ରିକାପଲ୍ଲୀ କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ସରଗରମ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଛତ୍ରପୁର ସହରର ଅନ୍ୟତମ ଶକ୍ତିପୀଠ ରିକାପଲ୍ଲୀ ଅଞ୍ଚଳର ଗ୍ରାମଦେବୀ କଳ୍ପବାସିନୀ ପୀଠ ଅଧିଷ୍ଠାତ୍ରୀ ଦେବୀ ଆଦ୍ୟାଶକ୍ତି ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରେ ଦଶମହାବିଦ୍ୟା ପୂଜା, ଚଣ୍ଡୀପାଠ ସହ ଷୋଡଶ ପୂଜାର୍ଚ୍ଚନା ଆଦି ଅନୁଷ୍ଠିତ ହୋଇଆସିଛି । ଏଠାରେ ଦୈନିକ ଆଖପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ମା’ବୁଢ଼ୀ-ଠାକୁରାଣୀ ମନ୍ଦିରରେ ଦିବାରାତ୍ରୀ ଚଳ ଚଞ୍ଚଳ ରହୁଛି । ବେଦମନ୍ତ୍ରରେ ଏବଂ ଘଣ୍ଟା ଘଣ୍ଟ, ଝାଞ୍ଜ ନାଦରେ ସ୍ଥାନଟି ପ୍ରକମ୍ଫିତ ହୋଇ ନବରାତ୍ର ପୂଜା ଖୁବ ସରଗରମ ହୋଇ ଉଠିଛି । ରବିବାର ମଧ୍ୟାହ୍ନରେ ଅନ୍ନ-ପ୍ରସାଦ ବିତରଣ ସେବା ଅବା ଆନନ୍ଦବଜାର ଵ୍ୟଵସ୍ଥାପନା ହୋଇଥିଲା । ଦେବୀଙ୍କ ଏହି ଅନ୍ନଭୋଗ ଖାଇ ଭକ୍ତମାନେ ଆନନ୍ଦ ଲାଭ କରିଛନ୍ତି । ବିଜୟଦଶମୀ ପର୍ଯ୍ୟନ୍ତ ଏହି ନବରାତ୍ର ସମ୍ଭାର ଚାଲିବ । ବୁଧବାର ଅର୍ଥାତ ୨୫ ତାରିଖରେ ସନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ସମାରୋହରେ ସହର ପରିକ୍ରମଣ ହୋଇ ପୂଜାସମ୍ଭାରରେ ଲାଗିଥିବା ଘଟ,କଳସ ଆଦି ବିସର୍ଜନ ହେବ ବୋଲି ପରିଚାଳନା କମିଟୀ ପକ୍ଷରୁ କୁହାଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା