ରେସନକାର୍ଡ ଦୁର୍ନିତୀ ଅଭିଯୋଗ : ଉପଜିଲ୍ଲାପାଳକୁ ତଦନ୍ତ ରିପୋର୍ଟ ପ୍ରଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଳକରେ କେତେକ ସ୍ଥାନରେ ରେସନକାର୍ଡ ଦୁର୍ନିତୀ ସମ୍ପର୍କରେ ଅଭିଯୋଗ ହୋଇଛି । କିରୋସିନୀର ମୂଲ୍ୟ ଅଧିକ ନେବା ଓ ଲୋକ ସଂଖ୍ୟା ଅନୁଯାୟୀ ରେସନ ନ ଯୋଗାଇବା ଅଭିଯୋଗରେ ଆଜି ଜଳେଶ୍ୱର ଏମ୍‌ଆଇ ଉପଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିବା ଜଣାଯାଇଛି । ରାଇବଣିଆ ଥାନାର ଖୁଦିଆମାଝିସାହି ଗାଁରେ ରିଟେଲର ବ୍ରଜକିଶୋର ଦିନ୍ଦା କିରୋସିନୀ ଲିଟରକୁ ୪୦ଟଙ୍କାରେ ରେସନକାର୍ଡଧାରୀଙ୍କୁ ଯୋଗାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଶତାଧିକ ଲୋକଙ୍କଠାରୁ ସେ କିରୋସିନୀ ବାବଦରେ ଅଧିକ ଅର୍ଥ ଗ୍ରହଣ କରିଥିବା ଗ୍ରାମବାସୀମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ଏ ସଂପର୍କରେ ଜଳେଶ୍ୱର ବିଡିଓ ଦିପ୍ତୀରଂଜନ ସେଠୀ ଓ ସଦର ଉପଜିଲାପାଳ ନିଲୁ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉପଜିଲାପାଳଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ଏମ୍‌ଆଇ ସାଗରିକା ରାଉତ ଗାଁକୁ ଯାଇ ତଦନ୍ତ କରି ଉପଜିଲାପାଳଙ୍କୁ ଦେଇଛନ୍ତି । ସେହିପରି ଗ୍ରାମର ସମ୍ଭୁନାଥ ପାଳଙ୍କ ପରିବାର ସଂଖ୍ୟା ୩ଜଣ ଥିବା ବେଳେ ଝିଅର ରେସନ୍ କଟିଯାଇଛି ବୋଲି କହି ଦୀର୍ଘ ୧୧ମାସ ଧରି ପିଡିଏସ୍ ସାମଗ୍ରୀ ଦେଉନଥିବା ଅନ୍ୟଏକ ଅଭିଯୋଗର ତଦନ୍ତ କରି ଏମ୍ ଆଇ ଆଜି ରିପୋର୍ଟ ପ୍ରଦାନ କରିଛନ୍ତି । ଏପରି ଘଟଣା ଜଣାଯିବା ପରେ ରେସନକାର୍ଡ ଦୁର୍ନିତୀ ଗୁମର ଖୋଲିଛି ବୋଲି ଆଲୋଚନା ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା