ଲକ ଡାଉନ ଯୋଗୁଁ ଜିଲ୍ଲାରେ ଧାନକିଣା ଠପ୍‌ : ଚାଷୀ ହଟହଟା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ଗଞ୍ଜାମ ଜିଲାରେ ୧ ଲକ୍ଷ ୩୪ ହଜାର ୪୦୦ ଚାଷୀଙ୍କର ଧାନ କିଣିବା ପାଇଁ ସରକାର ପଞ୍ଜିକରଣ କରିଥିଲେ । ମାର୍ଚ୍ଚ ୨୭ ତାରିଖ ସୁଦ୍ଧା କେବଳ ୭୯,୯୦୦ଜଣ ଚାଷୀଙ୍କ ଧାନ କିଣାଯାଇ ହଠାତ୍‌ ଧାନ କିଣା ବନ୍ଦ କରିଦେଲେ । ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାନ କିଣାଯିବ ବୋଲି ସରକାର ଘୋଷଣଶ କରିଥିଲେ ସୁଦ୍ଧା ଟୋକେନ ପାଇଥିବା ଚାଷୀମାନେ ମଧ୍ୟ ଧାନ ବିକି ପାରିଲେ ନାହିଁ । ବର୍ତ୍ତମାନ ସୁଦ୍ଧା ଜିଲାରେ ୫୪, ୫୦୦ ଜଣ ଚାଷୀଧାନ ବିକିବା ପାଇଁ ଯୋଗ୍ୟ ଥିଲେ ସୁଦ୍ଧା ସରକାର ତଥା ଜିଲା ପ୍ରଶାସନର ଅବହେଳା ଯୋଗୁଁ ଗରିବ ଚାଷୀମାନେ ଧାନ ବିକି ପାରିଲେ ନାହିଁ । ପ୍ରଥମେ ସମବାୟ ସମିତି ସମ୍ପାଦକମାନେ ଧନୀ, ପ୍ରଭାବଶାଳୀ, ରାଜନେତା ଓ ତାଙ୍କ ବନ୍ଧୁବାନ୍ଧବମାନଙ୍କର ଯେପରି ଧାନ ବିକ୍ରି ହୋଇପାରିବ ସେଥିପାଇଁ ବ୍ୟବସ୍ଥା କରିଦେଲେ । ମାତ୍ର ଯେଉଁମାନେ ଛୋଟ ଚାଷୀ, ଅଶିକ୍ଷିତ ଚାଷୀ ଓ ଗରିବ ଚାଷୀମାନଙ୍କର ଧାନ ବିକା ହୋଇ ପାରି ନାହିଁ । ରାଜ୍ୟ ସରକାର ଗଞ୍ଜାମ ଜିଲାକୁ ୪୨ ଲକ୍ଷ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦେଇଥିବା ବେଳେ ମାତ୍ର ୩୭ ଲକ୍ଷ ୪୮ କ୍ୱିଣ୍ଟାଲ ଧାନ କିଣାଯାଇଛି । ଜିଲା ପ୍ରଶାସନର ଅପାରଗତା ପଦାରେ ପଡ଼ିଛି । ଦୁର୍ନୀତିଗ୍ରସ୍ତ ସମବାୟ, ଯୋଗାଣ ଓ ଜିଲା ପ୍ରଶାସନରଉଚ୍ଚପଦସ୍ଥ ଅଧିକାରୀଙ୍କ ଯୋଗୁଁ ଅଧିକାଂଶ ବ୍ଳକରେ ଚାଷୀମାନେ କ୍ୱିଣ୍ଟାଲ ପିଛା ୫ କେଜି ଧାନ ଅଧିକା ଦେବା ସହ ଅଖା ଓ ଗାଡ଼ି ଭଡ଼ା ଏବଂ ଲେବର ଖର୍ଚ୍ଚ ସବୁ ଚାଷୀମାନେ ବହନ କରୁଛନ୍ତି । ଜିଲାପାଳ ସବୁ ଜାଣି ନୀରବ ରହୁଛନ୍ତି । ସେ ପ୍ରଥମରୁ ହିଁ ଧାନ କିଣାକୁ ଗୁରୁତ୍ୱ ଦେଇନାହାନ୍ତି । ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନ କରି ବେଖାତିର ଭାବେ କାମ କରି ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି ବୋଲି ଜିଲା ଚାଷୀ ସଂଗଠନମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଟୋକେନ ଥାଇ ଓ ଟାର୍ଗେଟ ଥାଇ ସୁଦ୍ଧା ଧାନ କିଣା ବନ୍ଦ କରି ସରକାର ଚାଷୀ ମାରଣ ନୀତିର ପରିଚୟ ଦେଇଛନ୍ତି ବୋଲି ବିଶିଷ୍ଟ ପରିବେଶବିତ ଓ ଓଡ଼ିଶା କୃଷକ ସମନ୍ୱୟ କମିଟିର ଆବାହକ ପ୍ରଫୁଲ ସାମନ୍ତରା, ଋଷିକୁଲ୍ୟା ରୟତ ମହାସଭାର ଉପଦେଷ୍ଟା ରବି ରଥ, ରୟତ ମହାସଭା ସଭାପତି ତ୍ରିନାଥ ବିଶ୍ୱାଳ, ସମ୍ପାଦକ ସୀମାଞ୍ଚଳ ନାହାକ ଅଭିଯୋଗ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା