ରାଜ୍ୟରେ ୨ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ସମସ୍ତେ ସୁରତ ଫେରନ୍ତା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗଞ୍ଜାମ ଓ ମୟୁରଭଞ୍ଜ ଜିଲ୍ଲାରୁ ଆଜି ସକାଳେ ଚିହ୍ନଟ ହୋଇଥିବା ସମସ୍ତ ୨୦ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ଆକ୍ରାନ୍ତମାନଙ୍କ ସଂପର୍କରେ ପ୍ରାଥମିକ ସୂଚନା ଦେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟ୍ କରାଯାଉଛି । ଆକ୍ରାନ୍ତମାନେ ସୁରତରୁ ଫେରିଥିଲେ ଓ ସେମାନଙ୍କ ବୟସ ୧୮ରୁ ୪୪ ବର୍ଷ ମଧ୍ୟରେ । ସେହିପରି ଆକ୍ରାନ୍ତଙ୍କ ଭିତରେ କେବଳ ଜଣେ ମହିଳା ଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଅନ୍ୟପକ୍ଷରେ ଏହି ସମସ୍ତ ଆକ୍ରାନ୍ତ ସୁରତରୁ ଫେରିବା ପରେ କ୍ଵାରନଣ୍ଟାଇନରେ ଥିଲେ । ଗଞ୍ଜାମର ଆକ୍ରାନ୍ତମାନଙ୍କ ମଧ୍ୟରେ ଅଛନ୍ତି ଦୁଇଜଣ ୨୭ ବର୍ଷିୟ, ଦୁଇ ଜଣ ୪୩ ବର୍ଷିୟ ଏବଂ ବାକି ସମସ୍ତେ‌ ୨୦, ୩୮, ୨୩, ୨୯, ୫୦, ୩୦, ୨୯, ୨୧,୩୯, ୪୬, ୧୮ ଓ ୨୪ ବର୍ଷିୟ ପୁରୁଷ । ଏହାଛଡ଼ା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୦ ବର୍ଷୀୟ ମହିଳା ଅଛନ୍ତି । ସେହିପରି ମୟୂରଭଞ୍ଜରେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସମସ୍ତେ ପୁରୁଷ । ସେମାନଙ୍କ ବୟସ ୨୧, ୩୬ ଓ ୪୪ । ସମସ୍ତଙ୍କୁ କ୍ଵାରନଣ୍ଟାଇନରେ ରଖାଯାଇଛି । ଦୁଇ ଜିଲ୍ଳାର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ୫୦ହଜାର ଟପିଥିବା ଜଣାଯାଇଛି । ଗତକାଲି ଦିନକରେ ୩୦୬୦ ନମୁନା ପରୀକ୍ଷା ହୋଇଥିଲା । ଏହାଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୦ହଜାର ୫୧୪ ନମୁନା ପରୀକ୍ଷା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ : ଆକାଶ ମିଶ୍ର