ରେଳପଥ ଦେଇ ଚାଲି ଚାଲି ଅନ୍ୟ ରାଜ୍ୟକୁ ଯାଉଥିବା ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ…

ରାୟଗଡ଼ା (ସମୃଦ୍ଧ ଓଡିଶା) କରୋନା ବ୍ୟାପିଥିବାରୁ ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ସରକାର ତାଲା ବନ୍ଦ କଟକଣା ଘୋଷଣା କରିଛନ୍ତି । କିନ୍ତୁ ଏ କଟକଣା ଯୋଗୁଁ କିଛି ଶ୍ରମଜୀବୀ ବିଶେଷ ରୂପେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । ରେଳ ପଥରେ ଚାଲି ଚାଲି ଅନ୍ୟ ରାଜ୍ୟକୁ ଯାଉଥିବା କିଛି ଶ୍ରମିକଙ୍କୁ ଉଦ୍ଧାର କଲା ରାୟଗଡ଼ା ପୋଲିସ । ଆନ୍ଧ୍ର-ଓଡିଶା ସୀମାନ୍ତ କୁନେରୁର ସୋଲୁଆରୁ ଛତିଶଗଡ ଅଭିମୁଖେ ଯାଉଥିବା ୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଅଟକ ରଖିଛି ରାୟଗଡ଼ା ଟାଉନ୍ ପୋଲିସ । ଏମାନେ ସମସ୍ତେ ଛତିଶଗଡର ରାଜନାଦ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୋଲି ଜଣାପଡିଛି । ସୂଚନାନୁଯାୟୀ ଦୀର୍ଘ ୪ ମାସ ଧରି ସମସ୍ତେ କୁନେରୁର ସୋଲୁଆ ଗ୍ରାମରେ ରହି ଜଣେ ରେଳବାଇ କଣ୍ଟ୍ରାକ୍ଟର ଅଧିନରେ ଶ୍ରମ କାର୍ଯ୍ୟ କରୁଥିଲେ । ଏମାନେ କାମ କରି ଦୁଇ ପଇସା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ତେବେ ତାଲାବନ୍ଦ ଯୋଗୁଁ ଉକ୍ତ ଶ୍ରମିକମାନଙ୍କ ରୋଜଗାର ପନ୍ଥା ଠପ ହୋଇଯାଇଥିଲା । ଏପରିକି କଣ୍ଟ୍ରାକ୍ଟର ସେମାନଙ୍କୁ ଖାଇବାକୁ ନଦେବା ଓ ଦରମା ଦେବା ମଧ୍ୟ ବନ୍ଦ କରିଦେବାରୁ ଏମାନେ ବାଧ୍ୟ ହୋଇ ଛତିଶଗଡ଼ ସ୍ଥିତ ନିଜ ଗାଁକୁ ରେଳ ଲାଇନରେ ଚାଲି ଚାଲି ଯାଉଥିବା ବେଳେ ରାୟଗଡା ଟାଉନ ଥାନା ପୋଲିସ ଏମାନଙ୍କୁ ଅଟକ ରଖି ପ୍ରଶାସନକୁ ହସ୍ତାନ୍ତର କରିଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କଲା ପରେ ସେମାନଙ୍କୁ ସଂଗରୋଧ କେନ୍ଦ୍ରକୁ ପଠାଯାଇଥିବା ସୂଚନା ମିଳିଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ