ରେଳଧାରଣାରେ କାର୍ଯ୍ୟରତ ସିଗ୍‌ନାଲ ଇନିସ୍‌ପେକ୍ଟରଙ୍କ ଟ୍ରେନ୍ ଧକ୍କାରେ ମୃତ୍ୟୁ : ମୃତକ ପରିବାରକୁ ସହାୟତା ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଭୋର ଜଳେଶ୍ୱର ରେଳ ଷ୍ଟେସନର ୨ନଂ ପ୍ଲାଟଫର୍ମ-ରେଳଧାରଣାରେ ଏକ ସିଗ୍‌ନାଲ ପଏଣ୍ଟ ଅଚଳ ଥିବାରୁ ଇନିସ୍‌ପେକ୍ଟର ବାବୁଲାଲ ହେମ୍ବ୍ରମ (୪୦) ତାର ମରାମତି କରୁଥିଲେ । ବର୍ଷା ଲାଗି ରହିଥିବା ବେଳେ ଟ୍ରେନ୍ ଆସୁଥିବାର ସେ ଜାଣିନପାରି ମରାମତି କରୁଥିଲେ । ଏକ ମାଲବାହୀ ଗାଡି ଡାଉନ୍ ଲାଇନ୍‌ରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ଯାଇଥିଲା ବୋଲି ରେଳ ବିଭାଗ ସୂତ୍ରରୁ ପ୍ରକାଶ । ସେ ଦୀର୍ଘ ୧ବର୍ଷ ଧରି ସିଗ୍‌ନାଲ ଇନିସ୍‌ପେକ୍ଟର ଭାବେ କାର୍ଯ୍ୟରାତ ଥିଲେ । ତାଙ୍କ ଘର ମୟୂରଭଂଜ ଜିଲାର ମଙ୍ଗଳପୁର ଗାଁରେ । ତାଙ୍କର ଜଣେ ନାବାଳକ ପୁଅ ଓ ଅନ୍ୟଜଣେ ନାବାଳିକା ଝିଅ ରହିଛି । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାରୁ ଜିଆର୍‌ପି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କ ହସ୍ତାନ୍ତର କରିଛି । ଆଇନ୍ ଅନୁଯାୟୀ ତାଙ୍କ ପରିବାରକୁ ସୁବିଧା ସୁଯୋଗ ଦେବାକୁ ସ୍ଥାନୀୟ ରେଳ କର୍ମଚାରୀ ଓ ରେଳ ସଂଘ ପକ୍ଷରୁ ଦାବି କରାଯାଇଛି ।

ରିପୋର୍ଟ : ଭୂପତି ପରିଡା