ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶେଷ ସମ୍ମାନ : ଆମେ ଜଣେ ମୁରବି ଓ ଦିଗ୍‌ଦର୍ଶନକାରୀଙ୍କୁ ହରାଇଲୁ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟ ଉଚ୍ଚଶିକ୍ଷା , ସମବାୟ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନିଳମଣି ସାମଲଙ୍କୁ ତାଙ୍କର ଶେଷ ସମ୍ମାନ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ କଟକ ସ୍ୱରାଜ ଆଶ୍ରମରେ ସ୍ୱର୍ଗତ ସାମଲଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କର ଶେଷ ସମ୍ମାନ ଜଣାଇଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଆମ ସମସ୍ତଙ୍କ ପାଇଁ ସେ ପ୍ରେରଣାର ଉତ୍ସ ଥିଲେ । ସ୍ୱାଧୀନତା ସଂଗ୍ରାମରେ ତାଙ୍କର ତ୍ୟାଗ ଓ ବଳିଦାନ ସଂପର୍କରେ ଆମେ ସମସ୍ତେ ଅବଗତ । ଜୀବନର ଶେଷ ମୁହୁର୍ତ ପର୍ଯ୍ୟନ୍ତ ସେ ବିଭିନ୍ନ ପ୍ରକାର ସାମଜିକ କାର୍ଯ୍ୟକ୍ରମରେ ବ୍ରତୀ ଥିଲେ । କିଭଳି ଭାବରେ କଷ୍ଟଲବ୍ଧ ସ୍ୱାଧୀନତାକୁ ଯୁବପୀଢି ନିଜେ ବୁଝିବେ ଏବଂ ଅନ୍ୟମାନଙ୍କୁ ବୁଝାଇବେ ସେ ସଂପର୍କରେ ସଭା ସମିତି ସବୁ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ଆମେ ସବୁ ଯିଏ ତାଙ୍କ ସହିତ ମିଶିଥିଲୁ ଜଣେ ମୁରବିଙ୍କୁ ହରାଇଲୁ ଓ ଦିଗ୍‌ଦର୍ଶନକୁ ମଧ୍ୟ ହରାଇଲୁ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ।ପ୍ରକାଶ ଥାଉକି ସ୍ୱର୍ଗତ ଶ୍ରୀ ସାମଲ ଗୁରୁତର ଅସୁସ୍ଥ ହୋଇ କଟକ ଏସ୍‌.ସି.ବି ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଗତ କାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମନ୍ତ୍ରୀ ଶ୍ରୀ ନାୟକ କଟକ ଏସ୍‌.ସି.ବି ମେଡିକାଲ କଲେଜକୁ ଯାଇ ଡାକ୍ତରମାନଙ୍କ ସହ ସ୍ୱର୍ଗତ ସାମଲଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ଗତ କାଲି ଶ୍ରୀ ସାମଲ ଶେଷ ନିଶ୍ୱାସ ତ୍ୟାଗ କଲାପରେ ତାଙ୍କ ମରଶରୀରକୁ କଟକ ସ୍ଥିତ ସ୍ୱରାଜ ଆଶ୍ରମରେ ସର୍ବସାଧାରଙ୍କ ଦର୍ଶନ ନିମନ୍ତେ ରଖାଯାଇଥିଲା । ଆଜି ମରଶରୀରକୁ ତାଙ୍କ ନିଜ ଜନ୍ମସ୍ଥାନ ବାଲିପଡିଆକୁ ନିଆଯାଇ ସେଠାରେ ପୂର୍ଣ୍ଣ ରଷ୍ଟ୍ରୀୟ ମର୍ଜାଦାର ସହ ଶେଷକୃତ ସମାପନ ହେବ ।

ରିପୋର୍ଟ : ରଜତ ମହାପାତ୍ର