେମାନଙ୍କ ଦକ୍ଷତା ପ୍ରତିପାଦନ କରିବା ପାଇଁ ଯେଉଁ କାର୍ଯ୍ୟ ପାଇଁ ସେମାନେ ନିୟୋଜିତ । ତଥାପି ଆମ ଦେଶ ଚାଲିଛି, ଆଗକୁ ଚାଲିବ ମଧ୍ୟ । କିନ୍ତୁ ପ୍ରଗତିର ପଥ ପ୍ରତିକୂଳରେ ଯାହା ଆମେ ବର୍ତ୍ତମାନ ଦେଖୁଛେ, ଅନୁଭବ କରୁଅଛେ ।
ପ୍ରକୃତ ଗୁଣାତ୍ମକ ଶିକ୍ଷା ମଣିଷକୁ ପାରିପାଶ୍ୱିକ ଅବସ୍ଥିତି ତଥା ଆବଶ୍ୟକ ମୁତାବକ ସାମାଜିକ ବ୍ୟବସ୍ଥା ଉପରେ ଜ୍ଞାନ ପ୍ରଦାନ ପୂର୍ବକ ମାନବୀୟ ଚାାରିତ୍ରିକ ବିଚାରଧାରା ଏବଂ ସାମାଜିକ ବ୍ୟବସ୍ଥାର ରୁପରଖ ବିଷୟରେ ଅବଗତ କରାଇଥାଏ । ସେହି ସାମାଜିକ ଜ୍ଞାନ ପାଇବା ପରେ ଶିକ୍ଷାର୍ଥୀ ପୁନଃ ନିଜର ଗବେଷଣାତ୍ମକ କ୍ଷମତା ବୃଦ୍ଧି କରି ନୂତନ ଅଶାର କିରଣ ଦିଗକୁ ନିଜକୁ ପରିଚାଳିତ କରି ଅନେକ ନୂତନ ଉଦ୍ଭାବନ/ଆବିଷ୍କାର କରି ସମାଜକୁ ଅଧିକ କିଛି ପ୍ରଦାନ କରିବା ଲକ୍ଷ ରଖା ଯାଇଥାଏ ! ସେମିତି ବିଚାରଧାରାରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ରକୁ ନୂତନ ଆଲୋକ ପ୍ରଦାନ କରି ରାଷ୍ଟ୍ରର ବିକାଶ କରିପାରିବ ଯାହା ଆମ ସମାଜରେ ତାହାର ବିପରୀତେ କାର୍ଯ୍ୟ ଚାଲୁଥିବା କାହାକୁ ଅଗୋଚର ନୁହେଁ । ତେଣୁ ଆମେ ଆଜି ପର୍ଯ୍ୟନ୍ତ କୌଣସି ଗବେଷଣାତ୍ମକ କ୍ଷେତ୍ରରେ କୃତକାର୍ଯ୍ୟ ହୋଇନଥିବା ସ୍ୱୀକାର୍ଯ୍ୟ । ଆମ ଦେଶର ଶିକ୍ଷାର୍ଥୀ କେବଳ ପ୍ରମାଣପତ୍ର ପାଇ ଉତ୍ତମ ଚାକିରିଟିଏ କରିବା ଲକ୍ଷ ରଖିଥିବା ଛଡା, ଶିକ୍ଷାର ପ୍ରକୃତ ସଦୁପଯୋଗ କରିବା ଜାଣନ୍ତି ନାହିଁ କି ସେମାନେ ଜାଣିବାର କିଛି ସୁଯୋଗ ନଥିବା ଏକ ବ୍ୟାପକ ଦୁଃଖଦ ପରିସ୍ଥିତି !
ଶିକ୍ଷାନୀତିରେ ପରିବର୍ତ୍ତନ କରାଯିବା ଲକ୍ଷ ପ୍ରଥମେ କେବଳ ଗୁଣାତ୍ମକ ମାନର ଶିକ୍ଷା ଉପରେ ଆଧାରିତ ହୋଇ ପରବର୍ତ୍ତୀ ଲକ୍ଷ ଅନୁଶାସନ ସୁଧାର ଉପରେ ନହେଲେ ଆଗକୁ କେବଳ ମିଥ୍ୟା ପ୍ରତିଭାଧାରୀ ଯୋଗାଡ଼ିଆ ପ୍ରମାଣପତ୍ର ପ୍ରାପ୍ତ ଶିକ୍ଷିତଙ୍କୁ ନେଇ ଦେଶର ପ୍ରଗତି ହେବକି ଦୁର୍ଗତି ବିଚାର କରନ୍ତୁ ସୃଜନେ । ଗୋଟିଏ ସଭ୍ୟ ସମାଜର ମୂଳ ଆଧାର ଶିକ୍ଷା ଉପରେ ଯଥେଷ୍ଟ ପ୍ରାଧାନ୍ୟତା ଦେଇ ସର୍ବସାଧାରଣ ତାହାରି ଉପରେ ପ୍ରସ୍ତାବ ଦେଇ ସରକାରଙ୍କୁ ଅବଗତ କରାଇବା ଏକାନ୍ତ ଆବଶ୍ୟକ । ନହେଲେ ବ୍ୟବସ୍ଥାରେ ଉପଲବ୍ଧ ସୁଯୋଗକୁ ନେଇ ନିଜ ବଂଶଜମାନଙ୍କୁ ମିଥ୍ୟା ପ୍ରମାଣପତ୍ର ଯୋଗାଡ଼ କରି ଉଚ୍ଚସ୍ଥାନିତ କରାଇବା ଲକ୍ଷ ରଖି ଚାଲିଲେ ଆସନ୍ତା ଭବିଷ୍ୟତରେ ମେହେଙ୍କାଳ ଫଳ ସଦୃଶ୍ୟ ମଣିଷ ଗୁଡିଏ ଜାତ ହୋଇ ଦେଶକୁ ନିମ୍ନଗାମୀ କରିବା ଛଡା କୌଣସି ଉନ୍ନତ୍ତି, ପ୍ରଗତିର ଧାରା ଅସମ୍ଭବ ହୋଇପଡିବ ବୋଲି ଆମ ବିଚାରରେ ଆପଣଙ୍କ ମତବ୍ୟକ୍ତ କରିବେ ବୋଲି ଆଶା !
ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ),
ଛତ୍ରପୁର, ଗଞ୍ଜାମ.