ରେଭେନ୍ସା ବିଶ୍ଵବିଦ୍ୟାଳୟରେ ମନୋରମାହଲ୍‌ ଉଦ୍‌ଘାଟିତ

କଟକ(ସମୃଦ୍ଧ ଓଡିଶା ) କଟକ ସ୍ଥିତ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଆଜି ମନୋରମା ମହାପାତ୍ରଙ୍କ ସ୍ମାରକୀହଲ୍‌ ଉଦ୍‌ଘାଟିତ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ତଥା ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକାଶ ଦାସ ନାୟକ, ଚୌଦ୍ଵାର-କଟକ ବିଧାୟକ ଶ୍ରୀଯୁକ୍ତ ସୌଭିକ୍‌ ବିଶ୍ଵାଳ, ରେଭେନ୍ସା ଉପକୂଳପତି ଶ୍ରୀଯୁକ୍ତ ପ୍ରଫେସର ସଞ୍ଜୟ କୁମାର ନାୟକ, ମୋ କଲେଜ ଅଭିଯାନ ସଂଯୋଜକ ଶ୍ରୀଯୁକ୍ତ ଶିବ ବ୍ରତ ଦାସ ତଥା ସ୍ଵର୍ଗତ ମନୋରମା ମହାପାତ୍ରଙ୍କ ପୁତ୍ର ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ରେଭେନ୍ସା ଉପକୂଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ସ୍ଵାଗତ ଭାଷଣ ଦେବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଉଚ୍ଚ ଶିକ୍ଷା ତଥା ଖାଦ୍ୟା ଯୋଗାଣ, ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ତାଙ୍କ ବକ୍ତବ୍ୟରେ ଡକ୍ଟର ମହାପାତ୍ରଙ୍କ ସ୍ମୃତି ଚାରଣ କରି କହିଥିଲେ, ଶ୍ରୀମତୀ ମନୋରମା ମହାପାତ୍ରଙ୍କ ଭଳି ବାଗ୍ମି ଲେଖିକା ଓ ସମାଜ ସେବୀ ଆମ ରାଜ୍ୟରେ ବିରଳ। ତାଙ୍କ ଭଳି ମହିୟସୀ ମହିଳାଙ୍କ ନାଁରେଏହି ହଲ୍‌ ଉଦ୍‌ଘାଟନ କରି ସେ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି, ଏବଂ ରେଭେନ୍ସା ମହାବିଦ୍ୟାଳୟରେ ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ ଏବଂ ପ୍ରାଣ କୃଷ୍ଣ ପରିଜାଙ୍କ ଠାରୁ ଆରମ୍ଭ କରି ଅନେକ ମହା ମନିଷିମାନେ ପାଠ ପଢ଼ି ଯାଇ ଛନ୍ତି। ରେଭେନ୍ସା ଏକବିଶ୍ଵ ବିଦ୍ୟାଳୟ ନୁହେଁ ବରଂ ଏହା ଓଡିଶା ଇତିହାସର ଏକ ଗୁରୁତ୍ଵ ପୂର୍ଣ୍ଣ ଅଂଶ। ଏହି ବିଶ୍ଵ ବିଦ୍ୟାଳୟର ସାମଗ୍ରୀକ ଉନ୍ନତି ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଏହି ଅବସରରେ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ‘ମୋ କଲେଜ ଅଭିଯାନ’ ଓଡିଶାର ଉଚ୍ଚ ଶିକ୍ଷାର ସାମଗ୍ରୀକ ବିକାଶ ଦିଗରେ କାର୍ଯ୍ୟ କରୁ ଅଛି। ଆଜିର ଦିନରେ ମନୋରମା ସ୍ମାରକୀହଲ୍‌ର ଲୋକାର୍ପଣ ଏକ ମାଇଲ ଖୁଣ୍ଟ ହୋଇ ରହିବ। ମୋ କଲେଜ ଅଭିଯାନକୁ ଏହି ସ୍ମାରକୀହଲ୍‌ ପାଇଁ ମନୋରମା ମହାପାତ୍ରଙ୍କ କନ୍ୟା ଶ୍ଵେତ ପଦ୍ମା ଦାସ ଓ ପୁତ୍ର ପ୍ରଦୀପ କୁମାର ମହାପାତ୍ରଙ୍କର ଆଥିର୍କ ସହାୟତା ପାଇଁ ସେ ଧନ୍ୟବାଦ ଦେଇ ଥିଲେ ତଥା ଏହାର ଦୁଇ ଗୁଣିତ ଅର୍ଥ ମୋ କଲେଜ ଅଭିଯାନ ମାଧ୍ୟମରେ ଦିଆଯାଇଥିବା ଜଣାଇ ଥିଲେ। ମନୋରମା ମହାପାତ୍ରଙ୍କ ଭଳି ପ୍ରେରଣାଦାୟୀ ମହିଳାଙ୍କର ଓଡ଼ିଶା ସାହିତ୍ୟ, ଗଣ ମାଧ୍ୟମ ଓ ନାରୀ ସଶକ୍ତି କରଣ ପ୍ରତି ଅନେକ ଅବଦାନ ରହିଛି । ରେଭେନ୍ସା ବିଶ୍ଵବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀମାନେ ହିଁ ହେଉଛନ୍ତି ଏହାର ପ୍ରକୃତ ସମ୍ପଦ। ତେଣୁ ରେଭେନ୍ସା ବିଶ୍ଵ ବିଦ୍ୟାଳୟକୁ ବିଶ୍ଵ ସ୍ତରୀୟ କରିବା ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସେ ଆହ୍ବାନ ଦେଇଥିଲେ । ଚୌଦ୍ଵାର-କଟକ ବିଧାୟକ ଶ୍ରୀଯୁକ୍ତ ସୌଭିକ୍‌ ବିଶ୍ଵାଳ ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ମନୋରମା ମହାପାତ୍ରଙ୍କ ସ୍ମାରକୀହଲ୍‌ ପାଇଁ ରାଜ୍ୟ ସରକାର ଓ ମୋ କଲେଜ ଅଭିଯାନକୁ ଧନ୍ୟବାଦ ଅର୍ପଣ କରି ଥିଲେ। ଏହା ନିଶ୍ଚିତ ଭାବେ ଅନେକ ଛାତ୍ରଛାତ୍ରୀଙ୍କ କାର୍ଯ୍ୟରେ ଲାଗିବ ବୋଲି ସେ କହିଥିଲେ। ସ୍ଵର୍ଗିୟା ଶ୍ରୀମତୀ ମନୋରମା ମହାପାତ୍ରଙ୍କ କନ୍ୟା ଶ୍ଵେତ ପଦ୍ମା ଦାସ ଓ ପୁତ୍ର ପ୍ରଦୀପ କୁମାର ମହାପାତ୍ର ହଲ୍‌ ନିର୍ମାଣରେ ମୋ କଲେଜ ଅଭିଯାନ ଓ ରାଜ୍ୟ ସରକାରଙ୍କ ସହାୟତା ପାଇଁ ସେ ଆନ୍ତରିକ ଧନ୍ୟବାଦ ଜଣାଇ ଥିଲେ। ଏହି ହଲ୍‌ଟି ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରି ଥିଲେ।ଶ୍ରୀମତୀ ମନୋରମା ମହାପାତ୍ରଙ୍କ ପୁତ୍ର ଶ୍ରୀପ୍ରଦୀପ ମହାପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି­­ହଲ୍‌ଟି ଆମ ସ୍ଵର୍ଗିୟା ମାଶ୍ରୀମତୀ ମନୋରମା ମହାପାତ୍ରଙ୍କ ପ୍ରତି ସର୍ବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । କାର୍ଯ୍ୟକ୍ରମ ଶେଷରେ ମୋ କଲେଜ ଅଭିଯାନର ସଂଯୋଜକ ଶିବ ବ୍ରତ ଦାସ ଧନ୍ୟବାଦ ଅର୍ପଣ କରି ଥିଲେ। କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ର ଛାତ୍ରୀ, ରେଜିଷ୍ଟ୍ରାର, ଅଧ୍ୟାପକ, ଅଧ୍ୟାପିକା ତଥା ବିଶ୍ଵ ବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ : ରଜତ କୁମାର ମହାପାତ୍ର