ଶିକ୍ଷକ ଅଭାବରୁ ଶିକ୍ଷାଦାନ ଠପ୍ : ନୂତନ ନିଯୁକ୍ତି କେବେ ?…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେତେକ ସରକାରୀ ବିଦ୍ୟାଳୟକୁ ରାଜ୍ୟ ସରକାର ୫ଟି ର ଅନ୍ତଭୁକ୍ତ କରିଥିବା ବେଳେ ତାର ରୂପ ରେଖ ଆକର୍ଷଣୀୟ ହେଉଥିଲେ ମଧ୍ୟ ବହୁ ବିଦ୍ୟାଳୟ ଜଣେ କିମ୍ବା ୨ଜଣ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ ଚାଲିଛି । ଫଳରେ ଛାତ୍ରଛାତ୍ରୀଙ୍କର ଶିକ୍ଷା ଗ୍ରହଣରେ ବାଧା ଉପୁଜିଛି । ଏପରି ଅଭିଯୋଗ ଜିଲା ଶିକ୍ଷାଧିକାରୀ, ଜିଲାପାଳ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜରକୁ ଅଣାଯାଉଥିଲେ ମଧ୍ୟ ସେମାନେ କିଂକର୍ତ୍ତବ୍ୟବିମୂଢ ହୋଇ ପଡୁଛନ୍ତି । ଜଳେଶ୍ୱର ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୨ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫ଟି ଗ୍ରହଣ କରିଥିଲେ ମଧ୍ୟ ଏହାର ବଗିଚାକାର୍ଯ୍ୟ ଅଦ୍ୟାବଧି ହୋଇନାହିଁ । ଦ୍ୱିତୀୟ ପର୍ଯ୍ୟାୟରେ ୨୧ଟି ବିଦ୍ୟାଳୟକୁ ୫ଟି ଗ୍ରହଣ କରିଥିବା ବେଳେ ବହୁ ବିଦ୍ୟାଳୟ ବାଦ୍ ପଡିଛି । ବିଦ୍ୟାଳୟର ନବକଳେବର ହେଉଥିଲେ ମଧ୍ୟ ଶିକ୍ଷାଦାନ ଲାଗି ଶିକ୍ଷକ ନିଯୁକ୍ତି ହେଉନଥିବାରୁ ଶିକ୍ଷାଦାନ ଠିକ୍‌ଭାବେ ହୋଇପାରୁ ନାହିଁ । ଫଳରେ ଶିକ୍ଷକ ଅଭାବରୁ ଆଗାମୀ ଦିନରେ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଅବସ୍ଥାକୁ ଟାଣି ହେଇ ଆସୁଛି । ୧୯୭୦ ମସିହାରେ ସମ୍ପତ୍ତିଆ ପଂଚାୟତରେ ନିଗମାନନ୍ଦ ସରକାରୀ ହାଇସ୍କୁଲ ଗଢି ଉଠିଥିଲା । ସେଠାରେ ସପ୍ତମ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ଯାଏ ରହିଥିବା ବେଳେ ପ୍ରାଥମିକ ଶ୍ରେଣୀରେ ୨ଜଣ କଳା ଓ ଜଣେ ବିଜ୍ଞାନ ଶିକ୍ଷାନ ନଥିବା ବେଳେ ମାଧ୍ୟମିକ ଶ୍ରେଣୀରେ ଜଣେ କଳା, ଜଣେ ବିଜ୍ଞାନ, ଜଣେ ହିନ୍ଦି, ଖେଳ ଶିକ୍ଷକ ଓ ୨ଜଣ ପିଅନ୍ ନ ଥିବାର ଗ୍ରାମବାସୀମାନେ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ଲିଖିତଭାବେ ଜଣାଇଛନ୍ତି । ବହୁ ଶ୍ରେଣୀ ଶିକ୍ଷାକ ଅଭାବରୁ ଶିକ୍ଷାଦାନ ହେଉନଥିବାରୁ ଅଭିଭାବକଙ୍କ ମନରେ ସଂଶୟ ସୃଷ୍ଟି ହେଉଛି । ବିଦ୍ୟାଳୟର ଛାତ୍ରଛାତ୍ରୀ କମୁଥିବାରୁ ଏବଂ ଶିକ୍ଷକ ମାନଙ୍କ ସଂଖ୍ୟା କମୁଥିବାର ପରିଲକ୍ଷିତ ହେଉଛି । ଗାଁର ନିରାଶ୍ରୟ ବେହେରା, ରମାକାନ୍ତ କାମିଳା, ସୁଶାନ୍ତ କାମିଳା, ସୁରେଶ ମୁଖି, ନମିତା ପାତ୍ର, ଚନ୍ଦନ ଶତପଥି, ଜୀବନ ପରିଡା, ପୁଷ୍ପଲତା ବାରିକଙ୍କ ନେତୃତ୍ୱରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସହିତ ଅତିଶୀଘ୍ର ନିଯୁକ୍ତ ଲାଗି ଦାବି କରାଯାଇଛି । କେବଳ ଗୋଟିଏ ବିଦ୍ୟାଳୟ ନୁହେଁ, ୫ଟି ଗ୍ରହଣ କାରିବାକୁ ଥିବା କେତେକ ବିଦ୍ୟାଳୟର ଅବସ୍ଥା ଏହି ରହିଥିବା ଜଣାଯାଇଛି । ସେହିପରି ୧୯୭୮ ମସିହାରେ ରାଇବଣିଆ ଅଂଚଳରେ ଖୋଲା ଯାଇଥିବା ଭଣ୍ଡାରୀପଲ୍ଲୀସ୍ଥିତ ନିଳଚକ୍ର ଉଚ୍ଚ ବିଦ୍ୟାଳୟରେ ମାତ୍ର ୨ଜଣ ଶିକ୍ଷକରେ ୮ମରୁ ୧୦ମ ୩ଟି ଶ୍ରେଣୀ ଚାଲିଛି । ବିଜ୍ଞାନ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ବେଳେ ଅନ୍ୟ ଜଣେ ହିନ୍ଦି ଶିକ୍ଷକରେ ବିଦ୍ୟାଳୟ ଚାଲିଛି । ସେଠାରେ ୧୦୫ରୁ ଉର୍ଦ୍ଧ୍ୱ ଶିକ୍ଷାର୍ଥି ବିଦ୍ୟାଳୟରେ ପାଠ ପଢୁଛନ୍ତି । ଶିକ୍ଷକ ନ ଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଅନ୍ୟ ବିଦ୍ୟାଳୟକୁ ନେବାକୁ ସ୍ଥିର କଲେଣି । ତେଣୁ ଶିକ୍ଷକ ନ ଥିବା ବିଦ୍ୟାଳୟରେ ଅତିଶୀଘ୍ର ଶିକ୍ଷକ ନିଯୁକ୍ତି ଲାଗି ଦାବି ଜୋର ଧରିଛି । ଓ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ରିପୋର୍ଟ : ଭୂପତି ପରିଡା