ଗୋଚର ଜମିରେ ୨୨ କୁଡିଆ ! ମିଳୁନି ଆବାସ ଯୋଜନା : ବିଧାୟକଙ୍କ ଦୃଷ୍ଟି ଆକର୍ଷଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଏବେବି ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନେ ଯୋଗ୍ୟ ବିବେଚିତ ହେଉଥିଲେ ମଧ୍ୟ ବିଭିନ୍ନ କାରଣରୁ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏପରି ଏକ ଗୋଷ୍ଠି ମାକିଡିଆ ପଞ୍ଚାୟତର ଗୋପାଳ ପ୍ରସାଦ ଗାଁରେ ଦେଖିବାକୁ ମିଳିଛି । ଏହି ଗାଁର ୨୨ଟି ପରିବାର ଏକ ସାହି କରି ଦୀର୍ଘ ୭୦/୮୦ବର୍ଷ ଧରି ବଂଶ ପରମ୍ପରାଗତଭାବେ ରହି ଆସୁଛନ୍ତି । ସମସ୍ତେ ଖଟିଖିଆ ମଜୁରିଆ ହୋଇଥିବାରୁ କାହାଘର ଉପରେ ପଲିଥିନ ପଡିଛି ତ ଆଉ କାହାର ନଡାଛପର । ପ୍ରତ୍ୟେକଙ୍କ ଘରେ ବର୍ଷାପାଣି ପଡୁଥିବା ବେଳେ କାହାଘରୁ ଦିନରେ ଖରା ଓ ରାତିରେ ତରା ଦେଖାଯାଏ । ଏମାନେ ଦୀର୍ଘବର୍ଷ ଧରି ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ଇତ୍ୟାଦିଲାଗି ଆବେଦନ କରି ଥକିଲେଣି, କିନ୍ତୁ ଏମାନଙ୍କୁ ମିଳିପାରୁନି ଆବସ ଯୋଜନାରେ ଘର ଖଣ୍ଡିଏ । ଘଟଣାରୁ ପ୍ରକାଶ, ଅତୀତରେ ବାପ ଗୋଶବାପ ଅମଳରୁ ଘର କରି ରହୁଥିଲେ ମଧ୍ୟ ସେ ସ୍ଥାନଗୁଡିକ ଗୋଚର । ସରକାରୀଙ୍କ ନିତୀ ନିୟମ ଅନୁଯାୟୀ ଆବାଦଯୋଗ୍ୟ ଅନାବାଦୀ ହେଲେ ତାହା ବଣ୍ଟନ କରାଯାଇ ପାରିବ । ଗତ ଗୁରୁବାର ସେହି ଗାଁରେ ୱାର୍ଡ ସଦସ୍ୟା ଚମ୍ପାବତୀ କଟୁଆଳଙ୍କ ନେତୃତ୍ୱରେ ଗଂଗାଧର କଟୁଆଳ, ଜୟନାରାୟଣ ବର୍ଷାଳ, ରବିନ୍ଦ୍ର ବର୍ଷାଳ, ମାଳତୀ ବର୍ଷାଳ, ସଂଧ୍ୟା ବର୍ଷାଳ, ସୁଶିଲ କଟୁଆଳ ପ୍ରମୁଖ ଯାଇ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ରଙ୍କୁ ସବିଶେଷ କହିଥିଲେ । ସରକାରଙ୍କ ନିତୀନିୟମ ଜଣାଇବା ସହ ଅନାବଦୀ ସ୍ଥାନ ସଂପର୍କରେ ବିଧାୟକ ପଚାରି ବୁଝିଥିଲେ । ଏପରି ଭୁମୀହୀନ ବ୍ୟକ୍ତିଙ୍କୁ ସରକାରୀ ସ୍ଥାନ ଯୋଗାଇବା ସହିତ ଆବାସ ଯୋଜନାରେ ଗୃହ ମିଳିବା ସଂପର୍କରେ ବିଧାୟକ ପ୍ରତିଶୃତି ଦେଇଥିଲେ । ପ୍ରତ୍ୟେକଙ୍କ ରେସନକାର୍ଡ ଥିଲେ ମଧ୍ୟ ଜୟନାରାୟଣ ବାର୍ଦ୍ଧକ୍ୟଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି । ରାଇବଣିଆ ଅଞ୍ଚଳ ଆଦିବାସୀ ଅଧ୍ୟୁସିତ ହୋଇଥିବାରୁ ସେ ଅଞ୍ଚଳର ଲୋକଙ୍କ ସଂପର୍କରେ ସାର୍ଭେ କରାଯାଇ ଗୃହୀନ ଓ ଭୂମୀହିନ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇବାକୁ ଦାବି ହେଉଛି ।

ରିପୋର୍ଟ : ଭୂପତି ପରିଡା