ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରଦର୍ଶନଶୀଳ ଲୋକକଳା ଗୁରୁ ଓ କଳାକାରଙ୍କ ସମାବେଶ

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରଦର୍ଶନଶୀଳ ଲୋକକଳାର ଗୁରୁ ଓ କଳାକାରଙ୍କ ଏକ ସଂକ୍ଷିପ୍ତ ସମାବେଶ ଆଜି ଅପରାହ୍ଣରେ ସ୍ଥାନୀୟ ଉତ୍କଳ ଆଶ୍ରମ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଲୋକ ସଂସ୍କୃତି ବିଶାରଦ ତଥା ସଂସ୍କୃତି ବିଭାଗର ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶଙ୍କଙ୍କ ଜନ୍ମଦିନ ପାଳନ ପରିପ୍ରେକ୍ଷୀରେ ଏହି ସମାବେଶର ଆୟୋଜନ କରାଯାଇଥିଲା l କଳିଙ୍ଗ ସାହିତ୍ୟ ସମାଜ ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡ. ଗୋପବନ୍ଧୁ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ସଂସ୍କୃତିବିତ୍ କୃଷଚନ୍ଦ୍ର ନିଶଙ୍କ ଓ ଭାରତଲୀଳା ଗୁରୁ ସନ୍ତୋଷ କୁମାର ପାଢ଼ୀ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରଦର୍ଶନଶୀଳ ଲୋକକଳାର ବର୍ତ୍ତମାନର ସ୍ଥିତି ଓ ଲୋକକଳା କଳାକାରମାନଙ୍କ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ l ଲୋକ କଳାକାରମାନଙ୍କ ପକ୍ଷରୁ ରଣପାନୃତ୍ୟ ଗୁରୁ ରାଜେନ୍ଦ୍ର ପ୍ରସାଦ ପାତ୍ର, ପଶୁମୁଖା ନାଚ ଗୁରୁ ନିକୁଞ୍ଜ ବିହାରୀ ଖଣ୍ଡୁଆଳ, ବାଳକୃଷ୍ଣ ମିଶ୍ର (ଦାସକାଠିଆ), ବଳରାମ ପଣ୍ଡା (ପାଲା), ରଙ୍କନିଧି ବେହେରା (ଭାରତଲୀଳା) ଶରତ ଚନ୍ଦ୍ର ବେହେରା (ଗାହାଣ) ପ୍ରମୁଖ ଲୋକକଳା କଳାକାରମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବନବାସୀ ନାହାକ, ସନ୍ତୋଷ କୁମାର ବେହେରା, ଭୀମସେନ ପାତ୍ର, ଦୀନବନ୍ଧୁ ପାତ୍ର, ଚକ୍ରବର୍ତ୍ତୀ ପାତ୍ର, ଶ୍ୟାମଘନ ପାତ୍ର, ବାବୁଲା ଭୂୟାଁ, କୈଳାସ ପାତ୍ର ଓ ଜନାର୍ଦ୍ଦନ ପ୍ରଧାନଙ୍କ ସମେତ ବହୁ କଳାକାର ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏହି ଅବକାଶରେ କଳାକାରମାନଙ୍କ ପକ୍ଷରୁ ଡ. ଗୋପବନ୍ଧୁ ଦାଶ ଓ କୃଷ୍ଣଚନ୍ଦ୍ର ନିଶଙ୍କଙ୍କୁ ଉପଢୌକନ, ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିକୃତି ଓ ପୁଷ୍ପସ୍ତବକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ମୁଖ୍ୟ ଅତିଥି ଡ. ଦାଶ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଲୋକକଳା ଗୁରୁ ଓ କଳାକାରମାନଙ୍କ ସମ୍ପର୍କରେ ମତବ୍ୟକ୍ତ କରିବା ସଂଗେ ସଂଗେ ସେମାନଙ୍କ ସମସ୍ୟା ଓ ଦାବି ବିଷୟରେ ସରକାରଙ୍କୁ ଅବଗତ କରାଇବେ ବୋଲି କହିଥିଲେ l ମଧ୍ୟାହ୍ନରେ କୃଷ୍ଣଚନ୍ଦ୍ର ନିଶଙ୍କଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନୌପଚାରିକ ଆଲୋଚନାରେ ଡ. ଲମ୍ବୋଦର ପାଣିଗ୍ରାହୀ, ଡ. କୁଳମଣି ଓଝା, ଡ. ବନମାଳୀ ପାଣିଗ୍ରାହୀ, ଡ. କୃଷ୍ଣ ପ୍ରସାଦ ମହାପାତ୍ର, ନାଟ୍ୟ ଅଭିନେତା ସୁବୋଧ ପଟ୍ଟନାୟକ ପ୍ରମୁଖ ଆଲୋଚକ ରୂପେ ଯୋଗଦେଇ ଗଞ୍ଜାମ ଜିଲ୍ଲାର ଭିନ୍ନ ଭିନ୍ନ ଲୋକକଳା ସମ୍ପର୍କରେ ଆଲୋଚନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ରାଜୁ ପାଢ଼ୀ, କବି ଅନୁପ କୁମାର ମିଶ୍ର, ଦୀନବନ୍ଧୁ ଶ୍ରୀପଲ୍ଲଵ, ନଳିନୀକାନ୍ତ ଗୌଡ଼, ସଂଗୀତ ନାଟକ ଏକାଡେମୀ ଗଞ୍ଜାମ ଜିଲ୍ଲା ସଦସ୍ୟ ଅନିଳ କୁମାର ପାତ୍ର, ‘ପର୍ଯ୍ୟଟନ ଭାରତ’ର ମୁଖ୍ୟ ନାରାୟଣ ମହାଙ୍କୁଡ, ମଞ୍ଚ ଅଭିନେତା ଇଂ ମନୋଜ ଦଣ୍ଡପାଟ, କପିଳ ଚନ୍ଦ୍ର ମହାନ୍ତି, କଳା-ସଂସ୍କୃତିର ପୃଷ୍ଠପୋଷକ ଉମାଶଙ୍କର ପାଣିଗ୍ରାହୀ ପ୍ରମୁଖ ଏହି ସମାବେଶରେ ଯୋଗ ଦେଇଥିଲେ l

ରିପୋର୍ଟ : ନିମାଇଁ ଚରଣ ପଣ୍ଡା